ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍ ଲାଇନ୍ ସଂଯୋଗ ହୋଇଥିବା ସତ୍ତ୍ଵେ ଲୋକଙ୍କୁ ପାଣି ମିଳୁନଥିବା ବେଳେ ଏବେ ବି ଅନେକ ୱାର୍ଡରେ ଲୋକଙ୍କ ଘରକୁ ପାଇପ୍ ପାଣି ସଂଯୋଗ ହୋଇନଥିବା ଅଭିଯୋଗ ହେଉଛି ।
ରାଜ୍ୟ ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ଅନେକ ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି । ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ଵରେ ଥିବା ସଂସ୍ଥା କର୍ମଚାରୀଙ୍କୁ ଘରକୁ ଘର ପଠାଇ ହିତାଧିକାରୀଙ୍କ ଠିକଣା ଯୋଗାଡ଼ କରୁଥିବା ବେଳେ ଜନସାଧାରଣଙ୍କୁ ଉପଯୁକ୍ତ ଜଳ ଯୋଗାଣ ନକରି ହିତାଧିକାରୀଙ୍କ ନିକଟରୁ ବିଭାଗ ପକ୍ଷରୁ ଟିକସ ଆଦାୟ ପାଇଁ ଜୁଲୁମ୍ କରାଯାଉଛି ।
ବାଲିଗୁଡ଼ାରେ ସହରାଞ୍ଚଳ ଜଳ ଯୋଗାଣ କାର୍ଯ୍ୟାଳୟ ନଥିବା ହେତୁ ଲୋକେ ନିଜ ସମସ୍ୟା ବିଷୟରେ କାହାକୁ ଜଣାଇ ପାରୁନାହାନ୍ତି । ଅନ୍ୟପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ସହରର ସମସ୍ତ ସୁବିଧା ଅସୁବିଧା ବୁଝିବା କଥା କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଜଣେ ଅନ୍ୟ ଜଣକ ମୁଣ୍ଡରେ ଦୋଷ ଲଦି ଚାଲିଛନ୍ତି କିନ୍ତୁ ଅଞ୍ଚଳବାସୀଙ୍କ ସମସ୍ୟାକୁ କେହି ଧ୍ୟାନ ଦେଉନାହାନ୍ତି ।
ଏବେ ଖରାଦିନ ଆରମ୍ଭ ହୋଇଥିବା ବେଳେ ବାଲିଗୁଡ଼ା ସହରରେ ପାନୀୟ ଜଳ ଅଯଥା ବହି ଯାଉଛି ସିନା ଲୋକଙ୍କୁ ମିଳୁନି । ରାଜ୍ୟ ସରକାର ପ୍ରତି ଘରକୁ ଦିନ ରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ବେଳେ କ’ଣ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ରହିବୁ ବୋଲି ଲୋକେ ପ୍ରଶ୍ନ କଲେଣି । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଜନ ଆନ୍ଦୋଳନ ହେବ ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।
Comments are closed.