Latest Odisha News

BREAKING NEWS

ପୁରୀରୁ ହାୱଡ଼ା ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ; ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ପୁରୀ:  ଦୀର୍ଘଦିନର ପ୍ରତିକ୍ଷା ପରେ ଶେଷରେ ପୁରୀରୁ ଗଡିଲା ବନ୍ଦେ ଭାରତ ଟ୍ରେନ ।  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଆଜି ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ (22895/22896)କୁ ଲୋକାର୍ପଣ କରିଛନ୍ତି । ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ-ହାଓଡା ଗଡିଛି । ୮ ହଜାର କୋଟି ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଏକ୍ସପ୍ରେସ ଟ୍ରେନ ମାତ୍ର ୬ଘଣ୍ଟାରେ ପୁରୀରୁ  ହାୱାଡାରେ ପହଞ୍ଚିବ  ।

ଉଦଘାଟନୀ ଉତ୍ସବରେ ପୁରୀ ଷ୍ଟେସନରେ ଉପସ୍ଥିତ ଥିଲେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବନ୍ଦେ ଭାରତ ଏକ୍ସପ୍ରେସ ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।  ଟ୍ରେନର ସବୁ କୋଚ୍ ଏସି । ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ରହିଛି ।

ସୂଚନାଥାଉ କି, ଏହି ଟ୍ରେନ ଗୁରୁବାରକୁ ଛାଡ଼ି ସପ୍ତାହକୁ ୬ ଦିନ ଚଳାଚଳ କରିବ ଏବଂ ଏଥିରେ ୭ଟି ଷ୍ଟପେଜ୍ ରହିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୬ଟି ବଗି ବିଶିଷ୍ଟ ଏହି ଟ୍ରେନ୍ ସକାଳ ୬ଟା ୧୦ରେ ପଶ୍ଚିମବଙ୍ଗର ହାଓ୍ୱଡାରୁ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ଏହା ପରେ ପୁରୀରୁ ଅପରାହ୍ନ ୧ଟା ୫୦ରେ ବାହାରି ରାତି ୮ଟା ୩୦ରେ ହାଓ୍ୱଡ଼ାରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଏହି ଟ୍ରେନ କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଓ ଖଡଗପୁର ଷ୍ଟେସନରେ ଅଟକିବ। ଏହି ଟ୍ରେନ୍ ପ୍ରତି ଷ୍ଟେସନରେ ଦୁଇ ମିନିଟ୍ ରହଣି କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।   ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ।

Leave A Reply

Your email address will not be published.