Latest Odisha News

ବଜାରରୁ ୨ ଜଣଙ୍କୁ ଉଠାଇ ନେଲା ପୋଲିସ, ଥାନା ଘେରିଲେ ଡଙ୍ଗରିଆ କନ୍ଧ

ରାୟଗଡ଼ା: ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ । ଏକାଠି ହେଲେ ଡଙ୍ଗରିଆ କନ୍ଧ । ଶନିବାର ମାଓ ଇନଫର୍ମର ସନ୍ଦେହରେ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ ଜଣଙ୍କୁ ଉଠାଇ ନେଇଥିଲା । ଯାହାର ପ୍ରତିବାଦରେ  ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ।

ଶତାଧିକ ଡଙ୍ଗରିଆ କନ୍ଧ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଛନ୍ତି । ସେମାନଙ୍କୁ ବୁଝାସୁଝା କରୁଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗାଁର କୃଷ୍ଣ ଶିକକା ଓ ବାରି ଶିକକାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଶନିବାର ଉଠାଇ ନେଇଛି । ଆଜି ସକାଳୁ ନିୟମଗିରି ଅଞ୍ଚଳର ୧୨୧ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ନିୟମଗିରି ସୁରକ୍ଷା ସମିତି ସଭାପତି ଶିକକା ଲଦଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ଥାନା ଘେରାଉ ଉଦ୍ୟମ କରିଛନ୍ତି ।

ଦୁଇ ଜଣକୁ ନ ଛାଡ଼ିବା ଯାଏ ସେଠାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଡଙ୍ଗରିଆ କନ୍ଧ । ଘଟଣା ସ୍ଥଳରେ ଜଣେ ଅତିରିକ୍ତ ଏସପି, ୬ ଜଣ ଆଇଆଇସିଙ୍କ ସହ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ୨ ଜଣଙ୍କୁ ପୋଲିସ ନ ଛାଡ଼ିଲେ ପରିସ୍ଥିତି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.