ମୋଦିଙ୍କୁ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଲେ ପାକିସ୍ତାନ ଦୁଷ୍କର୍ମ ପୀଡ଼ିତା
ଭିଡିଓ ଜରିଆରେ କହିଲେ, ସେ ଓ ତାଙ୍କ ଜୀବନ ପ୍ରତି ଅଛି ବିପଦ
ଭୁବନେଶ୍ୱର: ପାକିସ୍ତାନ ଅଧିକୃତ କଶ୍ମୀରର ମୁଜ୍ଜଫରାବାଦ ଦୁଷ୍କର୍ମ ପୀଡ଼ିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ ମାଗିଛନ୍ତି । ପୀଡ଼ିତା ଜଣକ ଏକ ଭିଡିଓ ଜରିଆରେ ନିଜ ଦୁଃଖ କହି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୀବନ ରକ୍ଷା ଅନୁରୋଧ କରିଛନ୍ତି । ପିଓକେରେ ଦୀର୍ଘ ସାତ ବର୍ଷ ଧରି ସେ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ।
୨୦୧୫ରେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିଲା । ଭିଡିଓରେ ସେ ଅଭିଯୁକ୍ତ ମାନଙ୍କ ନାଁ ମଧ୍ୟ ନେଇଛନ୍ତି । ତା ସହ ସେ କହିଛନ୍ତି ପିଓକେ ପୋଲିସ ଓ ନ୍ୟାୟପାଳିକା ତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ସ୍ଥାନୀୟ ନେତା ଚୌଦ୍ଧୁରୀ ତାରିକ ଫାରୁକ୍ ଏବଂ ପୋଲିସ ଠାରୁ ସେ ଓ ତାଙ୍କ ପିଲାଙ୍କ ଜୀବନ ପ୍ରତି ବିପଦ ଅଛି ।
ପୀଡ଼ିତା ମାରିଆ ତାହିର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ଭାରତ ଆସିବାକୁ ଚାହୁଁଛନ୍ତି । ମୋଦି ତାଙ୍କୁ ଭାରତ ଆସିବାକୁ ଅନୁମତି ଦିଅନ୍ତୁ । ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସେ ବାସସ୍ଥଳୀ ଓ ସୁରକ୍ଷା ଯୋଗାଇବାକୁ ନିବେଦନ କରିଛନ୍ତି ।
ପୂର୍ବରୁ ସେ ପିଓକେ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କୁ ସେଠାରୁ ଅତ୍ୟନ୍ତ ଅପମାନଜନକ ଉତ୍ତର ମିଳିଥିଲା । ବିଚାରପତି ତାଙ୍କୁ ବିବାହିତ ମହିଳା କହିଥିବା କଥା ମାରିଆ କହିଛନ୍ତି ।
Comments are closed.