ଭୁବନେଶ୍ବର: ବାରମ୍ବାର ବାଜୁଥାଏ ଫୋନ୍!
ଇଗନୋର୍ କରିଚାଲିଥାନ୍ତି ଓଡିଶାର ନୂଆ ରାଜ୍ୟପାଳ!
କିଏ ଫୋନ୍ କରିଥିଲା ଜାଣିବା ପରେ ଉଡିଗଲା ହୋସ୍!
ଓଡିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ନିଜର ସହ ଘଟିଥିବା ଏକ ରୋଚକ କାହାଣୀ ନିଜେ ବଖାଣିଛନ୍ତି ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ବ୍ରଜମୋହନ ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି। ସେତେବେଳେ ସେ ଓଡିଶାର ରାଜ୍ୟପାଳ ହେବେ ବୋଲି ଜାଣିନଥିଲେ । ସାଧାରଣ ବିଜେପି କର୍ମୀ ଭଳି ନିଜ କାମ ବ୍ୟସ୍ତ ଥାନ୍ତି । ଏହି ସମୟରେ ତାଙ୍କୁ ବାରମ୍ବାର ଗୋଟିଏ ପ୍ରାଇଭେଟ୍ ନମ୍ବରରୁ ଆସୁଥିଲା ଫୋନ୍ । ସେ ଭାବିଲେ କେହି ଦଳୀୟ ଲୋକ ହୋଇଥିବେ! ତେଣୁ ସେ ଫୋନ୍ ଉଠାଇଲେନି। ହେଲେ ସେପଟୁ ବାରମ୍ବାର ଫୋନ୍ ବାଜୁଥିଲା । ଥରେ କି ଦୁଇ ଥର ନୁହେଁ, ପ୍ରାୟ ୧୦ ଥର ଫୋନ୍ ଆସିବା ପରେ ଯେତେବେଳେ ନବନିଯୁକ୍ତ ରାଜ୍ୟପାଳ କଲ୍ ଉଠାଇଥିଲେ, ସେ ଚମକି ପଡିଥିଲେ ।
କାରଣ ଫୋନ୍ ସେପଟରେ ଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟପାଳଙ୍କ କହିବା ଅନୁସାରେ, ବାରମ୍ବାର ଫୋନ୍ ଆସିବାରୁ ଶେଷରେ ସେ କଲ୍ ଉଠାଇଥିଲେ। ଆରପଟୁ ଜଣେ ବ୍ୟକ୍ତି ପରିଚୟ ଦେଇ କହିଥିଲେ, ସାର୍ ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କଥା ହେବେ । ମୁଁ ପିଏମ୍ଓରୁ କହୁଛି । ତା’ପରେ ମୋଦୀଙ୍କ ସହ କଥା ହୋଇଥିଲେ ବ୍ରଜମୋହନ। ପ୍ରଧାନମନ୍ତ୍ରୀ ତାଙ୍କୁ ‘ଜୋହାର’ କହି ସମ୍ବୋଧନ କରିବା ସହ ହାଲଚାଲ ପଚାରିଥିଲେ। ସଂଗଠନରେ ତାଙ୍କ ଦାୟିତ୍ୱ କ’ଣ, ସେନେଇ ମଧ୍ୟ ପଚାରିଥିଲେ। ପରେ ତାଙ୍କୁ ସରକାରରେ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଥିବା କହିଥିଲେ। ଏହି କଥା ଗୋପନ ରଖିବାକୁ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପରେ ଗୃହମନ୍ତ୍ରୀ ଅମିତ ଶାହ ଫୋନ୍ କରି ରାଜ୍ୟପାଳ ନିଯୁକ୍ତି ବିଷୟରେ ଜଣାଇଥିଲେ।
ତେବେ ବ୍ରଜମୋହନ ରାମଙ୍କ ରାଜନୈତିକ ଯାତ୍ରା ଏତେ ସହଜ ନଥିଲା। ୧୯୯୬, ୧୯୯୮ ଓ ୧୯୯୯ରେ ସେ ପଲାମୁ ଲୋକସଭା ଆସନରୁ ଜିତି ସାଂସଦ ହୋଇଥିଲେ। ହେଲେ ୨୦୦୪ ପରେ ତାଙ୍କୁ ଆଉ ଟିକେଟ୍ ମିଳିନଥିଲା। ଦୀର୍ଘ ୨୨ ବର୍ଷ ଧରି ଟିକେଟ୍ ଅପେକ୍ଷାରେ ରହିଥିଲେ ମଧ୍ୟ ସେ ଦଳ ଛାଡ଼ିନଥିଲେ। ବରଂ ଅନ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଦଳରେ ସକ୍ରିୟ ରହିଥିଲେ।
ଏବେ ସେହି ଦଳ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଦେଇଛି। ଟିକେଟ୍ ମିଳିଲାନି ବୋଲି ଦଳ ଛାଡ଼ିଲେନି, ଆଉ ଏବେ ମିଳିଲା ସାମ୍ବିଧାନିକ ପଦ! ଏହି ନିଯୁକ୍ତିକୁ ନେଇ ବ୍ରଜମୋହନ ରାମ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ ଓ ଦଳ ପ୍ରତି କୃତଜ୍ଞତା ଜଣାଇଛନ୍ତି।

