ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଆଲୋଚନା ଅବସରରେ ଆମେ ଶ୍ରୀଜୀଉମାନଙ୍କ ସମସ୍ତ ପୂଜା ବିଧି ବିଷୟରେ ଆଲୋଚନା ଜାରି ରଖିଛେ। ଏହି ପରିପ୍ରେକ୍ଷୀରେ ଆମର ବାଳ ଭୋଗ ବା ଗୋପାଳବଲ୍ଳଭ ଭୋଗ ଆଲୋଚନା ସରିଯାଇଛି । ବର୍ତ୍ତମାନ ରାଜଭୋଗ ଅବା ପ୍ରଥମ ଧୂପ ବିଷୟରେ ଆଲୋଚନା କରିବା। ଶ୍ରୀମନ୍ଦିରରେ ବାଳ ଭୋଗ ସମାପନ ପରେ ପରେ ଭୋଗ ସାମଗ୍ରୀଗୁଡ଼ିକ ବାହାରକୁ କାଢି ଅଣାଯାଏ।ପରେ ସେହି ସ୍ଥାନକୁ ଉତ୍ତମ ରୂପେ ଧୋପଖାଳ କାରାଯାଏ, ଅର୍ଥାତ ପାଣିରେ ଖୁବ ଭଲ ଭାବରେ ଧୁଆଯାଏ। ରାଜଭୋଗ ସମୟରେ ସେଠାରେ ମୁରୁଜ କଟାଯାଇ ପନ୍ତି ଭୋଗ ବଢ଼ା ଯାଏ। ଯେଉଁଥିରେ ଥାଏ ଖେଚୁଡ଼ି, ସାଧା ଅନ୍ନ, ଡାଲି, ଡାଲମା, ଶାଗ, ମହୁର, ବେସର, ଖଟା ସହ ବିରି କିମ୍ବା ଅଟା ଜାତୀୟ କିଛି ପିଠା ମଧ୍ୟ ବଢ଼ା ଯାଏ । ଏହା ପରେ ପୂଜକ ନିୟମ ପ୍ରକାରେ ସମସ୍ତ ବିଧି ପାଳନ ପୂର୍ବକ ଷୋଡଶ ଉପଚାରରେ ନୈବେଦ୍ୟ ସମର୍ପଣ କରିବେ। ଏହି ପୂଜାର ବିଧି ଓ ମନ୍ତ୍ର ସ୍ୱତନ୍ତ୍ର ଭାବେ ଆଲୋଚନା କରିବା। ପୂଜା ସମୟରେ ବିଭିନ୍ନ ବାଦ୍ୟ ସହ ଘଣ୍ଟ, ଘଣ୍ଟି ଇତ୍ୟାଦି ବାଜିବା ବିଧେୟ ଅଟେ। ଭୋଗ ପରେ ଠାକୁରମାନଙ୍କୁ ବିଡ଼ିଆ ଭୋଗ ଲଗାଯାଏ । ଏହି ବିଡ଼ିଆ ପାନଟି ପାନ(ବିନା ଚୂନରେ )ଖଣ୍ଡ ଗୁଆ ବା ଗୁଣ୍ଡ ଗୁଆ, ଅଳେଇଚ, ଲବଙ୍ଗ, ଜାଇଫଳ ଇତ୍ୟାଦି ମସଲା ବ୍ୟବହାର କରି କରାଯାଏ। ଏହାକୁ ମଧ୍ୟ ବିଡ଼ିଆ ମଣୋହି ଭାବେ କୁହାଯାଏ। ଏହି ବିଡ଼ିଆ ମଣୋହି ପରେ ପରେ ଶ୍ରୀଜୀଉମାନଙ୍କର କର୍ପୁର ଆଳତି ଓ ବତୀ ଆଳତି କାରାଯାଏ। ଏହି ଆଳତି ବିଧି ବିଧାନ ଆମେ ପୂର୍ବରୁ ଆଲୋଚନା କରିଛେ।ତେଣୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ପର ପୁରୁଷେ ଚିତ୍ତ ଦେଇ
ଯେ ନାରୀ ରମେ ଦେହ ବହି।
ତାହାଙ୍କ ନାହିଁ ସୁଖ ଲେଶ
ନରକେ ହୋନ୍ତି ପରବେଶ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.