ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ ଅନିୟନ୍ତ୍ରିତ ବ୍ୟବହାର ଯୋଗୁ ମଣିଷ ବଂଚିରହିବାର ମୂଖ୍ୟ ଉପାଦାନ ବାୟୁ ତଥା ପବନ ଭୟଙ୍କର ଭାବେ ବିଷାକ୍ତ ହେବାରେ ଲାଗିଛି । ପରିଣତି ସ୍ୱରୁପ ସାରା ବିଶ୍ୱରେ ମଣିଷର ହାରାହାରି ଜୀବନକାଳ ଦ୍ରୁତ ଗତିରେ କମିବାରେ ଲାଗୁଛି । ଏହା ଆଜିର ସମୟରେ ଏକ ମସ୍ତବଡ଼ ସଙ୍କଟ ।
ଆମେ ଚାରିପଟର ପବନରେ ଆଜି ବିଭିନ୍ନ ପ୍ରକାର ଅତ୍ୟନ୍ତ କ୍ଷୁଦ୍ର କଠିନ ଓ ତରଳ କଣିକାମାନଙ୍କର ଉପସ୍ଥିତି ହୋଇ ତାହା ଆଜି ଭୀଷଣ ଭାବେ ପ୍ରଦ୍ୟୁଷିତ ହୋଇଯାଇଛି । ପବନରେ ଭରି ରହିଥିବା ଏହି କଣିକା ସବୁ ମୂଖ୍ୟତଃ ଜୀବାଶ୍ମ ଇନ୍ଧନର ଅର୍ଦ୍ଧ ଦହନ, ଗାଡ଼ି ମୋଟରର ଧୂଆଁ, ଶିଳ୍ପାୟନର ନିର୍ଗତ ବିଷାକ୍ତ ବାଷ୍ପ, ଚିମିନିର ଧୂଆଁ, ରାସ୍ତାଘାଟରେ ଗାଡ଼ି ମଟର ଚକ ଘଷି ହୋଇ ସୃଷ୍ଟି ହେଉଥିବା ଅତ୍ୟନ୍ତ କ୍ଷୁଦ୍ର କଣିକା ଆଦିରୁ ସୃଷ୍ଟି ହେଉଛି । ଏହି କଣିକା ଗୁଡ଼ିକ ଅନେକ ଦିନଯାଏ ପବନରେ ଘୁରି ବୁଲେ ଓ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଯାଏ । ଏହିସବୁ କଣିକା ଅତ୍ୟନ୍ତ କ୍ଷୁଦ୍ର ହୋଇଥିବାରୁ, ମାଟିରେ ଜମା ହେବା ପୂର୍ବରୁ ଲୋକମାନଙ୍କ ପ୍ରଶ୍ୱାସରେ ଶରୀର ଭିତରକୁ ଯାଉଛି ଓ ପ୍ରଚୁର କ୍ଷତି ପହଞ୍ଚାଉଛି । ‘ଚିକାଗୋ ବିଶ୍ୱ ବିଦ୍ୟାଳୟ’ର ‘ଏନର୍ଜି ପଲିସି ଇନ୍ଷ୍ଟିଚ୍ୟୁଟ୍’ ପ୍ରସୁତ କରିଥିବା ବାୟୁ ଗୁଣବତା ଜୀବନ ସୂଚକାଙ୍କ (ଏଆର୍ କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସ) ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଧାର୍ଯ୍ୟ କରିଥିବା ବାୟୁର ଗୁଣବତାର ମାନକୁ ଠିକ୍ ଭାବେ ପାଳନ ନକରାଯିବା ଯୋଗୁ ଯୋଗୁ ସାରା ବିଶ୍ୱର ଲୋକମାନଙ୍କର ହାରାହାରି ଜୀବନକାଳ ଦୁଇ ବର୍ଷ କମିଯାଇଛି । ଏହି ବିପଦ ଏଡ଼୍ସ, ଯକ୍ଷ୍ମା ପରି ମହାମାରୀ ଓ ଧୂମପାନଠାରୁ ମଧ୍ୟ ଅଧିକ । ଚାଇନା ଓ ଭାରତ ଭଳି ଦେଶରେ ଏହିପରି କଣିକାଯୁକ୍ତ ବାୟୁ ପ୍ରଦ୍ୟୁଷଣ ବହୁତ ଅଧିକ । ଭାରତର ବାୟୁରେ ବିଷାକ୍ତ କଣିକାର ଉପସ୍ଥିତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଧାରିତ ମାନଠାରୁ ବହୁତ ଅଧିକ । ଯଦି ଭାରତ ଓ ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଧାରଣ ମାନକ ଅନୁସାରେ କଣିକାଯୁକ୍ତ ବାୟୁ ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ କରିପାରିବେ, ତେବେ ଭାରତରେ ହାରାହାରି ଜୀବନକାଳର ପ୍ରତ୍ୟାଶା ୪.୩ ବର୍ଷ ଓ ଚାଇନାରେ ୨.୯ ବର୍ଷ ବଢ଼ିପାରିବ । ତେଣ ଏହି କଥାକୁ ଓଲଟାଇ ଦେଖିଲେ ବୁଝି ହେଉଛି ଯେ, କଣିକାଯୁକ୍ତ ବାୟୁ ପ୍ରଦୂଷଣ ଯୋଗୁ ଆମ ଦେଶର ଲୋକମାନଙ୍କର ଜୀବନରୁ ପ୍ରାୟ ୪.୩ ବର୍ଷ କମିଯାଉଛି । ଏହା ଠାରୁ ବଡ଼ ବିପଦ ଆଉ କ’ଣ ଥାଇପାରେ! ବାୟୁ ପ୍ରଦୂଷଣ ଧିରେ ଧିରେ ସମଗ୍ର ମାନବ ଜାତିକୁ ମାରି ମାରି ଚାଲୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶ୍ୱ ସନ୍ଦର୍ଭରେ ଦେଖିଲେ ବର୍ତମାନ ସମୟରେ ଜନ୍ମ ହେଉଥିବା ଗୋଟେ ଶିଶୁର ହାରାହାରି ଜୀବନକାଳର ପ୍ରତ୍ୟାଶା ୭୨ ବର୍ଷ । ବିଭିନ୍ନ ପ୍ରକାର ରୋଗ ଓ ବିପଦ ଯୋଗୁ ହାରାହାରି ଜୀବନର ପ୍ରତ୍ୟାଶା କମି କମି ଚାଲୁଛି । ସମସ୍ତ ପ୍ରକାର ରୋଗ ଓ ଅନ୍ୟାନ୍ୟ ବିପଦଠାରୁ କଣିକାଯୁକ୍ତ ବାୟୁ ପ୍ରଦୂଷଣ ଯୋଗୁ ହାରାହାରି ଜୀବନକାଳ ସର୍ବାଧିକ କମୁଛି । ବାୟୁ ଗୁଣବତା ଜୀବନ ସୂଚକାଙ୍କ ଅନୁସାରେ ବାୟୁ ପ୍ରଦୂଷଣକୁ ନେଇ ବର୍ତ୍ତମାନ ଯେମିତି ଚାଲିଛି ଯଦି ଆଗକୁ ବି ସେପରି ଚାଲେ ତାହେଲେ କେବଳ କଣିକା ପ୍ରଦ୍ୟୁଷଣ ଯୋଗୁ ସାରା ବିଶ୍ୱର ଜନସଂଖ୍ୟା ତାଙ୍କ ଆୟୁଷରୁ ୧୨୦୦ କୋଟି ବର୍ଷ ହରେଇବେ । ଅର୍ଥାତ୍ ପ୍ରତି ଲୋକଙ୍କ ହାରାହାରି ଆୟୁଷରୁ ୧.୮ ବର୍ଷ କମିଯିବ । କିନ୍ତୁ ଯଦି ଆମେ ବାୟୁରେ କଣିକାର ମାତ୍ରାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଧାର୍ଯ୍ୟ ମାତ୍ରା ଅନୁସାରେ ରଖିପାରିଲେ ଅର୍ଥାତ୍ ପ୍ରତି କ୍ୟୁବିକ୍ ମିଟରରେ ୧୦ ମାଇକ୍ରୋଗ୍ରାମ୍ ରଖିପାରିଲେ, ତାହେଲେ ସାରା ବିଶ୍ୱର ଜନସଂଖ୍ୟାର ହାରାହାରି ଜୀବନକାଳ ୭୨ରୁ ବଢ଼ି ୭୪ ବର୍ଷରେ ପହଞ୍ଚିଯିବ । ସିଗାରେଟ୍ ଟାଣିବା ଯୋଗୁ ଜଣେ ଲୋକର ଜୀବନକାଳର ପ୍ରତ୍ୟାଶା ୧.୬ ବର୍ଷ କମୁଥିବା ବେଳେ, ମଦ ଓ ଡ୍ରଗ୍ସ ଆଦି ଯୋଗୁ ୧୧ ମାସ କମୁଛି । ସେହିପରି ଅସ୍ୱଚ୍ଛ ପାନୀୟ ଜଳ ଓ ପରିମଳର ଅଭାବ ଯୋଗୁ ହାରାହାରି ଜୀବନର ପ୍ରତ୍ୟାଶା ୭ ମାସ୍ କମ୍ ହେଉଥିବା ବେଳେ, ଯୁଦ୍ଧ ଓ ଆତଙ୍କବାଦ ଆଦି ଯୋଗୁ ୨୨ ଦିନ କମ୍ ହେଉଛି । ଏଥିରୁ ବୁଝାପଡ଼ୁଛି ଯେ, ବାୟୁ ପ୍ରଦ୍ୟୁଷଣ ହିଁ ବର୍ତମାନ ମଣିଷର ଜୀବନ ପ୍ରତି ସବୁଠାରୁ ବଡ଼ ବିପଦ । କଣିକାଯୁକ୍ତ ବାୟୁ ପ୍ରଦ୍ୟୁଷଣ ମଦ ଓ ଡ୍ରଗ୍ସ୍ର ପ୍ରଭାବ ଠାରୁ ଦୁଇଗୁଣ ଅଧିକ, ଅସ୍ୱଚ୍ଛ ପାନୀୟ ଜଳର ପ୍ରଭାବ ଠାରୁ ତିନି ଗୁଣ, ଏଡ଼୍ସ ଓ ଅନ୍ୟାନ୍ୟ ରୋଗ ଠାରୁ ପାଞ୍ଚ ଗୁଣ ଓ ଆତଙ୍କବାଦ ଯୁଦ୍ଧ ଆଦି ଠାରୁ ୨୯ ଗୁଣ ଅଧିକ ମାନବ ଜୀବନକାଳର ପ୍ରତ୍ୟାଶାକୁ କମ୍ କରୁଛି ।
ଭାରତ ଭଳି ବିକାଶଶୀଳ ଦେଶ ମାନଙ୍କରେ ଏହି କଣିକାଯୁକ୍ତ ବାୟୁ ପ୍ରଦ୍ୟୁଷଣର ମାତ୍ରା ବହୁତ ଅଧିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଧାର୍ଯ୍ୟ କରିଥିବା ବୁୟୁର ଗୁଣବତାର ମାନକକୁ ମାନିଲେ, ଉତର ଭାରତର ପ୍ରାୟ ୩୦ କୋଟି ଲୋକ ୮ ବର୍ଷ ଅଧିକ ବଞ୍ଚି ପାରିବେ । ଏସିଆ ମହାଦେଶର ୩୫ କୋଟି ଲୋକ ୫ ରୁ ୭ ବର୍ଷ ଅଧିକ ବଞ୍ଚିପାରିବେ । ଭାରତ ଓ ଚାଇନା ବିଶ୍ୱର ଜନସଂଖ୍ୟାର ୩୬ ପ୍ରତିଶତ ହୋଇଥିବା ବେଳେ କିନ୍ତୁ କଣିକା ଯୁକ୍ତ ବାୟୁ ପ୍ରଦ୍ୟୁଷଣ ଯୋଗୁ ସାରା ବିଶ୍ୱର ଯେତିକ ବର୍ଷର ଜୀବନ ନଷ୍ଟ ହେଉଛି, ତାର ୭୩ ପ୍ରତିଶତ କେବଳ ଭାରତ ଓ ଚାଇନାରେ ହିଁ ହେଉଛି । କେବଳ ଭାରତ ନୁହେଁ ଆମ ରାଜ୍ୟ ଓଡ଼ିଶା ବି ବାୟୁ ପ୍ରଦୂଷଣ କ୍ଷେତ୍ରରେ ପଛରେ ନାହିଁ । ଆମ ଦେଶର ୧୦୨ଟି ସହର ଯାହା କେନ୍ଦ୍ରିୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼୍ର୍ ନିର୍ଦ୍ଧାରଣ କରିଥିବା ବାୟୁର ଗୁଣବତାର ମାନକୁ ପୁରଣ କରୁନାହାନ୍ତି, ସେ ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ଅନୁଗୁଳ, ତାଳଚେର, କଟକ, ଭୁବନେଶ୍ୱର, ବାଲେଶ୍ୱର, ରାଉର୍କେଲା ଆଦି ଛଅଟି ସହର ରହିଛି ।
ବାୟୁରେ ଥିବା ଏହି କଣିକାଗୁଡ଼ିକ ଅତ୍ୟନ୍ତ କ୍ଷୁଦ୍ର ଯେମିତିକି ଗୋଟେ କେଶ ଭିତରେ ବି ତାହା ଗଳିଯାଇପାରିବ । ଆହୁରି ବି କେତେକ କ୍ଷୁଦ୍ର କଣିକା ଅଛି ଯାହାର ବ୍ୟାସ ଗୋଟେ କେଶର
ବ୍ୟାସର ମାତ୍ର ତିନି ପ୍ରତିଶତ । ଏହି ସବୁ କଣିକା ପ୍ରଶ୍ୱାସରେ ଆମ ଫୁସ୍ଫୁସ୍ରେ ପହଞ୍ଚିଯାଏ । ଏହା ଫୁସ୍ଫୁସ୍କୁ ବାୟୁ ପ୍ରବାହ ବନ୍ଦ କରେଇଦେଇଥାଏ । ରକ୍ତ ଠିକ୍ ଭାବେ ହୃତ୍ପିଣ୍ଡ ଓ ମସ୍ତିଷ୍କକୁ ପ୍ରବାହିତ ହୋଇପାରେ ନାହିଁ । ଏହା ଆମ ଶରୀରରେ ଅନେକ ପ୍ରକାର ରୋଗ ଓ ବ୍ୟତିକ୍ରମ ସୃଷ୍ଟି କରିବା ସହିତ କ୍ୟାନ୍ସରର ମଧ୍ୟ କାରଣ ହୋଇଥାଏ । ଆମେ ପ୍ରତି ଶ୍ୱାସରେ ଏପରି କୋଟି କୋଟି କଣିକାକୁ ଶରୀର ଭିତରକୁ ନେଉଛୁ । ଯାହାର ବିପଦ ଆମକୁ ଭୋଗିବାକୁ ପଡ଼ୁଛି ବା ପଡ଼ିବ । ଅନେକ କ୍ଷେତ୍ରରେ ଆମେ ରୋଗର ଅସଲ କାରଣ ପାଖରେ ପହଞ୍ଚି ପାରୁନଥିବାରୁ ଏହି କଣିକାଯୁକ୍ତ ବାୟୁ ପ୍ରଦୂଷଣ ଦିଗକୁ ଆମର ଲକ୍ଷ ଆସିପାରୁନାହିଁ । ନଚେତ୍ ଆଜିର ସମୟରେ ଆମ ଚାରିପଟେ ଥିବା ବାୟୁ ହିଁ ଆମର ସବୁଠାରୁ ବଡ଼ ନୀରବ ଘାତକ ।
ଭିରଙ୍ଗ, ତୀରଣ, ଜଗତ୍ସିଂହପୁର
Comments are closed.