Latest Odisha News

BREAKING NEWS

ପୁରୀରେ ଶୁଭାରମ୍ଭ ହେଲା ବିଶ୍ଵକର୍ମା ଯୋଜନା, ଭର୍ଚୁଆଲରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଯାହାର ଲାଭ ଉଠାଇବେ ୧୮ଟି ପାରମ୍ପରିକ ବର୍ଗର ଶିଳ୍ପୀ । ଟ୍ରେନିଂ, ଷ୍ଟାଇପେଣ୍ଡ,ଟୁଲକିଟ ସହ ଋଣର ମଧ୍ୟ ଲାଭ ଉଠାଇବେ ବିଭିନ୍ନ ବର୍ଗର ଶିଳ୍ପୀ ।ପୁରା ଦେଶରେ ଶିଳ୍ପୀ ମାନଙ୍କୁ ନିଜର ପାରମ୍ପରିକ ବୃତ୍ତିକୁ ବଞ୍ଚେଇ ରଖିବା ହେଉଛି ଏହି ଯୋଜନାର ମୁଳ ଲକ୍ଷ୍ୟ ।

ପୁରୀ: ଶୁଭାରମ୍ଭ ହୋଇଛି ପିଏମ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର ।  ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପ୍ରାୟ ୧୩୦୦୦ କୋଟି ବଜେଟର ଆରମ୍ଭ ହୋଇଛି ଏହି ଯୋଜନା । ଅର୍ଥ ଅଭାବରୁ ପାରମ୍ପରିକ ବୃତ୍ତିରୁ ମନ ଛଡାଇ ନେଉଥିବା ଶିଳ୍ପୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ସେମାନଙ୍କୁ ନିଜ ଦମରେ ଆଗକୁ ବଢିବା ପାଇଁ ରାସ୍ତା ଦେଖେଇବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଯୋଜନାରେ ପ୍ରାୟ ୧୮ ଟି ବର୍ଗର କାରିଗର ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅବସରରେ ମର୍ତ୍ତ୍ୟ ଭୂମିର ଏହି ଶିଳ୍ପୀମାନେ ଯୋଜନାର ଫାଇଦା ବିଷୟରେ ଜାଣି ବେଶ ଆତ୍ମବିଭୋର ହୋଇଛନ୍ତି ।

ଓଡ଼ିଶାର ତିନିଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଦେଶର ପାରମ୍ପରିକ ଶିଳ୍ପୀ ମାନଙ୍କ ଉଦ୍ଦେଶ୍ୟରେ ଏହି ଯୋଜନାର ଲୋକାର୍ପଣ କରିଛନ୍ତି । ଜଗନ୍ନାଥ ଧାମରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ମୁଁଞ୍ଜପରା ମହେନ୍ଦ୍ରଭାଇଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପୁରୀ ଟାଉନ ହଲ ଠାରେ ଆଜି ଏହାର ଶୁଭାରମ୍ଭ କରାଯାଇଛି । ପାରମ୍ପରିକ ଶିଳ୍ପୀ ମାନଙ୍କୁ ଦକ୍ଷତା ଟ୍ରେନିଂ, ଆର୍ଥିକ ସହଯୋଗ, ଡିଜିଟାଲ ଟ୍ରାନ୍ସକ୍ସନ, ଟୁଲ କିଟ ଏବଂ ମାର୍କେଟିଂ ସହାୟତା ପାଇଁ ଏହି ଯୋଜନା ବେଶ ଲାଭଦାୟକ ହେବ ।

ଏହି ଯୋଜନାରେ ସାମିଲ ହେବା ପାଇଁ କଳାକାର ମାନଙ୍କୁ ପ୍ରଥମେ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ଆବେଦନପତ୍ର ଯାଞ୍ଚ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପରିଚୟ ପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ । ପ୍ରଥମେ ୫ ରୁ ୭ ଦିନ ଯାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯିବ । ପଞ୍ଜିକୃତ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଡି କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ପଡିବ ।

 

Leave A Reply

Your email address will not be published.