Latest Odisha News

BREAKING NEWS

ରଙ୍ଗ୍ ରୁଟ୍ ଡ଼୍ରାଇଭିଂ ପାଇଁ ଦଣ୍ଡିତ ହେଲେ ଡ଼୍ରାଇଭର; ଚାଲାଣ ନେଲା ବେଳେ ଦେଲେ ଫଟୋ ପୋଜ

ବେଙ୍ଗାଲୁରୁ: ପ୍ରତ୍ୟେକ ରାଜ୍ୟରେ ଆଜିକାଲି ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଯାଇଛି । ଯଦି କେହି ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯେମିତି କି ଘରକୁ ଚାଲାଣ ପଠାଯାଇ ଜରିମାନା ଆଦାୟ କରାଯାଉଛି । ଯଦି କାହାର ପୋଲିସ ବା ପରିବହନ ବିଭାଗ ଚାଲାଣ କାଟେ ବ୍ୟକ୍ତି ଜଣକ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରନ୍ତି । କାରଣ ସେ ଅନୁଭବ କରନ୍ତି ଯେ, ସେ ଭୁଲ୍ କରିଛନ୍ତି ଅନ୍ୟ କେହି ଜାଣିବା ଉଚିତ୍ ନୁହେଁ । କିନ୍ତୁ ଏବେ ବେଙ୍ଗାଲୁରୁର ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଜଣେ ବସ୍ ଡ୍ରାଇଭରଙ୍କ ଚାଲାଣ କାଟିଛି । ଏହି ଚାଲାଣକୁ ପୋଲିସ କର୍ମଚାରୀ ଜଣକ ଉକ୍ତ ଡ଼୍ରାଇଭରଙ୍କୁ ଦେବା ସମୟରେ ହସି ହସି ଗ୍ରହଣ କରିବା ସହ ଫଟୋ ପୋଜ ଦେଉଥିବା ଦେଖିବାକୁ ମିଳିଛି । ଏହି ଫଟୋ ଦେଖିଲେ ଲାଗୁଛି ଡ଼୍ରାଇଭର ଜଣକ କୌଣସି ଭଲ କାମ ପାଇଁ ସମ୍ମାନିତ କରାଯାଉଛି ।

ନିକଟରେ ବେଙ୍ଗାଲୁରୁର ଗରୁଡାଚାର୍ପାଲିଆ ମେଟ୍ରୋ ଷ୍ଟେସନ ନିକଟ ବ୍ୟସ୍ତବହୁଳ ରାସ୍ତାରେ ଜଣେ ସ୍କୁଲ ବସ୍ ଡ୍ରାଇଭର ଭୁଲ ୟୁ- ଟର୍ନ କରୁଥିଲେ । ଫିକ୍ସ ବାଙ୍ଗାଲୋର ପ୍ଲସ୍ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସମୟର ଏକ ଭିଡ଼ିଓ ସେୟାର କରାଯାଇଥିଲା । ବିଦ୍ୟାଳୟକୁ ଟ୍ୟାଗ୍ କରି ଉପଭୋକ୍ତା ଲେଖିଛନ୍ତି, ଛାତ୍ରମାନଙ୍କୁ ନେଇ ଆପଣଙ୍କ ସ୍କୁଲ୍ ବସ୍ ବ୍ରିଗେଡ୍ ମେଟ୍ରୋପଲିସ୍ ଠାରୁ ଗରୁଡାଚାର୍ପାଲିଆ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ରଙ୍ଗ୍‌ରୁଟ୍‌ରେ ଯାଉଛି । ଏଥିସହିତ ବାଙ୍ଗାଲୋର ଟ୍ରାଫିକ ପୋଲିସକୁ ଟ୍ୟାଗ କରି ସେ ବସ୍ ନମ୍ବର ମଧ୍ୟ ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କାରଣ ଏହା ଅନେକ ପିଲାଙ୍କ ଜୀବନକୁ ବିପଦରେ ପକାଇ ଦେଇପାରେ । ଅନ୍ୟ କେତେକ ଉପଭୋକ୍ତା ମଧ୍ୟ ଏହି ଭିଡିଓ ସେୟାର କରିଥିଲେ ଯେଉଁଥିରେ ସ୍କୁଲ ବସ୍ ଏକ ବିପଜ୍ଜନକ ୟୁ- ଟର୍ନ ନେଉଥିଲା । ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏହାକୁ ଦେଖି ମହାଦେବପୁରା ଟ୍ରାଫିକ ବିଭାଗ ଏକ ଫଟୋ ପୋଷ୍ଟ କରିଛି । ଏଥିରେ ଜଣେ ପୋଲିସ କର୍ମଚାରୀ ବସ୍ ଡ୍ରାଇଭରଙ୍କୁ ଚାଲାଣ ଦେଉଥିବାର ନଜର ଆସିଛନ୍ତି । ଲେଖିଛନ୍ତି – ବସ୍ ଡ୍ରାଇଭରକୁ ଜରିମାନା କରାଯାଇଛି । ଏହା ପରେ ଲୋକମାନେ ଆହୁରି ଉତ୍ତେଜିତ ହୋଇଛନ୍ତି । କାରଣ ଫଟୋରୁ ଲାଗୁଥିଲା ଯେ ସେହି ଡ୍ରାଇଭରକୁ ପୁରସ୍କାର ଦିଆଯାଉଛି ।

ଏହି ଫଟୋଟି ଖୁବ୍ ଭାଇରାଲ ହେବା ପରେ ଲୋକମାନେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି । ବସ୍ ଡ୍ରାଇଭରଙ୍କୁ ତାଙ୍କର ଉତ୍ତମ କାମ ପାଇଁ ପୁରସ୍କୃତ କରାଯାଇଛି କି? ବୋଲି ଅନେକ ମତ ଦେଇଥିବା ବେଳେ ଆଉ କିଛି ଲେଖିଛନ୍ତି ଲାଗୁଛି ଯେ ଏକ ନୂତନ ମଡେଲ ଯାନର ପ୍ରଥମ ବିକ୍ରିର ଚାବି ହସ୍ତାନ୍ତର କରାଯାଉଛି । ଡ୍ରାଇଭର ପୁରସ୍କାର ଗ୍ରହଣ କରୁଛନ୍ତି, ଯେପରି ଅମିତାଭ ବଚ୍ଚନ ତାଙ୍କୁ ପୁରସ୍କାର ଦେଉଛନ୍ତି ବୋଲି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.