Latest Odisha News

BREAKING NEWS

Lata Mangeskar Birth Anniversary: ସୁରସାମ୍ରାଜ୍ଞୀ ଲତାଙ୍କୁ ଝୁରୁଛି ଆଜି ପୁରା ଦେଶ

ନୂଆଦିଲ୍ଲୀ: ଆଜି ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ସୁରସମ୍ରାଜ୍ଞୀ ଲତାଙ୍କ ଦେହାନ୍ତକୁ ଇତି ମଧ୍ୟରେ ଦେଢ ବର୍ଷ ହୋଇଗଲାଣି । ମାତ୍ର ଆଜି ସବୁ ଭାରତୀୟଙ୍କ ମନରେ ବଞ୍ଚି ରହିଛି ତାଙ୍କର ସେଇ ସୁର । ୧୯୨୯ ମସିହା ଆଜିର ଦିନରେ ହିଁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ ଲତା ।

ବଲିଉଡର କୋକିଳ କଣ୍ଠୀ ଲତାଙ୍କ କାଳଜୟୀ ଗୀତ ଏବେବି ସ୍ରୋତାଙ୍କ କାନରେ ବାଜେ । ପ୍ରାୟ ୩୦ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି ଲତା । ୫ ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ପରିବେଷଣ କରିପାରିଛନ୍ତି । ମୁଗଲ-ଏ-ଅଜାମ ଫିଲ୍ମର କୋରସ ଗୀତ ‘ମୋହେ ପନଘଟ୍ ପେ ନନ୍ଦଲାଲ୍’ ଆଜି ବି ଦର୍ଶକଙ୍କ ମନକୁ ଛୁଇଁଥାଏ । ସେହିପରି ୧୯୬୪ର ‘ଲଗ୍ ଜା ଗଲେ’ ଗୀତଟି ବହୁତ ଲୋକପ୍ରୟ ହୋଇଥିଲା । ଦେଶ ଭକ୍ତି ଗୀତକୁ ନୂଆ ମୋଡ ଦେଇଥିଲେ ଲତା । ୧୯୬୩ ମସିହାରେ ନୂଆ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ‘ଏ ମେରେ ବତନ୍ କେ ଲୋଗୋ’ ଗୀତ ଗାଇ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ଲତା ।

ସତ୍ୟମ ଶିବମ୍ ସୁନ୍ଦରମ୍, ଭୋର ଭୟେ ପନଘଟ ପେ, ରୈନା ବିତି ଯାଏ, ଓ ଦିଲ ଏ ନାଦାନ, ଦିଲ ତୋ ପାଗଲ ହେ ଆଦି ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଗୀତ ଗାଇଥିବା ଲତା ୧୯୬୯ରେ ପଦ୍ମ ଭୂଷଣ, ୧୯୯୯ରେ ପଦ୍ମ ବିଭୂଷଣ , ୨୦୦୧ରେ ଭାରତରତ୍ନ ଓ ୧୯୯୦ରେ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମଧୁବାଲାଠୁ ମୀନାକୁମାରୀ, ମାଧୁରୀ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ସେ କଣ୍ଠଦାନ କରିଥିବା ବେଳେ ମୁକେଶ, ମାନା ଡେ, ମହେନ୍ଦ୍ର କପୁର, ମହମ୍ମଦ ରଫି, କିଶୋର କୁମୀର, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଆରଡି ବର୍ମନ, କୁମାର ସାନୁ, ଉଦିତ ନାରାୟଣ, ହରିହରନ, ସୁରେଶ ୱାଡେକର, ଅଭିଜିତ୍ ଭଟ୍ଟାଚାର୍ୟ୍ୟ, ସୋନୁ ନିଗମ ଭଳି ଗାୟକଙ୍କ ସହ ଡୁଏଟ ଗୀତ ଗାଇଛନ୍ତି । ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ, ଗଜଲ, କବାଲି, ଶାସ୍ତ୍ରୀୟ, ଦେଶାତ୍ମକବୋଧକ ସବୁ ପ୍ରକାର ଗୀତରେ ନିଜ କଣ୍ଠଦାନ କରିଛନ୍ତି ଲତା । ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦି ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି ।

ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଲତା ୬ ଫେବୃଆରୀ ୨୦୨୨ରେ ଦେହ ତ୍ୟାଗ କରିଥିଲେ । ଲତା ଜୀଙ୍କର ଦେହାନ୍ତରେ ସମଗ୍ର ଦେଶ ସ୍ଚବ୍ଧ ହୋଇଯାଇଥିଲା ଏବଂ ଓଦା ଆଖିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଜି ତାଙ୍କର ୯୪ତମ ଜନ୍ମବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆଦି ତାଙ୍କୁ ସ୍ମରଣ କରି ତାଙ୍କ ନାମରେ ଶ୍ରଦ୍ଧାଞ୍ଜଳି ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.