Latest Odisha News

BREAKING NEWS

କଟକ ସହରରୁ ଉଠିଯିବ ମାଲଗୋଦାମ: କାହିଁକି ଉଠିବ ଏବଂ କେଉଁଠିକୁ ଯିବ, ଜାଣନ୍ତୁ ପୂରା ବିବରଣୀ

କଟକ:କଟକ ସହରର ପରିଚୟ…ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି ।

ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ ସଂଖ୍ୟା ବି ବଢୁଛି । ହେଲେ ଏଇ ପୁରୁଣା ମାଲଗୋଦାମ ବ୍ୟବସ୍ଥିତ ଭାବେ ହୋଇ ନାହିଁ । ତେଣୁ ଏହାର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି ।ନୂଆ ମାଲଗୋଦାମ ପାଇଁ  ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ପ୍ରସ୍ତାବ ଦିଆଯିବ ।

ଇତିହାସରୁ ଯାହା ଜଣଯାଏ ନଅଙ୍କ ଦୁର୍ଭିକ୍ଷ ସମୟରେ କଟକରେ ମାଲଗୋଦାମ ପ୍ରାୟ ୬୦ ଏକର ଜମିରେ ବସିଥିଲା । ପ୍ରଥମେ ୫ଟି ଗୋଦାମ ଏବଂ ୧୫ଟି ଦୋକାନ ଥିଲା । ଏବେ ସେଠାରେ ଗୋଦାମ ଓ ଖୁଚୁରା ଦୋକାନ ମିଶି ୭୮୦ ହେବ । ଦୈନିକ ୨୦ କୋଟି ଟଙ୍କାର କାରବାର ହେଉଛି ଏଠାରେ । ୪ ହଜାର ଲୋକଙ୍କ ଚଳପ୍ରଚଳ ନିତିଦିନ ହେଉଛି । ଛତିଶଗଡ, ତାମିଲନାଡୁ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରରୁ ୫୦ରୁ ୬୦ ଟ୍ରକ ଆସୁଛି ଏଠାକୁ । ଓଡ଼ିଶାର ପ୍ରାୟ ଦେଢଶହରୁ ଅଧିକ ଟ୍ରକ ମାଲଗୋଦାମ ଭିତରକୁ ପ୍ରବେଶ କରୁଛି ।

ସବୁ ବଢିଛି । ହେଲେ ମାଲଗୋଦାମର କଳେବର ବଢିନି । ଫଳରେ ଭିଡ ଅଣାୟତ୍ତ ହୋଇ ପଡୁଛି । ଗୋଟିଏ ଗାଡିରୁ ମାଲ ଅନଲୋଡ କରିବା ପାଇଁ ୨ରୁ ୩ ଦିନ ଲାଗି ଯାଉଛି । ସେତିକି ନୁହେଁ, ବର୍ଷା ଦିନେ ଏଠାରୁ ଜଳ ନିଷ୍କାସନ ବି  ଏକ ବଡ ସମସ୍ୟା ହୋଇଛି । ଜଳବନ୍ଦୀ ଯୋଗୁ ଥରକେ ୮ରୁ ୧୦ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସମାଗ୍ରୀ ନଷ୍ଟ ହେଉଛି । ତେଣୁ ଏହାର ସମାଧାନ ପାଇଁ ବ୍ୟବସାୟୀମାନେ ସିଏମସିକୁ ଅନୁରୋଧ କରିଥିଲେ ।

ତେବେ ମାଲଗୋଦାମ ଉଠିଲେ, କେବଳ ଖୁଚୁରା ବ୍ୟବସାୟୀମାନେ ମାଲଗୋଦାମରେ ରହିବେ । ୨୦୦ ଛୋଟ ଗୋଦାମ ଓ ୧୦୦ ବଡ ଗୋଦାମକୁ ସ୍ଥାନାନ୍ତର କରାଯିବ ।  ନୂଆ ବ୍ୟବସାୟ ପ୍ରତିଷ୍ଠାନରେ ଗୋଟିଏ ସ୍ଥାନର; କାଉଣ୍ଟର ସହିତ ଗୋଦାମ, ଅଫିସ ନିର୍ମାଣ ହେବ । ରାଜ୍ୟ ଭିତରୁ କିମ୍ବା ବାହାରୁ ଆସୁଥିବା ଗାଡି ସିଧା ଗୋଦାମରେ ଲାଗିବ । ଶ୍ରମିକଙ୍କ ବିଶ୍ରାମ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିବ ।

ଧାନ, ମୁଗ, ବିରି, କୋଳଥ ଇତ୍ୟାଦି ପାଇଁ ମଣ୍ଡି ବ୍ୟବସ୍ଥା ବି ଏଠାରେ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାକୁ  ବ୍ୟବସାୟୀ ସଂଘ ପ୍ରସ୍ତୁତ ହେଉଛନ୍ତି ।

Leave A Reply

Your email address will not be published.