ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ହାଟଗାଁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ । ପୋଲିସର ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଉପରେ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ। । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ତେବେ ଆହତମାନଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣା ପରେ ପୋଲିସ ପ୍ରଶାସନ ତରଫରୁ କଠୋର ଆକ୍ସନ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତିରେ ପୋଲିସ ଫୋର୍ସ ଗାଁରେ ଘରେ ଘରେ ପଶି ବ୍ୟାପକ ଚଢ଼ାଉ କରିବା ସହ ପ୍ରାୟ ୨୪ରୁ ଅଧିକ ଲୋକଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଥିଲା ।
ଏହାର ପ୍ରତିବାଦରେ ଅଟକ ଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଏକାଠି ହୋଇ ବୌଦ୍ଧ ଏସ୍ପି ଅଫିସ୍ ଘେରାଉ କରିବା ସହ ଜୋରଦାର ହଙ୍ଗାମା କରିଛନ୍ତି ।
ଏସ୍ପି ଅଫିସ୍ ଆଗରେ ଉତ୍ତେଜନା ସମ୍ପର୍କରେ ଖବର ପାଇ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ସେ ବୌଦ୍ଧ ଏସ୍ପିଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, କିନ୍ତୁ କୌଣସି ଗୋଟିଏ ବି ନିର୍ଦ୍ଦୋଷ ବ୍ୟକ୍ତି ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ପୁଲିସ ପ୍ରଶାସନ ସଜାଗ ରହିବା ଉଚିତ୍ ବୋଲି ବିଧାୟକ ସ୍ପଷ୍ଟ କରିଥିଲେ ।
ଘଟଣାର ଗୁରୁତ୍ୱ ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ ଡିଆଇଜି (DIG) ନିଜେ ବୌଦ୍ଧ ଗସ୍ତରେ ଆସି ଏହାର ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରିବେ ବୋଲି ବିଧାୟକ ପ୍ରଧାନ ସୂଚନା ଦେଇଛନ୍ତି । ସାଧାରଣ ଲୋକେ ଏବେ ଡିଆଇଜିଙ୍କ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛନ୍ତି ।