Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିଲେ ନିର୍ବାଚନ ବନ୍ଦ କରିଦେବେ: ମମତା

କୁଚବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେଉଁ ନେତାମାନେ ସର୍ବଦା ସମାଲୋଚନା କରିଥାଆନ୍ତି ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଆଶଙ୍କା ପ୍ରକାଶ କରି କହିଛନ୍ତି, ମୋଦୀ ସମସ୍ତଙ୍କ ଲାଗି ଏହି ନିର୍ବାଚନ କରୁଛନ୍ତି, ଯଦି ପୁଣିଥରେ ସେ କ୍ଷମତାକୁ ଆସିବେ ତେବେ ଏକ ଅଧିନାୟକତ୍ୱବାଦୀ ଶାସନ କରିବା ଆରମ୍ଭ କରିଦେବେ ।

ଉତ୍ତର ବଙ୍ଗଳାରେ ଗୁରୁବାର ଦିନ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ, ଯେଉଠାରେ କି ଆସନ୍ତା ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ମମତା କହିଛନ୍ତି, ସମଗ୍ର ଦେଶରେ ମୋଦୀ ୧୨୫ଟି ଆସନ ଅକ୍ତିଆର କରିବା ଅସମ୍ଭବ ।

ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଏହି ‘ଏକ୍ସପାଏରୀ ବାବୁ’ ଦେଶର ଉତ୍ତର ଓ ମଧ୍ୟ ଭାଗରେ ପରାସ୍ତ ହେବେ, ଏହାଫଳରେ ଆଗାମୀ ଲୋକସଭା ନିର୍ବାଚନ ହାରିଯିବେ ମୋଦୀ ଓ ତାଙ୍କ ଦଳ ।

ମମତା ଏହି ନିର୍ବାଚନୀ ସଭାରେ ଭାଷଣ ଦେଇ କହିଛନ୍ତି ଯେ, ସେ (ମୋଦୀ) ପୁନର୍ବାର କ୍ଷମତାକୁ ଆସିବା ଦେଶ ଲାଗି ବିପଦ । ପୁନର୍ବାର କ୍ଷମତାକୁ ଆସିବା ଦ୍ୱାରା ମୋଦୀ ଡ଼ଃ ବିଆର ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ ଫୋପାଡ଼ି ଦେବେ, ଏବଂ ଏହି ଗଣତାନ୍ତ୍ରୀକ ରାଷ୍ଟ୍ରକୁ ଅଧିନାୟକବାଦୀ ଦେଶରେ ପରିଣତ କରିଦେବେ । ତେଣୁ ସେ ଯଦି ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ଏହା ହେବ ଦେଶର ଅନ୍ତିମ ନିର୍ବାଚନ ।

“ନରେନ୍ଦ୍ର ମୋଦୀ ଲୋକଙ୍କୁ ଲୁଟିବା ଲାଗି, ଦଙ୍ଗା କରିବା ଲାଗି ତଥା ମାରିବାର ମନ୍ତ୍ର ପାଳନ କରୁଛନ୍ତି । ସେ ସମସ୍ତଙ୍କୁ ଧମକ ପ୍ରଦାନ କରୁଛନ୍ତି । ଆମ ସମସ୍ତଙ୍କ ରାଜନୈତିକ ଭାଷଣବାଜୀରେ ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛନ୍ତି,” ବୋଲି ମମତା ତାଙ୍କର ଏହି ନିର୍ବାଚନୀ ସଭାରେ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଆସାମରେ ନାଗରିକଙ୍କ ରେଜିଷ୍ଟାର ପରି ଭାଜପା ଦ୍ୱାରା ଅଣା ଯାଇଥିବା ନାଗରିକତା ସଂଶୋଧନ ବିଧେୟକ ଦେଶର ଆଇନ ଦ୍ୱାରା ନାଗରିକଙ୍କୁ ଶରଣାର୍ଥୀ ଭାବେ ବଦଳାଇବାକୁ ଏକ ଚାଲ୍ । ସେ ଏନଆରସି ଏବଂ ସିଏବି କୁ ବିରୋଧ କରନ୍ତି ।

ବିଜେପିର ମେଁ ଭି ଚୌକିଦାର ସ୍ଲୋଗାନ ସମ୍ପର୍କରେ ମମତା ବ୍ୟଙ୍ଗ କରି କହିଛନ୍ତି, ୨୦୧୪ ସାଧାରଣ ନିର୍ବାଚନର ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇ ମୋଦୀ ଚୌକିଦାର ପରି ଏକ ସ୍ଲୋଗାନ ଆପଣେଇ ନେଇଛନ୍ତି ।

“୨୦୧୪ ରେ ଚା’ବାଲା ଅନେକ ପ୍ରତିଶୃତି ଦେଇଥିଲେ, ମାତ୍ର ଗୋଟିଏ ମଧ୍ୟ ପୂରଣ କରିବାରେ ବିଫଳ ହୋଇଛନ୍ତି । ସମସ୍ତଙ୍କ ଖାତାରେ ୧୫ ଲକ୍ଷ ଟଙ୍କା କାହିଁ? ଏବେ ଜନତାଙ୍କ ପଇସାକୁ ୫ ବର୍ଷଧରି ଲୁଟିବା ପରେ ଚିତ୍କାର ଚୌକିଦାରରେ ବଦଳିଯାଇଛି,” ବୋଲି ମମତା ବାନାର୍ଜୀ କଟାକ୍ଷ କରି ମୋଦୀଙ୍କୁ କହିଛନ୍ତି ।

“ବାସ୍ତବ ଜୀବନରେ ଥିବା ଚୌକିଦାରଙ୍କ ପ୍ରତି ଆମର ସମ୍ମାନ ରହିଛି, ମାତ୍ର ଏହି ଚୌକିଦାର ଏକ ମିଥ୍ୟା ଓ ଫେକୁ ଚୌକିଦାର,” ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ।

Leave A Reply

Your email address will not be published.