Latest Odisha News

ଫଟୋଚିତ୍ର ପ୍ରଦର୍ଶନୀରେ ରଥଖଳା କହୁଛି ରଥ ନିର୍ମାଣର କାହାଣୀ

ପୁରୀ : ଭକ୍ତ-ଭଗବାନ ଅପୂର୍ବ ମିଳନ ପାଇଁ ଏ ରଥ ଯାତ୍ରାର ମୁଖ୍ୟ ରଥ ନିର୍ମାଣ କାର୍ଯ୍ୟ ପାଇଁ ରଥ ମହାରଣାଙ୍କ ହୃଦୟ ରେ ଭକ୍ତି ଓ ମନରେ ଶ୍ରଦ୍ଧା ରହିବା ଆବଶ୍ୟକ। ପ୍ରଭୁଙ୍କ ଦିବ୍ୟ ଲୀଳାର ମାଧ୍ୟମ ରଥ ନିର୍ମାଣ କଳା କୌଶଳ ବାସ୍ତବିକ ଅନନ୍ୟ। ଏହି ଅନନ୍ୟ କଳାକୃତିର ଝଲକ ଦେଖିବାକୁ ମିଳୁଛି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ଶ୍ରୀପଞ୍ଚମୀରୁ ପ୍ରସ୍ତୁତ ହୁଅନ୍ତି ରଥ-ପଥ-ଜଗନ୍ନାଥ । ନାବାଳକ ଠାରୁ ଆରମ୍ଭ କରି ଶତାୟୁ ବିଶ୍ୱକର୍ମା ସେବକମାନଙ୍କ ଯାଦୁକରୀ ହାତର ସ୍ପର୍ଶରେ ପ୍ରଥମେ ପ୍ରସ୍ତୁତ ହୁଅନ୍ତି ରଥତ୍ରୟ । ରଥକାଠ ଆସି ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରର ଆଜ୍ଞାମାଳ ସହିତ ପୂଜାବିଧି ପରେ ଆରମ୍ଭ ହୁଏ ରଥକାଠ ଚିରଟ ପ୍ରକ୍ରିୟା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱକର୍ମା ସେବକମାନେ ପାରମ୍ପରିକ ଯନ୍ତ୍ରପାତି ବ୍ୟବହାର କରି ଅତି ନିଷ୍ଠାର ସହିତ ବିଭିନ୍ନ ତିଥି ଅନୁସାରେ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ଏବଂ ସମାପନ ମଧ୍ୟ କରନ୍ତି । ଏହାକୁ ଅତି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି।ଫଟୋଚିତ୍ରରେ ଦେଖିବାକୁ ମିଳୁଛି ପରିବାରର ବୟୋଜ୍ୟେଷ୍ଠଙ୍କ ତତ୍ତ୍ୱାବଧାନରେ ଜଣେ ରୂପକାର ନାବାଳକ ବିଶ୍ୱକର୍ମା ନିଜ ନିହଣ ହାତୁଡି ଧରି କାଠରେ ଖୋଦେଇ କରୁଛି ବିଭିନ୍ନ ପାରମ୍ପରିକ ମୂର୍ତ୍ତି, ତ ଆଉ କେଉଁଠାରେ ଦେଖିବାକୁ ମିଳୁଛି ଜଣେ ଶତାୟୁ ଭୋଇ ସେବକଙ୍କ ଦ୍ୱାରା ରଥ ନିର୍ମାଣ ପାଇଁ ବ୍ୟବହୃତ ଲୌହ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ । ସେହିପରି ଚିତ୍ରକାର ସେବକ ମଧ୍ୟ ମନେମନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚିନ୍ତନ କରୁଛି ‘ଅନନ୍ତ ସୃଷ୍ଟିର ତୁମେ ଚିତ୍ରକର, ବିଶାଳ ଧରିତ୍ରୀର ତୁମେ ଆଧାର, ଅବତାରୀ ପୁରୁଷ ତୁମେ ଦଶ ଅବତାର, ତୁମେ ମଧ୍ୟ କରୁଣା ସାଗର’ ଏବଂ ଆକର୍ଷଣୀୟ ରଙ୍ଗରେ ସୁଚିତ୍ରିତ କରୁଛି ରଥର ବିଭିନ୍ନ ଅଂଶକୁ । କେଉଁଠାରେ ଦେଖିବାକୁ ମିଳୁଛି ଦରଜୀ ସେବାକାର ଯାଦୁକରୀ ସିଲେଇ କାର୍ଯ୍ୟ ତ ଆଉ କେଉଁଠାରେ ଅଖ-ଚକ ଡେରା କାର୍ଯ୍ୟ ।

ଏହି ପ୍ରଦର୍ଶନୀକୁ ଅତ୍ୟନ୍ତ ଆଗ୍ରହର ସହିତ ଦର୍ଶକମାନେ ଉପଭୋଗ କରୁଛନ୍ତି।

 

 

 

 

 

Comments are closed.