Latest Odisha News

BREAKING NEWS

ପାକିସ୍ତାନକୁ PoK ନେତାଙ୍କ ଖୋଲା ଚେତାବନୀ: ‘ସ୍ୱାଧୀନତା’ ପାଇଁ ଦେଲେ ଡେଡଲାଇନ୍, ଉଡ଼ିଲା ଶାହବାଜ ଓ ଆସିମ୍ ମୁନିରଙ୍କ ହୋସ୍!

ଇସଲାମାବାଦ/ମୁଜାଫରାବାଦ: ପାକିସ୍ତାନ ସରକାର ଏବଂ ସେନା ପାଇଁ ଏବେ ବଡ଼ ଅଡୁଆ ପାଲଟିଛି ପାକ୍ ଅଧିକୃତ କାଶ୍ମୀର। ଦୀର୍ଘ ଦିନ ଧରି ପାକିସ୍ତାନର ଅତ୍ୟାଚାର, ଅବହେଳା ଏବଂ ଶୋଷଣର ଶିକାର ହେଉଥିବା PoK ବାସୀ ଏବେ ସିଧାସଳଖ ଇସଲାମାବାଦକୁ ଚାଲେଞ୍ଜ ଦେଇଛନ୍ତି। ପାକିସ୍ତାନ କବଜାରୁ ମୁକୁଳିବା ପାଇଁ ସେଠାକାର ନେତା ଏବଂ ସ୍ଥାନୀୟ ଜନସାଧାରଣ ଏକଜୁଟ ହୋଇଛନ୍ତି। ଏହି ଆନ୍ଦୋଳନ ଏବେ ଏମିତି ଏକ ବିଶାଳ ରୂପ ନେଇଛି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଏବଂ ସେନା ମୁଖ୍ୟ ଆସିମ୍ ମୁନିରଙ୍କ ନିଦ ହଜିଯାଇଛି।

 

ପିଓକେରେ ସକ୍ରିୟ ଥିବା ଜଏଣ୍ଟ ଆୱାମୀ ଆକ୍ସନ କମିଟି ପାକିସ୍ତାନ ସରକାରଙ୍କୁ ସିଧାସଳଖ ୪୮ ଘଣ୍ଟିଆ ଅଲ୍ଟିମେଟମ୍ ଦେଇଛି। ବିଦ୍ୟୁତ୍ ଦର ବୃଦ୍ଧି, ବେକାରୀ ସମସ୍ୟା ଏବଂ ପ୍ରବଳ ମହଙ୍ଗା ମାଡ଼କୁ ନେଇ କମିଟି ୩୮ ଦଫା ଦାବି ଉପସ୍ଥାପନ କରିଥିଲା। ଯଦି ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନଙ୍କର ଦାବି ପୂରଣ ନହୁଏ, ତେବେ ଏକ ‘ବିଶାଳ ଓ ଚୂଡ଼ାନ୍ତ ଆନ୍ଦୋଳନ’ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା- “ଆମକୁ କେବଳ ଶୋଷଣ କରାଯାଉଛି, ଆମ ଅଞ୍ଚଳର ସମ୍ପଦ ନେଇ ପାକିସ୍ତାନ ନିଜ ଦେଶ ଚଳାଉଛି, କିନ୍ତୁ ଆମକୁ ମୌଳିକ ସୁବିଧା ମଧ୍ୟ ଦେଉନାହିଁ।”

 

ଆନ୍ଦୋଳନକୁ ଦବାଇବା ପାଇଁ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସମାନେ ସ୍ଥାନୀୟ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରୋକ୍ ଲଗାଯାଇ ଅର୍ଥନୈତିକ ନାକାବନ୍ଦୀ କରାଯାଉଛି ବୋଲି ଅଭିଯୋଗ ହୋଇଛି। ଶହ ଶହ ଲୋକଙ୍କୁ ବିନା ଦୋଷରେ ଗିରଫ କରାଯିବା ସହ ଲାଠିଚାର୍ଜ ଏବଂ ଗୁଳିଚାଳନା ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ଏସବୁ ମଧ୍ୟରେ ସବୁଠୁ ବଡ଼ ଖବର ହେଉଛି, ବିଦ୍ରୋହୀ ନେତାମାନେ ବର୍ତ୍ତମାନ ଭାରତକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ଘୋର ମାନବୀୟ ସଙ୍କଟ ଦେଖାଦେଇଥିବାରୁ ଭାରତୀୟ ହସ୍ତକ୍ଷେପ ପାଇଁ ସେମାନେ ଇଙ୍ଗିତ ଦେଇଛନ୍ତି, ଯାହାକି ପାକିସ୍ତାନ ସରକାରଙ୍କୁ ଆହୁରି ଭୟଭୀତ କରିଦେଇଛି।

 

ଯେଉଁ କାଶ୍ମୀର ନାଁ ନେଇ ପାକିସ୍ତାନ ଦୁନିଆ ଆଗରେ ନିଜକୁ ପୀଡ଼ିତ ସଜାଉଥିଲା, ଆଜି ସେହି ଅଞ୍ଚଳର ଲୋକେ ପାକିସ୍ତାନ ବିରୋଧରେ ହିଁ ସ୍ଲୋଗାନ ଦେଉଛନ୍ତି। PoK କୁ ନିୟନ୍ତ୍ରଣ କରିବାରେ ପାକ୍ ସରକାର ଏବଂ ସେନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏଥିରୁ ପ୍ରମାଣିତ ହୋଇଛି। ଲଣ୍ଡନ ସମେତ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ ଥିବା ପାକିସ୍ତାନୀ ଦୂତାବାସ ଆଗରେ ମଧ୍ୟ ପ୍ରବାସୀ କାଶ୍ମୀରବାସୀମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କଲେଣି। ଆସିମ୍ ମୁନିରଙ୍କ ସେନା ବର୍ତ୍ତମାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ବେଳେ ନିରୀହ ନାଗରିକଙ୍କୁ ଆତଙ୍କବାଦୀ କହି ଜେଲରେ ଭର୍ତ୍ତି କରୁଛି ବୋଲି ଆନ୍ଦୋଳନକାରୀମାନେ ଖୋଲାଖୋଲି ପୋଲ୍ ଖୋଲିଦେଇଛନ୍ତି।

 

ବର୍ତ୍ତମାନ ସମସ୍ତଙ୍କ ନଜର ଏହି କଥା ଉପରେ ରହିଛି ଯେ ଡେଡଲାଇନ୍ ସରିବା ପରେ PoKରେ ଆଗାମୀ ପରିସ୍ଥିତି କିଭଳି ରୂପ ନେବ ଏବଂ ଏହି ଅସ୍ଥିରତା ମଧ୍ୟରେ ପାକିସ୍ତାନ ସରକାର ନିଜର ସ୍ଥିତି କିପରି ବଜାୟ ରଖିବେ।

Leave A Reply

Your email address will not be published.