Latest Odisha News

BREAKING NEWS

ବିଶ୍ଵ ହୃଦୟ ଦିବସ: ହୃଦୟକୁ ବ୍ୟବହାର କର, ହୃଦୟକୁ ଜାଣ

ଭୁବନେଶ୍ଵର: ମଣିଷ ଶରୀରର ହାର୍ଟ ବା ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ଅତ୍ଯନ୍ତ ଆବଶ୍ୟକ । ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ଲାଗି ପ୍ରଥମେ ୨୦୦୦ ମସିହାରେ ଏହି ଦିବସ ପାଳନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ ଭିନ୍ନ ଭିନ୍ନ ଥିମ୍ ଚୟନ କରାଯାଇଥାଏ । ସେଇ କ୍ରମରେ ଚଳିତ ବର୍ଷର ଥିମ୍ ରହିଛି ‘ହୃଦୟକୁ ବ୍ୟବହାର କର, ହୃଦୟକୁ ଜାଣ’ ।

ସମ୍ପ୍ରତି ଯୁବପିଢିଙ୍କ ପାଇଁ ହୃଦଘାତ ଏବେ ଏକ ସଙ୍କଟର କାରଣ ପାଲଟିଛି । ନିକଟ ଅତୀତରେ ବହୁ ଯୁବ କଳାକାର ହୃଦଘାତର ଶିକାର ହୋଇଛନ୍ତି । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୦୦ ମସିହାରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି । ପ୍ରଥମେ ପ୍ରଥମେ ସେପ୍ଟେମ୍ବର ମାସର ଶେଷ ରବିବାରକୁ ହୃଦୟ ଦିବସ ଭାବେ ପାଳନ କରାଯାଉଥିଲା । ମାତ୍ର ୨୦୧୪ ମସିହାରେ ଏହାକୁ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର ୨୯କୁ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରିବା ପାଇଁ ସ୍ଥିର କରାଗଲା । ସେଇଦିନଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୯କୁ ବିଶ୍ୱ ହୃଦୟ ଦିବସ ରୂପେ ପାଳନ କରାଯାଉଛି ।

ସମ୍ପ୍ରତି ମହାମାରୀ ପରେ ତଥା ପରିବର୍ତ୍ତିତ ଜୀବନଶୈଳୀ ହେତୁ ହୃଦରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହୋଇଛି । ପ୍ରାୟ ୨୦ରୁ ୪୦ବର୍ଷ ବୟସର ଯୁବଗୋଷ୍ଠୀଙ୍କଠାରେ ହୃଦରୋଗର ଆଶଙ୍କା ଅଧିକ ଦେଖାଦେଇଛି । ଅତ୍ୟଧିକ ଚାପ ଏହି ରୋଗର ଅନ୍ୟ ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି । ସାଧାରଣତଃ ଯୁବବର୍ଗମାନେ ଉଚ୍ଚ କାର୍ଯ୍ୟଦକ୍ଷତା ପାଇଁ ଚାପରେ ରହୁଥିବାବେଳେ, ନିଜ କ୍ୟାରିଅର, ଅଧିକ ରୋଜଗାର, ଏପରିକି ସମ୍ପର୍କ, ସାଙ୍ଗ ସାଥିମାନଙ୍କୁ ନେଇ ମଧ୍ୟ ଚାପରେ ରହିଥାନ୍ତି । ପୁଣି ସେମାନଙ୍କର ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଧୂମପାନ, ନିଶା ପାନୀୟ ଆଦି ପରୋକ୍ଷରେ ହୃଦୟ ଉପରେ ଚାପ ସୃଷ୍ଟି କରିବା ସହ ହୃଦ୍‌ରୋଗର କାରଣ ହୋଇଥାଏ । କମ ସମୟରେ ଫିଟ୍ ହେବାକୁ ଚିନ୍ତା କରି ଆଜିର ଯୁବପିଢ଼ି ନିଜ ହୃଦୟ ଯାଞ୍ଚ ନ କରି ଜିମ୍ କୁ ଯାଇ ଅଧିକ ବ୍ୟାୟାମ କରନ୍ତି, ଯାହା ସେମାନଙ୍କ ଅଜାଣତରେ ତାଙ୍କ ପାଇଁ ବହୁ ଘାତକ ସାବ୍ଯସ୍ତ ହୋଇଥାଏ ।

ହୃଦରୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ନିତାନ୍ତ ଆବଶ୍ୟକ । ସାହସର ସହ ଏହି ରୋଗକୁ ମୁକାବିଲା କରିବାକୁ ପଡିବ । ସଚେତନତା ସୃଷ୍ଟି ହେଲେ ହିଁ ଏ ଦିଗରେ ସୁରକ୍ଷା ସୃଷ୍ଟି ହୋଇପାରିବ । ହୃଦରୋଗରୁ ମୁକ୍ତି ପାଇବାର ଏକ ସରଳ ଉପାୟ ହେଉଛି ଚାପମୁକ୍ତ ବା ଚିନ୍ତାମୁକ୍ତ ରହିବା । ଆସନ୍ତୁ ଆଜି ‘ବିଶ୍ୱ ହୃଦୟ ଦିବସ’ ଅବସରରେ ନିଜ ହାର୍ଟକୁ ସୁସ୍ଥ ରଖିବା ସହ ଅନ୍ୟମାନଙ୍କୁ ସୁସ୍ଥ ରଖିବା ଦିଗରେ ହୃଦୟରୁ ଚେଷ୍ଟା କରି ହୃଦୟବାନ ହେବା ।

Leave A Reply

Your email address will not be published.