Latest Odisha News

BREAKING NEWS

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଓ ଛତିଶଗଡ଼ ଗସ୍ତ, ଶୁଭାରମ୍ଭ କରିବେ ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରୁଛନ୍ତି । ଓଡ଼ିଶାର ଝାରସୁଗୁଡ଼ାଠାରେ ବିମାନ ବନ୍ଦର ଉଦଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ଓଡ଼ିଶାର ତାଳଚେରଠାରେ ସେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ । କୋଇଲା ବାଷ୍ପୀକରଣ ଆଧାରିତ ସାର ଉତ୍ପାଦନ ୟୁନିଟ ଭାବେ ଏହା ହେବ ଦେଶର ପ୍ରଥମ କାରଖାନା । ସାର ବ୍ୟତୀତ ଏହି ପ୍ଲାଂଟରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ, ଯଦ୍ଦ୍ୱାରା ଏହା ଦେଶର ଇନ୍ଧନ ଆବଶ୍ୟକତା ଦିଗରେ ମଧ୍ୟ ଯୋଗଦାନ କରିବ ।

ପ୍ରଧାନମନ୍ତ୍ରୀ ଏହାପରେ ଝାରସୁଗୁଡ଼ା ଗସ୍ତ କରିବେ, ସେଠାରେ ସେ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିବେ । ଏହି ବିମାନ ବନ୍ଦର ପଶ୍ଚିମ ଓଡ଼ିଶାକୁ ଭାରତର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଉଡ଼ାନ୍ ଯୋଜନା ଅଧୀନରେ ଆଞ୍ଚଳିକ ବିମାନ ଯୋଗାଯୋଗ ସେବା ପ୍ରଦାନ କରିବ ।

ଏହି ଅବସରରେ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲିଙ୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସୁନ୍ଦରଗଡର ଦୁଲଙ୍ଗା କୋଇଲା ଖଣିରୁ ଆନୁଷ୍ଠାନିକ ଭାବେ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜାଞ୍ଜଗିର ଚାମ୍ପାରେ ପହଁଚିବେ । ସେଠାରେ ସେ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିବେ । ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.