Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଦେଉଳ କରଣଙ୍କ ବିଷୟରେ ଆଲୋଚନା କରିବା ସମୟରେ ଲାଗୁଛି ।ଏହା କି ପ୍ରକାର ସେବା ପ୍ରତ୍ୟକ୍ଷ ସେବା ନା ପରୋକ୍ଷ ସେବା । ଏହା ଏହି ଦୁଇ ପ୍ରକାର ସେବାଠାରୁ ବି ଅଲଗା ଏକ ତତ୍ୱାବଧାରକ ସେବା। ମୋ ପ୍ରଭୁଙ୍କର ସେବାରେ କୌଣସି ତ୍ରୁଟି ନରହୁ ଏହାହିଁ ଦେଉଳ କରଣଙ୍କ ସେବାର ମୂଖ୍ୟ ଉଦ୍ଦେଶ୍ୟ । ସେଥିପାଇଁ ଦେଉଳ କରଣ ଭଣ୍ଡାରର ଅଳଙ୍କାର ମରାମତି ଓ ସଫା ସଫି ମଧ୍ଯ କରାଇଥାନ୍ତି। ଅବଶ୍ୟ ଏଥିପାଇଁ ସେ ତଡଉ କରଣଙ୍କ ଉପସ୍ଥିତି ଲୋଡ଼ନ୍ତି। ଚିତା ରହୁରେଖା ଲାଗି ଦିନ ଦଇତାଙ୍କୁ ପ୍ରଦାନ କରିଥାନ୍ତି। ସେ ମଧ୍ଯ ଶାଢ଼ୀବନ୍ଧା ଚାମର ଓ ମଶାଲ ସେବା ପାଉଣା ବାଣ୍ଟିଥାନ୍ତି।

ଧ୍ୱଜପିଣ୍ଡିକା, ଚାଲାଣରେ ହିସାବ ବୁଝି ଦସ୍ତକତ କରିବା,ସେବା ଓ ଚୁଲି ନିଲାମ କରିବା କିଛି କୋରଖ ଓ ହସ୍ତାନ୍ତର ହେଲେ ରେକର୍ଡରେ ଦରଜ ଓ ଦାଖଲ ଖାରଜ କରିବା, ବଡ଼ ମହାସ୍ନାନ, ମହା ଅଣସର, ଶ୍ରୀଅଙ୍ଗ ଫିଟା ଓ ପର୍ବ ପର୍ବାଣୀ ମାନଙ୍କରେ ଖର୍ଚ୍ଚର ତାଲିକା କରିଥାନ୍ତି। ଧୂପ ବେଳେ ଭିତରକାଠ ଟେରା ତଦାରଖ କରିବା ସହ ଆହୁରି ଅନେକ ବିଶେଷ କାର୍ଯ୍ୟ ନିର୍ବାହ କରିଥାନ୍ତି। ଶ୍ରୀମନ୍ଦିର ସହ ଏହି ସେବକ ଏପରି ଭାବରେ ସମ୍ପୃକ୍ତ ଯେ କିଛି ନିଆରା ଅଧିକାର ମଧ୍ଯ ଏମାନେ ପାଇଥାନ୍ତି। ଆଗାମୀ ଅଧ୍ୟାୟରେ ସେଗୁଡିକ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ମୁଁ ଆତ୍ମା ପ୍ରିୟସଖା ହୋଇ
ସକଳ କର୍ମ ଫଳ ଦେଇ ।
ମୁଁ ଗତି ପତି ହର୍ତ୍ତା କର୍ତ୍ତା
ମୁହିଁ ସେ ସର୍ବଲୋକ ପିତା ।
ମୋତେ ଭଜନ୍ତି ପ୍ରାଣୀ ଯେତେ
ସୁଖେ ସେ ତରନ୍ତି ନିଶ୍ଚିନ୍ତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.