ଆଜି ପବିତ୍ର ଭାଗବତ ଜନ୍ମ । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଏହାକୁ ମଧ୍ୟ ‘ଭାଗବତ ବଢ଼ା’ ମଧ୍ୟ କୁହାଯାଏ । ଭାଗବତର ଆଧ୍ୟାତ୍ମିକ ଦିଗଟି ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଆ ଭାଷାର ପ୍ରସାର, ଏକତା ଏବଂ ସଂସ୍କୃତିର ରକ୍ଷା । ସେଥିପାଇଁ ପୂର୍ବ କାଳରେ ପ୍ରତି ଗାଁରେ ରହିଥିଲା ଭାଗବତ ଟୁଙ୍ଗୀ । ପ୍ରତି ସନ୍ଧ୍ୟାରେ ଏହି ଟୁଙ୍ଗୀରେ ଭାଗବତ ପାଠ ହେଉଥିଲା । ଗାଁର ସମସ୍ତ ନରନାରୀ ଏକାଠି ବସି ପଣ୍ଡିତଙ୍କ ଠାରୁ ଭାଗବତ ପାଠ ଶୁଣୁଥିଲେ । ଅନେକ ନୈତିକ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକ ଅନେକ କଥା ଏଥିରେ ବର୍ଣ୍ଣନା କରାଯାଇଛି । ତେଣୁ ଓଡ଼ିଆ ଜାତିର ରକ୍ତରେ, ଚଳଣିରେ ସାମିଲ ହୋଇଯାଇଥିଲା ଭାଗବତ ।
ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ, ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ, ତାହା ହେଉଛି ‘ଶ୍ରୀମଦ୍ଭାଗବତ’। କିନ୍ତୁ କେଉଁ ସାତଦିନ ଶୁକଦେବ ତାହା ଶୁଣାଇଥିଲେ, ସେ ସଂପର୍କରେ ‘ଶ୍ରୀମଦ୍ଭାଗବତ’ରେ କୌଣସି ଉଲ୍ଲେଖ ନାହିଁ। କିନ୍ତୁ ବ୍ୟାଖ୍ୟାକାରମାନଙ୍କ କଥନରେ ଏବଂ ଲୋକ ପରମ୍ପରାରେ ପ୍ରଚଳିତ ଅଛି, ଯେ ରାଜା ପରୀକ୍ଷିତଙ୍କୁ ଶୁକମୁନି ଭାଦ୍ରବ ଶୁକ୍ଳ ନବମୀ ଦିନ ଭଗବାନଙ୍କର ସେହି ଅମୃତ ଆଖ୍ୟାନ ଶୁଣାଇବା ଆରମ୍ଭ କରିଥିଲେ ଏବଂ ତାହା ଭାଦ୍ରବ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ହୋଇଥିଲା। ସେଇଥିପାଇଁ ସମ୍ଭବତଃ, ଭାଦ୍ରବ ପୂର୍ଣ୍ଣମୀ ଭାଗବତ ଜନ୍ମର ପୁଣ୍ୟ ତିଥି ରୂପେ ପାଳିତ ହୋଇ ଆସୁଛି।
ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ବିଶେଷ ଆଦୃତ ହୋଇପାରିନଥିଲା । ତଥାପି ଶ୍ରୀମନ୍ଦିର ପରିସରରେ ଏହାର ପ୍ରତି ସନ୍ଧ୍ୟାରେ ପାଠ କରାଯାଉଥିଲା । ତେବେ ଏହାକୁ ଜଗନ୍ନାଥ ଦାସ ଓଡ଼ିଆରେ ଲେଖିବା ପରେ ଭାଗବତ ଘରେ ଘରେ ପରିଚିତ ହୋଇଗଲା । ବୋଧହୁଏ ଏମିତି କୋଉ ଓଡ଼ିଆ ଘର ନଥିବ ଯେଉଁଠି ଭାଗବତ ଖଣ୍ଡିଏ ନଥିବ । ଠିକ୍ ଯେମିତି ଦେବତାଙ୍କୁ ମର୍ଯ୍ୟାଦା ଓ ସମ୍ମାନ ତଥା ଭକ୍ତି କରାଯାଏ ସେହିଭଳି ଭାଗବତକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରାଯିବା ପରେ ତାକୁ ପାଠ କରାଯାଏ । କୁହାଯାଏ ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଏହା ବାରଟି ଖଣ୍ଡରେ ଲେଖା ଯାଇଛି । ପ୍ରତି ଖଣ୍ଡରେ ୧୦ ରୁ ୩୦ଟି ଅଧ୍ୟାୟ ରହିଛି । ପ୍ରତି ଅଧ୍ୟାୟରେ ରହିଛି ୫୦ରୁ ୩୦୦ ଛନ୍ଦ । ଜଗନ୍ନାଥ ଦାସଙ୍କୁ ଶ୍ରୀ ଚୈତନ୍ୟ ଦେବ ଅତିବଡ଼ୀ ଉପାଧି ଦେଇଥିଲେ ।