Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରୋଷଶାଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ପ୍ରସ୍ତୁତି ହେଉଥିବା ପୃଥିବୀର ବୃହତମ ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ଅବଶ୍ୟ ଅନେକ କହିପାରନ୍ତି ବର୍ତ୍ତମାନ ଅନେକ ଧର୍ମାନୁଷ୍ଠାନରେ ଆହୁରି ବିଶାଳ ଓ ବ୍ୟାପକ ଭାବରେ ପ୍ରସାଦ ପ୍ରସ୍ତୁତ ହେଉଛି। ତେଣୁ ଶ୍ରୀମନ୍ଦିର ରୋଷଶାଳକୁ କାହିଁକି ସର୍ବ ବୃହତ ବୋଲି କହିବା? ଏ ପ୍ରଶ୍ନ ଯଥାର୍ଥ କିନ୍ତୁ ଶ୍ରୀମନ୍ଦିର ରୋଷଶାଳ ଆମ ପାରମ୍ପରିକ ରୋଷଇ ପାଇଁ ଉପଯୁକ୍ତ ଓ ବିଶାଳ ଅଟେ। ଆଜିକାଲି ସବୁ ଯାନ୍ତ୍ରିକ ପଦ୍ଧତିରେ ରନ୍ଧନ କ୍ରିୟା ହେଉଥିବା ରୋଷଶାଳ ଏହା ସହ ତୁଳନୀୟ ନୁହେଁ। ଆସନ୍ତୁ ଜାଣିବା ଏହି ରୋଷଶାଳ ଵିଷୟରେ କିଛି ଅଜଣା ତଥ୍ୟ। ବର୍ତ୍ତମାନ ଶ୍ରୀମନ୍ଦିରର ଅଗ୍ନି କୋଣରେ ଥିବା ରୋଷ ଘରଟି ଭୋଇ ବଂଶର ରାଜା ଦିବ୍ୟସିଂହ ଦେବଙ୍କ ରାଜ୍ୱତ ସମୟରେ ଯଥା (ଖ୍ରୀ:-୧୬୮୨ -୧୭୨୩ )ମଧ୍ୟରେ ନିର୍ମିତ୍ତ ହୋଇଥିଲା। ଜଣାଯାଏ କଟକ ଜିଲ୍ଲାର ଜଣେ ବିତ୍ତଶାଳୀ ବ୍ୟକ୍ତି ଶ୍ରୀ ରାଜେନ୍ଦ୍ର ରାୟ ଏହାର ସମସ୍ତ ଖର୍ଚ୍ଚ ବହନ କାରିଥିଲେ। ରାଜା ଦିବ୍ୟସିଂହ ଦେବଙ୍କ ମନ୍ତ୍ରୀ ଗୋବିନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ହୋଇଥଲା। ପରବର୍ତ୍ତୀ ସମୟରେ ୧୯୫୭ ମସିହାରେ ଜନୈକ ବାଙ୍ଗଡ଼ ସେଠ ଏହାର ମରାମତି ଓ ନବୀକରଣ ପାଇଁ ସମସ୍ତ ଅର୍ଥ ପ୍ରଦାନ କରିଥିଲେ। ୨୦୦୬ -୦୭ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପ୍ରଶାସନ ବର୍ତ୍ତମାନ ଦୃଶ୍ୟମାନ ରୋଷଶାଳର ଛାତ ନୂତନ ଭାବେ ନିର୍ମାଣ କରିଥିଲେ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୨୦୫ ରେ ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ ଭାଗରେ ଏହି ଐତିହାସିକ ରୋଷଶାଳ ବିଦ୍ୟମାନ ଏହାର ଲମ୍ବ ୧୦୦ ଫୁଟ ଓ ଓସାର ୮୦ ଫୁଟ। ଏହି ରୋଷଶାଳ ବାରଗୋଟି କୋଠରୀକୁ ନେଇ ଗଠିତ। ଏହି ରୋଷଶାଳର ପୂର୍ବ ପାର୍ଶ୍ଵରେ “ଗଙ୍ଗା “ଓ ଦକ୍ଷିଣ ପାର୍ଶ୍ଵରେ “ଯମୁନା “ନାମକ ଦୁଇଟି କୂପ ରହିଛି, ଇତିହାସ କହେ । ଏହି ଦୁଇଟି କୂପ ପାଣିରେ ଆଜି ପର୍ଯ୍ୟନ୍ତ ସମସ୍ତ କୋଠ ଭୋଗ, ଖଟଣି ତଥା ବିକ୍ରୟ, ବରାଦ ଭୋଗ ପ୍ରସ୍ତୁତ ହୋଇ ଆସୁଛି। ଆଗାମୀ ଅଧ୍ୟାୟରେ ଜାଣିବା ରୋଷଶାଳର ଭିତିରି କଥା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ବିଭବେ ପୁଜେ ବହୁବିଧେ
କାୟ ବଚନ ମନ ଶୁଦ୍ଧେ ।
ବିଭବ ହୀନ ଯେବା ଜନ
ପୂଜିବ ଯେ ବିଧି ବିଧାନ ।

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )

Leave A Reply

Your email address will not be published.