Latest Odisha News

ସରକାରୀ ଅଧିକାରୀଙ୍କୁ ମାଡ଼ ମରା ଘଟଣା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କାର୍ଯ୍ୟାଳୟରେ ପୋଲିସର ତଦନ୍ତ

ମୟୂରଭଞ୍ଜ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମହଙ୍ଗା ପଡ଼ିଲା ସରକାରୀ ଅଧିକରୀଙ୍କୁ ମାଡ଼ ମାରିବା । ମୟୁରଭଞ୍ଜର ଦୁଇ ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବାରିପଦା କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୟୂରଭଞ୍ଜ ଯୋଜନା ବୋର୍ଡ ଡାଇରେକ୍ଟର, ଡେପୁଟି ଡାଇରେକ୍ଟରଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମାଡ ମାରି ହାତ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଏତଲା ପରେ ବାରିପଦା ପୋଲିସର ୮ ଜଣିଆ ଟିମ ସହ ସାଇଣ୍ଟିଫିକ ଟିମ୍ ତକତପୁରରେ ଥିବା ସାଂସଦଙ୍କ ଅଫିସରେ ଚଢ଼ାଉ କରି ତଦନ୍ତକୁ ଜୋରଦାର କରିଛି ।

ଗତ ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ୨ ସରକାରୀ ଅଧିକାରୀ ଅଶ୍ବିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ରଙ୍କୁ ନିଜ ଅଫିସକୁ ଡାକି ମାଡ଼ ମାରିଥିଲେ । ସାଂସଦଙ୍କ ଆକ୍ରମଣରେ ୨ ଜଣ ଅଧିକାରୀ ରକ୍ତାକ୍ତ ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ମୟୂରଭଞ୍ଜ ଯୋଜନା ବୋର୍ଡ ଡାଇରେକ୍ଟରଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଅନ୍ୟପଟେ ଏପରି ଅଭିଯୋଗ ରୋକଠୋକ୍ ଖଣ୍ଡନ କରିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ଘଟଣାକୁ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଲାଗିଥିଲା ଆଇପିସି ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଭଳି ଦଫା ଲାଗିଛି ।

Comments are closed, but trackbacks and pingbacks are open.