Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅବସ୍ଥିତ ଶ୍ରୀ ସୂର୍ଯ୍ୟନାରାୟଣ ମନ୍ଦିର ଆମେ ଅବଲୋକନ କରି ଅନେକ ବିଷୟରେ ଆଲୋଚନା କରି ସାରିଲେଣି। ଏବେ ଆସନ୍ତୁ ଜାଣିବା ଏହି ମନ୍ଦିରରେ ପାଳିତ ହେଉଥିବା ବିଶେଷ ପର୍ବପର୍ବାଣୀ ବିଷୟରେ। ଶ୍ରୀ ସୂର୍ଯ୍ୟନାରାୟଣଙ୍କ ବିଶେଷ ଉପାସନା ସାଧାରଣତଃ ତିଳ ସପ୍ତମୀ, ଚୈତ୍ର ଗୁଣ୍ଡିଚା, ସପ୍ତପୁରୀ ଅମାବାସ୍ୟା, କୁମାର ପୂର୍ଣ୍ଣିମା , ଓଢଣଷଷ୍ଠୀ, ବସନ୍ତ ପଞ୍ଚମୀ, ଶାମ୍ବ ଦଶମୀ ତିଥିରେ ହୋଇଥାଏ। ଏହାଛଡା ଗ୍ରହଣ, ପରାଗ ଇତ୍ୟାଦି ଦିନମାନଙ୍କରେ ବିଶେଷ ପୂଜା ନୀତି ଅନୁଷ୍ଠିତ ହୁଏ।
ତିଳ ସପ୍ତମୀରେ ସୂର୍ଯ୍ୟନାରାୟଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ ବଡ଼ ଓ ଦୁଇଟି ଛୋଟ ନୂଆ ଲୁଗା ପ୍ରଦାନ କରାଯାଏ। ଲଡ଼ୁ କ୍ଷୀରି କାକରା ପ୍ରଭୃତି ଭୋଗ ହୁଅନ୍ତି। ଏହା ଛଡା ରାଜନୀତି ବନ୍ଦାପନା ମଧ୍ୟ ହୁଏ । ଚୈତ୍ର ଗୁଣ୍ଡିଚାରେ ଉପରେ ବର୍ଣ୍ଣିତ ବିଶେଷ ଭୋଗ ଓ ରୀତିନୀତି ସହ ପ୍ରତିମାମାନଙ୍କୁ ଏକ ସ୍ୱତନ୍ତ୍ର ରଥରେ ବିରାଜମାନ କରାଇ ଶ୍ରୀମନ୍ଦିର ବେଢାରେ ପରିକ୍ରମା ହୁଏ। ଏହି ରଥ ସେହି ମନ୍ଦିରରଜଗମୋହନରେ ରହିଥାଏ। ସପ୍ତପୁରୀ ଅମାବାସ୍ୟାରେ କୋଠ ତରଫରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇ ସାତୋଟି ପିଠା (ପୁରୀ )ପ୍ରସ୍ତୁତ ହୋଇ ଭୋଗ ହୁଏ। ସେହିଭଳି ଅନ୍ୟ ପର୍ବ ପର୍ବାଣୀ (ଆଗରୁ ବର୍ଣ୍ଣିତ )ଦିନମାନଙ୍କ ରେ ନୂଆ ଲୁଗା ଲାଗି ହେବା ସହ ମହାସ୍ନାନ ଓ ସ୍ୱତନ୍ତ୍ର ବେଶ ହୋଇଥାଏ। ଆମେ ସୂର୍ଯ୍ୟନାରାୟଣଙ୍କୁ ଧର୍ମରାଜ ବୋଲି ବିବେଚନା କରୁଥିବାରୁ, ଏହି ମନ୍ଦିରରେ ବିବାହର ପ୍ରାରମ୍ଭିକ କାର୍ଯ୍ୟକ୍ରମ (ନିର୍ବନ୍ଧ ) ଅନୁଷ୍ଠିତ ହୋଇଥାଏ। ଉଭୟ କନ୍ୟା ଓ ବର ପକ୍ଷର ଅଭିଭାବକମାନେ ଏଠାରେ ଉପସ୍ଥିତ ହୋଇ ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ପବିତ୍ର ବିବାହ ପାଇଁ ଚୁକ୍ତି ବଦ୍ଧ ହୁଅନ୍ତି ବା ସତ୍ୟ କରନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଏକ ଶୁଳ୍କ ରଖି ଉଭୟ ପକ୍ଷଙ୍କୁ ରସିଦ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳେ। ଆସନ୍ତୁ ତେବେ ଗ୍ରହରାଜ ସୂର୍ଯ୍ୟଙ୍କୁ କରିବା ଆରାଧନା ବା ଧ୍ୟାନ ଗ୍ରହଣାମlଦିରାଦିତ୍ୟ!ଲୋକରକ୍ଷଣ କାରକ, ବିଷମ ସ୍ଥାନସମ୍ଭୁତାଂ ପୀଡାଂ ହରତୁ ମେ ଗ୍ରହଃ ” ଅର୍ଥାତ ହେ ସୂର୍ଯ୍ୟ ।

ତୁମେ ଗ୍ରହରାଜ! ତୁମେ ଲୋକରକ୍ଷକ ସକଳ ଶକ୍ତିର ଆଧାର, ଗ୍ରହମାନଙ୍କର ବିଷମ ସ୍ଥାନରେ ଅବସ୍ଥିତ ଜନିତ ପୀଡା ହରଣ କର ।

ଜୟ ଶ୍ରୀ ସୂର୍ଯ୍ୟ ନାରାୟଣ, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.