Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର କାର୍ତ୍ତିକ ପଞ୍ଚୁକରେ ହେଉଥିବା ବିଭିନ୍ନ ବେଶ ଓ ରୀତିନୀତି ଆଲୋଚନା ପ୍ରସଙ୍ଗରେ ଆଜି ଆଲୋଚନା କରିବା ମୁଖ୍ୟତଃ ଦୁଇଟି ବେଶ ବିଷୟରେ। ପ୍ରଥମଟି କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ପ୍ରତିବର୍ଷ ହେଉଥିବା ଲଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ ଓ କାର୍ତ୍ତିକ ଶୁକ୍ଳ ପକ୍ଷରେ ପଞ୍ଚକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ପଡ଼ିଥିଲେ, ସେହି ବଳକା ଦିନ ବା ମଳ ତିଥିରେ ଶ୍ରୀଜଗନ୍ନାଥଙ୍କ ହେଉଥିବା ନାଗାର୍ଜୁନ ବେଶ।

ଲଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ :- କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜୀଉମାନେ ହେଲେ ଲଷ୍ମୀ ନାରାୟଣ ବେଶ ବା ଠିଆକିଆ ବେଶ ତ୍ରୟୋଦଶୀରେ ଆଡକିଆ ବେଶ ଓ ଶେଷରେ ଚତୁଦର୍ଶୀରେ ଶ୍ରୀଜୀଉମାନଙ୍କର ଲଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ। ଏହି ବେଶମାନଙ୍କ ନାମକରଣ ସୂଚାଏ ଯେ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ସହିତ ସୁବର୍ଣ୍ଣର କିଆଫୁଲକୁ ବିଭିନ୍ନ ଭାବରେ ସଜ୍ଜିତ କରି ପିନ୍ଧା ଯାଉଥିବାରୁ ଏଭଳି ବେଶ ନାମିତ ହୋଇଛି। ତେଣୁ ଅନ୍ୟ ଦିନ ଭଳି ଶ୍ରୀଭୁଜ, ଶ୍ରୀପୟର, କାନ, ଆଡ଼କାନି ଚନ୍ଦ୍ରିକା ପ୍ରଭୁତି ସୁବର୍ଣ୍ଣ ଅଳଙ୍କାର ସହ ସ୍ୱତନ୍ତ୍ର ଭାବରେ ନିର୍ମିତ୍ତ ସୁବର୍ଣ୍ଣ କିଆ ଫୁଲ ଆକୃତି ର ୫୦ ଗୋଟି ଅଳଙ୍କାର ଧାରଣ କରନ୍ତିଏହି ସୁନାକିଆ ଡାଳି ପରି ଖଞ୍ଜା ଯାଉଥିବାରୁ ଏହି ବେଶର ଏକ ନାମ ଡାଳିକିଆ ବେଶ, ତଥା ଲଷ୍ମୀଙ୍କ ସହ ଆଦି ଦେବତା ନୃସିଂହଙ୍କ ବେଶ ଯୋଗୁ ଏହାର ଅନ୍ୟ ନାଁ ଲଷ୍ମୀ ନୃସିଂହ ବେଶ ରଖାଯାଇଛି ।

ନାଗାର୍ଜୁନ ବେଶ :- ଏହା ପ୍ରଭୁଙ୍କର ଏକ ଦୁର୍ଲଭ ବେଶ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ର ବନବାସୀ ବୀର ବେଶ ଧାରଣ କରନ୍ତି । ତେଣୁ ଏହାକୁ ବୀର ବେଶ ତଥା ପର୍ଶୁରାମ ବେଶ ମଧ୍ୟ କୁହାଯାଏ। ନାଗା ବା ପାର୍ବତୀୟ ବୀର ବେଶରେ ଶ୍ରୀଜୀଉମାନେ ସଜ୍ଜିତ ହୁଅନ୍ତି। ଶ୍ରୀକ୍ଷେତ୍ରରେ ପ୍ରଚଳିତ ନାଗା ବେଶ ସହ ଏହି ବେଶର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। ନାଗାର୍ଜୁନ ବେଶ ଶୈବ ଓ ବୈଷ୍ଣବ ଭାବନାର ପ୍ରକାଶ ଘଟାଇଥାଏ। ବିଗତ ୧୯୯୩ ଓ ୧୯୯୪ ମସିହାରେ ତଥା ନିକଟରେ ୨୦୨୦ ମସିହାରେ ମଧ୍ୟ କରୋନା କଟକଣା ମଧ୍ୟରେ ଏହି ବେଶ ହୋଇଥିଲା। ଇତିହାସ କହେ ୧୯୬୬ ,
୧୯୬୭ ଓ ୧୯୬୮ ମସିହାରେ ମଧ୍ୟ ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହୋଇଥିଲା। ଆଗରୁ ବିଭିନ୍ନ ବ୍ୟକ୍ତିମାନଙ୍କ ସହାୟତାରେ ଏହି ବେଶ ହୋଇଥିବା ଜଣାଯାଏ। କିନ୍ତୁ ୧୯୯୪ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଏହାର ସମସ୍ତ ଦାୟିତ୍ୱ ନେଇଥିବାର ନଜିର ଅଛି। ଏହି ବେଶରେ ବଡ଼ ବଡ଼ ଫୁଲ ହାଣ୍ଡିଆ ବା ଶୀରସ୍ତ୍ରାଣ, ବାଘ ନଖ, ଧନୁ, ଶରପୁଞ୍ଜ କଟିରେ ଢାଲ ଓ ନାନା ପ୍ରକାର ମାଳ ଧାରଣ ପୂର୍ବକ ଅତ୍ୟନ୍ତ ତେଜିଆନ ବୀର ବେଶ ହିଁ ନାଗାର୍ଜୁନ ବେଶ। ସକାଳେ ଅବକାଶ ନୀତି ପରେ ଏହି ବେଶ ହୋଇଥାନ୍ତି। ଏହାପରେ ସକାଳ ଧୂପ ସହ ଅନ୍ୟାନ୍ୟ ନୀତି ସରିବା ପରେ ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୁଏ। କିନ୍ତୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପ୍ରବଳ ଗହଳି ହେଉଥିବାରୁ, ସମୟ ସମୟରେ ଅଘଟଣ ମଧ୍ୟ ଘଟିଥାଏ। ଆସନ୍ତୁ ତେବେ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି।

“ମୁଁ ସର୍ବ ଭୁତେ ଅଛି ପୁରି
ଏ ଭାବେ ମନ ମୋରେ ଧରି ।
ତତ୍ତ୍ୱ ବିଚାରି ତୁଟେ ଭ୍ରାନ୍ତି
ଭବ ସାଗରୁ ତରିଯାନ୍ତି ।
ବୋଲନ୍ତି ଜଗତ ଜୀବନ
ଏ ଯୋଗ ଗତି ତତ୍ତ୍ୱ ଜ୍ଞାନ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.