Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୧

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ରରେ ବିରାଜମାନ କରିଥିବା ଏବଂ ପ୍ରଭୁଙ୍କର ହିସାବ ରକ୍ଷକ ଭାବରେ ଖ୍ୟାତ ଶ୍ରୀଜମେଶ୍ୱର ମହାଦେବଙ୍କ ବିଜେ ସ୍ଥଳିର ଠିକ ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥାନ କରୁଥିଲେ ମହର୍ଷି କଣ୍ଡୁ। ଘୋର ତପସ୍ୟାରେ ନିଜକୁ ନିୟୋଜିତ କରିପାରୁଥିବା କଣ୍ଡୁ ମହର୍ଷି କିନ୍ତୁ ଶ୍ରୀକ୍ଷେତ୍ରରେ ଦେବସେବା ଓ ଶାସ୍ତ୍ର ଆଲୋଚନାରେ ବିଶେଷ ଭାବରେ ନିଜକୁ ନିୟୋଜିତ କରିଥିଲେ। ଏଣୁ ତାଙ୍କ ଆଶ୍ରମରେ ହିରଣ୍ୟକାଶ୍ୟପଙ୍କୁ ବିଦାରଣ କରୁଥିବା ପ୍ରଭୂ ନୃସିଂହଙ୍କ ବିଗ୍ରହ ପୂଜା ପାଆନ୍ତି।

ଏହି ନୃସିଂହଙ୍କ ମୂର୍ତ୍ତି ବାମଭାଗରେ ଶ୍ରୀହନୁମାନ ଓ ଗରୁଡ଼ ମହାରାଜଙ୍କ ମୂର୍ତ୍ତି ତଥା ଦକ୍ଷିଣରେ ଭାଗରେ ପୁନଃ ହନୁମାନ ମହାରାଜ ଓ ଶ୍ରୀଗଣେଶଙ୍କ ବିଗ୍ରହ ପୂଜିତ ହୁଅନ୍ତି। ଏହି ନୃସିଂହ ମନ୍ଦିର ପ୍ରବେଶ ପଥରେ ଏକ ଯଜ୍ଞ କୁଣ୍ଡ ବିରାଜମାନ ଅଛି।
ଏହାର ଦ୍ୱାର ଦେଶରେ ନବଗ୍ରହ ବିରାଜିତ।

ଏଥିରୁ ସ୍ପଷ୍ଟ ଅନୁଭୂତ ହୁଏ ମହର୍ଷି କଣ୍ଡୁ ଘୋର ତପସ୍ୟାରେ ବ୍ୟାଘାତ ଘଟିବାରୁ ଶ୍ରୀକ୍ଷେତ୍ରରେ ଦେବପୂଜା ଓ ଜାଗଯଜ୍ଞରେ ସର୍ବଦା ନିମଗ୍ନ ରହୁଥିଲେ। ଅନ୍ୟ ଦୁଇ ଆଶ୍ରମ ପରି ଏହି ଆଶ୍ରମ ମଧ୍ୟ ଶ୍ରୀମନ୍ଦିର ସହ ଜଡିତ ଅଟେ। ଶ୍ରୀମନ୍ଦିରର ରୀତିନୀତି ଅନୁସାରେ ସୁଦର୍ଶନ ମହାରାଜ କୁମାରପୂର୍ଣ୍ଣିମା ଓ ରାକ୍ଷୀପୁର୍ଣିମାରେ ଏହି ଆଶ୍ରମକୁ ବିମାନ ଚଢି ଆସନ୍ତି ଏଠାରେ ଶୀତଳ ମଣୋହି, ପନ୍ତି ଭୋଗ ଓ ବନ୍ଦାପନା ପରେ, ଆଶ୍ରମ ପରିକ୍ରମା କରି ଫେରନ୍ତି। ଯେହେତୁ ସୁଦର୍ଶନ ମହାରାଜ ପ୍ରଥା ଅନୁସାରେ ରାଧା ଅଷ୍ଟମୀ ଦିନ ଶ୍ରୀଜମେଶ୍ବର ମନ୍ଦିରକୁ ବିଜେ କରି ପ୍ରଭୂ ଶ୍ରୀଜଗନ୍ନାଥଙ୍କ ହିସାବ ତଦାରଖ କରନ୍ତି। ତେଣୁ ଆଶ୍ରମ ମଧ୍ୟ ପିଠାଧିଶ ଶ୍ରୀ ଜମେଶ୍ଵରଙ୍କୁ ସମସ୍ତ ସହଯୋଗ କରନ୍ତି। ପୂର୍ବ ବର୍ଣ୍ଣିତ ଅନୁସାରେ ସୁଦର୍ଶନଙ୍କ ବ୍ୟତୀତ ଚକ୍ରନାରାୟଣ, ବାଡ଼ି ନୃସିଂହ ଓ ପଣ୍ଡୁ ନୃସିଂହ ଏହି ଆଶ୍ରାମକୁ ନିର୍ଦ୍ଧାରିତ ଦିନ ମାନଙ୍କରେ ଆସି, ସବୁ ଆଶ୍ରମ ପରି ଶୀତଳ ମଣୋହି, ପନ୍ତି ଭୋଗ ଓ ବନ୍ଦାପନା ପରେ, ଆଶ୍ରମ ପରିକ୍ରମା କରି ଫେରନ୍ତି। ତ୍ରେତୟା ଯୁଗରେ କଣ୍ଡୁ ମହାରାଜଙ୍କ ବିଷୟ ରାମାୟଣରେ ଉଲ୍ଲେଖ ଥିବାରୁ ଏହି ମହର୍ଷିଙ୍କ ପ୍ରାଚୀନତା ଜଣା ଯାଏ କିନ୍ତୁ ଶ୍ରୀକ୍ଷେତ୍ରର ସବୁଠାରୁ ପ୍ରାଚୀନ ଆଶ୍ରମ ଋଷି ମାର୍କଣ୍ଡେୟଙ୍କ ଜଣାଯାଏ।
ଆଗାମୀ ଅଧ୍ୟlୟରେ ତାହାଙ୍କ ବିଷୟରେ ଜାଣିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ବେଳ ।

ଏ ଗୁଣ ମୟ ବ୍ରହ୍ମ ଜ୍ଞାନ
ଯେ କରେ ଶ୍ରବଣ ପଠନ ।
ଅଶେଷ ଦୋଷ ତାର ହରେ
ନ ପଡେ ଭବ ପଙ୍କ ଘୋରେ ।
ହରଇ କାମ କ୍ରୋଧ ଦୋଷ
ନ ଲାଗେ ଦୁଃଖ ଶୋକ ପ୍ରାସ ।

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )

Leave A Reply

Your email address will not be published.