ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ଏକ ବିରଳ ସମ୍ମାନ। ଭାରତ ମହାସାଗରର ଏକ କ୍ଷୁଦ୍ର କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପରାଷ୍ଟ୍ର ‘ସେଶେଲ୍ସ’ ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ବିଭୂଷିତ କରିଛି ପ୍ରଧାନମନ୍ତ୍ରୀଙ୍କୁ। ମୋଦିଙ୍କୁ ମିଳିଛି ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ବା ‘ନୀଳ ଦିଗବଳୟର ରକ୍ଷକ’ ଉପାଧି। କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ ସେଶେଲ୍ସ କାହିଁକି ମୋଦୀଙ୍କୁ ନିଜର ସବୁଠୁ ବଡ଼ ନାଗରିକ ସମ୍ମାନ ଦେବାକୁ ଆଗେଇ ଆସିଲା? କେଉଁ ରହସ୍ୟ ଲୁଚି ରହିଛି ଏହି ସମ୍ମାନ ପଛରେ?
ପରିବେଶ ସୁରକ୍ଷା ଏବଂ ସବୁଜ ବିକାଶ କ୍ଷେତ୍ରରେ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ସ୍ୱୀକୃତି ଦେଇ ସେଶେଲ୍ସ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଅକ୍ଷୟ ଶକ୍ତିର ବ୍ୟବହାର ଏବଂ ସାଗରୀୟ ସମ୍ପଦର ସୁରକ୍ଷା ପାଇଁ ଭାରତ ଯେଉଁଭଳି ଭାବେ ବିଶ୍ୱ ମଞ୍ଚରେ ଆଗଧାଡ଼ିର ଭୂମିକା ଗ୍ରହଣ କରୁଛି, ଏହା ସେଇ ସଫଳତାର ଆଉ ଏକ ପ୍ରମାଣ। କେବଳ ଆର୍ଥିକ ପ୍ରଗତି ନୁହେଁ, ବରଂ ପ୍ରକୃତିର ସନ୍ତୁଳନ ରକ୍ଷା କରି କିଭଳି ଆଗକୁ ବଢ଼ିହେବ, ସେହି ମନ୍ତ୍ରକୁ ମୋଦୀ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି।
ଏହା କୌଣସି ପ୍ରଥମ ଘଟଣା ନୁହେଁ। ପୃଥିବୀକୁ ସବୁଜ ଓ ସୁରକ୍ଷିତ ରଖିବା ପାଇଁ ମୋଦିଙ୍କ ପ୍ରୟାସକୁ ପୂର୍ବରୁ ମଧ୍ୟ ଅନେକ ଆନ୍ତର୍ଜାତୀୟ ମଞ୍ଚରେ ସଲାମ କରାଯାଇଛି:
୨୦୧୮ (ଚାମ୍ପିଅନ୍ସ ଅଫ୍ ଦି ଆର୍ଥ): ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରି ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ପାଇଥିଲେ।
୨୦୧୮ (ସିଓଲ ଶାନ୍ତି ପୁରସ୍କାର): ବିଶ୍ୱ ସହଯୋଗ ଏବଂ ସମସ୍ତଙ୍କୁ ସାଥିରେ ନେଇ ସନ୍ତୁଳିତ ବିକାଶର ନୂଆ ମଡେଲ ପାଇଁ ଏହି ସମ୍ମାନ ମିଳିଥିଲା।
୨୦୨୬ (ଆଗ୍ରିକୋଲା ମେଡାଲ): ଚଳିତ ବର୍ଷ ମେ ମାସରେ ମଧ୍ୟ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ କୃଷି କ୍ଷେତ୍ରରେ ସଂସ୍କାର ଏବଂ ଖାଦ୍ୟ ସୁରକ୍ଷା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।
ନୀଳ ସମୁଦ୍ରର ଅସୀମ ସମ୍ଭାବନାକୁ ବଞ୍ଚାଇ ରଖିବା ପାଇଁ ଭାରତର ପଦକ୍ଷେପ ଆଜି ସେଶେଲ୍ସ ଭଳି ସାଗର ପାରିର ଦେଶକୁ ଆକର୍ଷିତ କରିଛି। ସେଶେଲ୍ସରୁ ମିଳିଥିବା ଏହି ‘ବ୍ଲୁ ହରାଇଜନ୍’ ସମ୍ମାନ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ପରିବେଶ ରକ୍ଷାର ଜଣେ ମହାମାନ୍ୟ ନାୟକ ଭାବେ ପୁଣି ଥରେ ପ୍ରତିଷ୍ଠିତ କରିଛି।
Comments are closed.