Latest Odisha News

BREAKING NEWS

ପାଇକ ବିଦ୍ରୋହକୁ ନେଇ ତେଜିଲା ରାଜନୀତି: ନିର୍ବାଚନୀ ଇସ୍ୟୁ କରିବେ ବିଜେଡି-ବିଜେପି !

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ନେଇ ମୁହାଁମୁହିଁ ବିଜେଡ-ବିଜେପି । ପାଇକ ବିଦ୍ରାହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ନେଇ ରାଜ୍ୟ ବିଜେଡି ସରକାର କେନ୍ଦ୍ରକୁ ଦାୟୀ କରୁଛି । ଅନ୍ୟପକ୍ଷେ ପାଲଟା ଜବାବ ଦେଇ ବଜେପି କହିଛି ଓଡ଼ିଶାରେ ପାଇକ ସ୍କାରକୀ ନ କରିବା ଲାଗି ବିଜେଡି ସରକାର ଷଡଯନ୍ତ୍ର କରୁଛି । ଏହି ପ୍ରସଙ୍ଗକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଥିବାବେଳେ ଆଗାମୀ ୨୦୨୪ ନିର୍ବାଚନରେ ଏହା ଏକ ବଡ ଇସ୍ୟୁ କରିବେ ବୋଲି କହିଛନ୍ତି ।

BjdElectrycity

ପାଇକ ସ୍ମାରକୀ କାମକୁ ନେଇ ବିଜେଡି ଉପଥିରେ  ବିବର୍ଷିଛି ବିଜେପି । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିଲା । ହେଲେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି । ଏହା କେତେଦୂର ଯୁକ୍ତିଯୁକ୍ତ ? ସହୀଦ ସ୍ମାରକୀ ନିର୍ମାଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର  ସହଯୋଗୀ ହୁଅନ୍ତୁ । ନଚେତ  ଆଗାମୀ ବିଧାନସଭା ଅଧିବେଶନରେ ବିଜେଡିର ଷଡଯନ୍ତ୍ରକୁ ପ୍ରସଙ୍ଗ କରିବ ବୋଲି ଚେତାବନୀ ଦେଇଛି ବିଜେପି ।

ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ବିଜେପି ରାଜ୍ୟ ଉପସଭାପତି  ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନରେ କହିଛନ୍ତି,  ବକ୍ସି ଜଗବନ୍ଧୁଙ୍କ ପରିବାରର ସଦସ୍ୟ ହିସାବରେ ବିଜେଡ଼ିର ଆଭିମୁଖ୍ୟକୁ ମୁଁ ନିନ୍ଦା କରୁଛି ।   ପାଇକ ବିଦ୍ରୋହକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦେଶର ଦୁଇ ଜଣ ପୂର୍ବତନ ମାନ୍ୟବର ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ପାଇକ ବିଦ୍ରୋହ ବାବଦରେ ବହୁତ କିଛି କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଅର୍ଥର ବ୍ୟୟବରାଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି । ଏଥିପାଇଁ ଓଡ଼ିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଧାୟକ ମହାପାତ୍ର ।

ପାଇକ ବିଦ୍ରୋହକୁ ନେଇ ଜାତୀୟ ସ୍ତରରେ ବିଦ୍ରୋହୀ ଧାରାବାହିକ ପ୍ରସାରଣ ହୋଇଛି, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରଣରୁ ସମ୍ଭବ ହୋଇଛି । ବିଦ୍ରୋହୀ ଧାରାବାହିକକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦିଲ୍ଲୀରେ ଦେଖିବା ସମୟରେ ସେହି କାର୍ଯ୍ୟକ୍ରମରେ ବିଜେଡ଼ି ସାଂସଦମାନେ ଉପସ୍ଥିତ ଥିଲେ । ବିଜେଡ଼ିର ନୂଆ ନୂଆ ସାଜିଥିବା ସାଆନ୍ତ ଓ ଗୁମାସ୍ତାମାନେ ସେମାନଙ୍କ ଦଳର ସାଂସଦମାନଙ୍କୁ ପଚାରନ୍ତୁ, ଆମର ପ୍ରିୟ ଗୃହମନ୍ତ୍ରୀ ଅମିତ ଶାହ ସେହି ଦିନ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ ବିଷୟରେ କଣ କହିଥିଲେ ଓ ସେ ତାଙ୍କ ବିଷୟରେ କ’ଣ କ’ଣ ଜାଣିଛନ୍ତି ।

ଅପରପକ୍ଷରେ ପାଇକ ବିଦ୍ରୋହ ସ୍ମାରକୀ ନ କରାଇ ଦେବା ପାଇଁ ବିଜେଡିର ନିଜକୁ ସାଆନ୍ତ ଓ ଗୁମାସ୍ତା ଭାବୁଥିବା ଲୋକମାନେ ଷଡଯନ୍ତ୍ର ରଚିଛନ୍ତି । ପାଇକ ସ୍ମାରକୀ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ୫୦ ଏକର ଜମି ମାଗି ଥିବା ବେଳେ ରାଜ୍ୟ ସରକାର ମାତ୍ର ୯.୫ ଏକର ଜମି ଦେଇଛନ୍ତି । ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ଡିଏଫଓଙ୍କ ଦାବି ଅନୁସାରେ ୭୭୯ଟି ଗଛ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସରିଛି । ରାଜ୍ୟ ସରକାରଙ୍କର ଜାଗା ଦେବାରେ ବିଳମ୍ବ ହେବା କାରଣରୁ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥାନରୁ ବିଦ୍ୟୁତ୍ ଖୁଂଟ ଓ ଗଛ ସ୍ଥାନାନ୍ତରରେ ବିଳମ୍ବ ହୋଇଛି । ଯାହା ପାଇକ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସମ୍ମାନକୁ ଦର୍ଶାଉଛି । ପାଇକ ସଂଗ୍ରାମୀଙ୍କ ସ୍ମୃତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାରେ ଘୋର ଅଭାବ ରହିଛି । ଟାଳଟୁଳ ନୀତି ଅବଲମ୍ବନ ନ କରି ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ସହଯୋଗୀ ହୁଅନ୍ତୁ । ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏଠି କହିରଖିବୁ,  ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଥିଲେ,  କେନ୍ଦ୍ର କି ରାଜ୍ୟ ବିଜେପିର ସ୍ୱାଧୀନତା ସଂଗ୍ରାମ ନେଇ ଜ୍ଞାନ ନାହିଁ । ଜୟୀ ରାଜଗୁରୁ ପ୍ରଥମ ସହିଦ ଯାହାଙ୍କୁ ଇଂରେଜ ବାଲେଶ୍ୱରରେ ଫାଶୀ ଦେଇଥିଲେ ।  ଏହି ଇତିହାସ ଜାଣି ନଥିବାରୁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ।  ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଓଡ଼ିଶା, ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହାଁନ୍ତି  ଯାହା 1857 ପୂର୍ବରୁ   ହୋଇଥିଲା ।  ଏହାକୁ କେନ୍ଦ୍ର ସରକାର ମାନ୍ୟତା ଦେଇ ଇତିହାସରେ ଲିପିବଦ୍ଧ କରିବା ଉଚିତ ।  ବିଜେପି ଜାଣିଛି 2024ରେ ହାରିବ । ତେଣୁ ପ୍ରସଙ୍ଗ ନଥିବାରୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏପରି ଚକ୍ରାନ୍ତ କରୁଛନ୍ତି । ହେଲେ  ସେଥିରେ ସେମାନେ ସଫଳ ହେବେନି ବୋଲି କହିଥିଲେ ।

Leave A Reply

Your email address will not be published.