Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ ପାବନ ବେଶ ଭିତରେ ଗୋଟିଏ ବେଶ କଥା ଆଜି ଜାଣିବା ; ଯାହା କୃଷ୍ଣ ଲୀଳା ସହିତ ଜଡିତ ବେଶ ଅଟେ। ଏହି ବେଶଟି ପ୍ରତିବର୍ଷ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୋଇଥାଏ। ଭାଦ୍ରବମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ଏହି ବେଶ କାରାଯାଏ। ଶ୍ରୀମନ୍ଦିର ରୀତିନୀତି ଅନୁସାରେ ବଡ଼ଠାକୁର ଶ୍ରୀବଲଭଦ୍ର ଓ ଶ୍ରୀଜଗନ୍ନାଥ ଉଭୟ ଗୌଡ଼ ପିଲା ଯଥା ବଳରାମ ଓ କୃଷ୍ଣ ରୂପେ ସଜ୍ଜିତ ହୋଇ ବଣଭୋଜି ନିମନ୍ତେ ଯାଉଥିବା ବେଶ ହୋଇଥାନ୍ତି। ଏହି ବେଶରେ ଶ୍ରୀବଲଭଦ୍ର ଓ ଶ୍ରୀଜଗନ୍ନାଥ ଉଭୟ ଶ୍ରୀହସ୍ତରେ ଶିକା ଧାରଣ ପୂର୍ବକ ସେହି ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଏବଂ ଅନ୍ୟ ହସ୍ତରେ ଲଉଡି ଧରିଥାନ୍ତି । ଦୁଧ ପେଡାର ମାଳି ଠାକୁରମାନଙ୍କୁ ଲାଗି ହୋଇଥାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ସନ୍ଧ୍ୟା ଧୂପ ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ମହାନ କୃଷ୍ଣଭକ୍ତ (ବୈଷ୍ଣବ ) ଶ୍ରୀଚୈତନ୍ୟଙ୍କ ମାନସ ପ୍ରସ୍ତୁତ ବୋଲି କଥିତ ଅଛି। ଦ୍ଵାପରରେ ଶ୍ରୀକୃଷ୍ଣଙ୍କ ଲୀଳାର ଏକ ବିଶେଷ ଲୀଳା ହେଉଛି ବଣଭୋଜି ଲୀଳା। ତାହାରି ଅନୁକରଣରେ ଶ୍ରୀଜୀଉ ମାନଙ୍କ ଏହି ବେଶ ପାଳିତ ହେଉଛି। ଐତିହାସିକ ମତରେ ଦୁଇଟି ଭିନ୍ନ ଭିନ୍ନ ମତ ପ୍ରଚଳିତ ଅଛି। ପ୍ରଥମ ମତଟି ହେଲା ଶ୍ରୀଚୈତନ୍ୟଙ୍କ ଦ୍ୱାରା ପ୍ରଭାବିତ ହୋଇ ରାଜା ପ୍ରତାପ ରୁଦ୍ର ଦେବ (ଷୋଳଶହ ଶତାବ୍ଦୀ )ଏହି ବେଶ ଆରମ୍ଭ କରିଥିଲେ। ଦ୍ଵିତୀୟ ମତଟି ହେଲା ମହାରାଜ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର କାମାର୍ଣ୍ଣବ ଦେବ (ଖ୍ରୀଷ୍ଟାବ୍ଦ ୧୧୪୭ -୧୧୫୬ )ଙ୍କ ରାଜତ୍ୱ କାଳରେ ଏହି ବେଶ ଆରମ୍ଭ ହୋଇଥିଲା। ସେ ଯାହା ହେଉ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଉପସ୍ଥାପନା କରିବା ପାଇଁ ଏହି ବିଚିତ୍ର ବେଶଟି ପ୍ରତିବର୍ଷ ଅନୁଷ୍ଠିତ ହେଉଛି। ଆଗାମୀ ଅଧ୍ୟlୟରେ ପୁଣି କୃଷ୍ଣ ଲୀଳା ଆଧାରିତ ଅନ୍ୟ ଏକ ସୁନ୍ଦର ବେଶ ବିଷୟରେ ଜାଣିବା ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନରେ ମନ ଦେବା।

“ସେ ନିତ୍ୟ ସନାତନ ହରି
ଅନନ୍ତ ଶକ୍ତି ଅଛି ଧରି ।
ପ୍ରଥମେ ଏକ ରୂପ ତାର
ଅନାଦି ଅବ୍ୟକ୍ତ ଈଶ୍ୱର ।
ସେ ନିଜ ଶକ୍ତି ଭାବ ବଳେ
ଅଶେଷ ରୂପ ଏ ଶୟଳେ ।
ପ୍ରକାଶ କରି ନିଜ ଶକ୍ତି
ମାୟା ସଂଯୋଗେ ନାନା ମୂର୍ତ୍ତି ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.