Latest Odisha News

କ୍ଷମା ମାଗିଲେ ମୋଦି: କହିଲେ, ‘ସହଜ ନଥିଲା, ଯଦି କିଛି ଭୁଲ୍ ଥାଏ…..’

ଆହ୍ଲାବାଦ୍: ଦୀର୍ଘ ୪୫ ଦିନର ମହାଆଡମ୍ବର ପରେ ଏବେ ଖାଁ ଖାଁ ସଙ୍ଗମ ସ୍ଥଳ । ସରିଯାଇଛି ସନାତନ ଧର୍ମର ସବୁଠୁ ବଡ ମହାସମାବେଶ ମହକୁମ୍ଭ । ଗତ ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, ଗତକାଲି ଅର୍ଥାତ୍ ୨୬ ଫେବୃଆରୀରେ ଶେଷ ହୋଇଛି । ଆଉ ଗତକାଲି ଏହି ପବିତ୍ର ମହାଯାତ୍ରା ଶେଷ ହେବା ପରେ ଆଜି ସକାଳୁ ସକାଳୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତାମାନେ ସଙ୍ଗମରେ ଉପସ୍ଥିତ ରହି ଉଦଯାପନୀ ପୂଜା ସମ୍ପନ୍ନ କରିଛନ୍ତି ।

ଯାହାକୁ ନେଇ ଆଜି ନିଜ ସୋସିଆଲ ମିଡିଆରେ ସାରା ଦେଶବାସୀଙ୍କ ପାଇଁ ସନ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାକୁମ୍ଭ ଶେଷ ହେବା ଅବସରରେ ଦେଶବାସୀଙ୍କୁ କିଛି, ତ୍ରୁଟି ପାଇଁ କ୍ଷମା ପାର୍ଥନା କରିଛନ୍ତି । ସେ ଲେଖିଛନ୍ତି, ‘ମହାକୁମ୍ଭ ସମାପ୍ତ ହେଲା….ଏକତାର ମହାନ ଯଜ୍ଞ ଶେଷ ହୋଇଛି । ପ୍ରୟାଗରାଜର ଏକତାର ମହାକୁମ୍ଭରେ ୪୫ ଦିନ ଧରି, ଯେଉଁଭଳି ଭାବରେ ୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏକତ୍ରିତ ହୋଇଥିଲା, ଯେଉଁଭଳି ଏକା ସମୟରେ ଗୋଟିଏ ପର୍ବରେ ଆଜି ଯୋଗ ଦେିଥିଲେ, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ଏଥିସହିତ ମହାକୁମ୍ଭ ସମାପ୍ତ ହେବା ପରେ ମୋ ମନରେ ଆସିଥିବା ଚିନ୍ତାଧାରାଗୁଡ଼ିକୁ ମୁଁ ଲେଖିବାକୁ ଚେଷ୍ଟା କରିଛି ବୋଲି କହି ମୋଦି ଲେଖିଛନ୍ତି, ମହାକୁମ୍ଭରେ ଯେଉଁଭଳି ଭାବେ ବଡ ସଂଖ୍ୟାରେ  ଶ୍ରଦ୍ଧାଳୁମାନେ ଭାଗ ନେଇଥିଲେ, ଏହା କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମର ସଂସ୍କୃତି ଏବଂ ଐତିହ୍ୟକୁ ସୁଦୃଢ଼ ​​ଏବଂ ସମୃଦ୍ଧ ରଖିବା ପାଇଁ ବହୁ ଶତାବ୍ଦୀ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି ।

ଆଜି ପ୍ରୟାଗରାଜର ମହାକୁମ୍ଭ ସାରା ବିଶ୍ୱର ପରିଚାଳନା ବୃତ୍ତିଗତଙ୍କ ସହିତ ଯୋଜନା ଏବଂ ନୀତି ବିଶେଷଜ୍ଞଙ୍କ ପାଇଁ ଏକ ଗବେଷଣାର ବିଷୟ ପାଲଟିଛି । ଆଜି ଭାରତ ତାର ଐତିହ୍ୟ ଉପରେ ଗର୍ବ ଅନୁଭବ କରି, ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି । ଏହା ଯୁଗ ପରିବର୍ତ୍ତନର ଶବ୍ଦ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି । ଏହି ମହାକୁମ୍ଭରେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ କ୍ଷେତ୍ରର ଲୋକମାନେ ଏକାଠି ହୋଇଥିଲେ । ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏହି ଅବିସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଏକ ମହାନ ଉତ୍ସବ ପାଲଟିଗଲା ।

ଏଥିସହିତ ମୋଦି ଏହା ବି କହିଛନ୍ତି, ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ଦେଶବାସୀଙ୍କ କଠିନ ପରିଶ୍ରମ, ପ୍ରୟାସ ଏବଂ ଦୃଢ଼ ସଂକଳ୍ପରେ ପ୍ରଭାବିତ ହୋଇ, ମୁଁ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବି । ମୁଁ ଭକ୍ତିର ପ୍ରତୀକ ଭାବରେ ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି । ମୁଁ କାମନା କରୁଛି ଯେ ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ନିରବଚ୍ଛିନ୍ନ ଧାରା ପ୍ରବାହିତ ହେଉ ।

ଏଥିସହିତ ମୋଦି ତାଙ୍କ ବ୍ଲଗରେ ସମସ୍ତଙ୍କୁ ଦମା ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ଲେଖିଛନ୍ତି, ମୁଁ ଜାଣେ ଯେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ସହଜ ନଥିଲା । ମୁଁ ମାତା ଗଙ୍ଗା, ଯମୁନା, ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛି, ହେ ମାତା, ଯଦି ଆମ ପୂଜାରେ କୌଣସି ତ୍ରୁଟି ଥାଏ, ତେବେ ଦୟାକରି ଆମକୁ କ୍ଷମା କରନ୍ତୁ । ଯଦି ଭକ୍ତମାନଙ୍କର ସେବା କରିବାରେ କୌଣସି ତ୍ରୁଟି ଥାଏ, ଯାହାକୁ ମୁଁ ଭଗବାନଙ୍କ ସ୍ୱରୂପ ବୋଲି ମାନିଥାଏ, ତେବେ ମୁଁ ଲୋକଙ୍କଠାରୁ କ୍ଷମା ମଧ୍ୟ ମାଗୁଛି ବୋଲି ପ୍ରକାଶ କରିଛନ୍ତି ମୋଦି ।

ତେବେ ପ୍ରୟାଗରାଜରେ ଆୟୋଜିତ ହୋଇଥିବା, ବିଶ୍ୱର ସର୍ବବୃହତ ସମାବେଶ ମହାକୁମ୍ଭ, ଗତକାଲି ମହା ଶିବରାତ୍ରିରେ ସମାପ୍ତ ହୋଇଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆରେ ସେୟାର କରିଥିବା ତଥ୍ୟ ଅନୁଯାୟୀ, ମହୋତ୍ସବର ଶେଷ ଦିନରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳର ପବିତ୍ର ସ୍ନାନରେ ୬୬.୨୧ କୋଟିରୁ ଅଧିକ ଭକ୍ତ ଅଂଶଗ୍ରହଣ କରିଥିଲେ ।

Comments are closed.