ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ଉଦଘାଟନୀ ଭାଷଣରେ ଶ୍ରୀଯୁକ୍ତ ଖୁରାନିଆ ରାଜ୍ୟର ମହିଳା ଏବଂ କନ୍ୟାମାନଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ ।
ଆଗାମୀ ଦିନରେ “ବିକଶିତ ଓଡ଼ିଶା ୨୦୩୬”ର ସ୍ବପ୍ନକୁ ସାକାର କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ଆଗାମୀ ଦିନରେ ସାରା ଦେଶରେ ଓଡ଼ିଶାକୁ ମହିଳା ସୁରକ୍ଷିତ ରାଜ୍ୟର ଉଦାହରଣ ରୂପେ ପରିଗଣିତ କରିବାକୁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଶ୍ରୀ ଖୁରାନିଆ ପ୍ରକାଶ କରିଛନ୍ତି । ଏହି ଅବସରରେ ଡିଜିପି ସମସ୍ତ ପୋଲିସ ଅଧିକାରୀମାନଙ୍କୁ ମିଳିମିଶି ଏକ ସୁରକ୍ଷିତ ଓଡ଼ିଶା ଗଢ଼ିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ।
ଓଡ଼ିଶାର ମହିଳାମାନେ ହେଉଛନ୍ତି ସମାଜର ଭିତ୍ତିଭୂମି । ସମାଜକୁ ସଠିକ ଢଙ୍ଗରେ ପରିଚାଳନା କରିବାରେ ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ । କିନ୍ତୁ, ବିଭିନ୍ନ ସମୟରେ ମହିଳାମାନେ ଧର୍ଷଣ, ଯୌନ ଅତ୍ୟାଚାର, ଘରୋଇ ହିଂସା, ରାସ୍ତାରେ ନିର୍ଯାତନା ଏବଂ ସାଇବର ଅପରାଧର ଶିକାର ହେଉଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ବୋଲି ଡିଜିପି କହିଛନ୍ତି ।
ସମଗ୍ର ରାଜ୍ୟରେ ୫୩୭ଟି ଥାନାରେ ଖୋଲାଯାଇଥିବା “ମହିଳା ଓ ଶିଶୁ ଡେସ୍କ”ର ସଠିକ ପରିଚାଳନା ଓ ତଦାରଖ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସହ ବିଭିନ୍ନ ଜିଲ୍ଲାରେ ସଂଘଟିତ ହୋଇଥିବା ଗଣ ବଳାତ୍କାର ଭଳି ସଙ୍ଗୀନ ଘଟଣା ସମାଜରେ ମହିଳା ମାନଙ୍କ ମନୋବଳକୁ ଦୁର୍ବଳ କରିଛି । ଏହି ସବୁ ମାମଲାଗୁଡିକରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାରେ ଅଗ୍ରଣୀ ଭୁମିକା ତୁଲାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ ।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ଓଡ଼ିଶାରେ ଏଭଳି ମାମଲାର ଦଣ୍ଡାଦେଶ ହାର ୯.୧% ମାତ୍ର ଯାହା ଯଥେଷ୍ଟ ନୁହେଁ । ତଦନ୍ତରେ ଗତିଶୀଳତା, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ପୀଡ଼ିତାଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ବ୍ୟବହାର ଦ୍ୱାରା ଦଣ୍ଡାଦେଶ ହାରକୁ ବୃଦ୍ଧି କରିବା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ ।
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ସୀମିତ ସମୟ ମଧ୍ୟରେ ତଦନ୍ତ, ଶୂନ୍ୟ FIR, e-FIR ଭଳି ସୁବିଧା ଉପଲବ୍ଧ ରହିଛି । ଏହା ଦ୍ୱାରା ଅପରାଧୀଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଦଣ୍ଡିତ କରାଯାଇ ପାରିବ।
ରାଜ୍ୟ ବାହାରକୁ ମହିଳା ଓ ଶିଶୁ ଚାଲାଣକୁ ରୋକିବା ତଥା ନିଖୋଜ ଥିବା ମହିଳା ଓ ଶିଶୁ ମାନଙ୍କୁ ଠାବ କରି ଫେରାଇ ଆଣିବା ନିମନ୍ତେ “Crime Against Women & Children Wing (CAW & CW)” ପକ୍ଷରୁ ୩୭ଟି Anti-Human Trafficking Unit ସ୍ଥାପନ କରାଯାଇଛି । ମହିଳା ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ନିମନ୍ତେ ରାଜ୍ୟର ୧୦୦ରୁ ଅଧିକ ଥାନାରେ ମହିଳା ଅଧିକାରୀଙ୍କୁ ଥାନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
ଏହା ସହ ମହିଳା ଓ ଶିଶୁ ମାନଙ୍କ ସମ୍ବେଦନଶୀଳ ଛବି ଓ ଭିଡିଓ ଗୁଡ଼ିକର ଦୃତ ପ୍ରଘଟକୁ ରୋକିବା ପାଇଁ ସାଇବର ପାଟ୍ରୋଲିଂ ବୃଦ୍ଧି ଓ ସୋସିଆଲ୍ ମିଡିଆ ମନିଟରିଂକୁ ଅଧିକ କ୍ରିୟାଶୀଳ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା 13ଟି ଜିଲ୍ଲାର ଏସପି, ତଦନ୍ତକାରୀ ଅଧିକାରୀ, ତଦାରଖକାରୀ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ଡିଜିପି ମାନପତ୍ର ପ୍ରଦାନ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉତ୍ସାହିତ କରିଥିଲେ ।
ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଚାର୍ଜ ସିଟ ଦାଖଲ କରିବା ଠାରୁ ଆରମ୍ଭ କରି ବିଚାର ପ୍ରକ୍ରିୟାକୁ ତୁରନ୍ତ ସମାପ୍ତ କରିବା ସହ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଉଲ୍ଲେଖ ଯୋଗ୍ୟଯେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି । ଏହା ସହ ଏଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ସମସ୍ତ ଜିଲ୍ଲାର ଏସପି, ରେଞ୍ଜ ଆଇଜି, ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.