ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା;ଆସନ୍ତାକାଲି ଉତ୍କଳ ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ, ମୟୂରଭଞ୍ଜ ସହ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ବର:ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ସାମ୍ପ୍ରତିକ ବନ୍ୟାସ୍ଥିତିକୁ ନଜରରେ ରଖି କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବନ୍ଦ କରାଯାଇଛି । ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସୋମବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।
ସୂଚନାଥାଉକି, ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସମସ୍ତ ଡିଗ୍ରୀ କଲେଜରେ ଆସନ୍ତାକାଲି ଅର୍ଥାତ୍ ୧୭ ଅଗଷ୍ଟ (ସୋମବାର)ରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ତିନି (+୩) ୪ର୍ଥ ସେମିଷ୍ଟାର୍ର ସମସ୍ତ ନିର୍ଦ୍ଧାରିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ବିଶେଷ କରି ତଳିଆ ଅଞ୍ଚଳରେ ପାଣି ଜମି ରହିବା ଏବଂ ଅନେକ ଜିଲ୍ଲାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଥିଲା । ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ କର୍ତ୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସ୍ଥଗିତ ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଖୁବ୍ଶୀଘ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷଣା କରାଯିବ ।
ସେହିପରି ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ବିଦ୍ୟାଳୟରେ ୧୭ ତାରିଖରେ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ତା. ୧୭.୦୮.୨୦୨୬ (ସୋମବାର) ଦିନ ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ବିଦ୍ୟାଳୟ ଗୁଡିକରେ ଛୁଟି ଘୋଷଣା କରାଯାଇଛି।
ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ପାଇଁ ସୋମବାର ଜିଲ୍ଲାର ସମସ୍ତ ସ୍କୁଲ (୧ମରୁ ଦ୍ଵାଦଶ) ବନ୍ଦ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଘୋଷଣା କରିଛନ୍ତି। ଏଥିସହ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିବା ପରେ କେନ୍ଦୁଝର ଜିଲ୍ଲାପାଳ ସୋମବାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ,କଲେଜକ ସହିତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।


Comments are closed.