Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଢିଲା ରାଜନୀତି

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ତାରିଖ ସହ ମୋଡାଲିଟି ନେଇ କାଲି ନୂଆ କମିଟି ଘୋଷଣା କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ ହେବେ, ସେନେଇ କମିଟି ନିଷ୍ପତ୍ତି ନେବ । କାଲି ପ୍ରଥମ ବୈଠକ ବସିବା ପରେ କମିଟି ଯେଉଁ ନିର୍ଦ୍ଦେଶ ଦେବ, ସେ ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତେବେ ନବୀନ ସରକାର ଗଢିଥିବା କମିଟିକୁ ନୂଆ ସରକାର ଭାଙ୍ଗିବା ପରେ ବଢିଛି ରାଜନୀତି ।

ରତ୍ନଭଣ୍ଡାର ପାଇଁ ନୂଆ କମିଟି

ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ପୂର୍ବ ବିଜେଡି ସରକାର ଗଠନ କରିଥିବା କମିଟି ଭାଙ୍ଗିଛନ୍ତି ଏବେକାର ବିଜେପି ସରକାର। ଏଥିସହ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି। ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ହୁଅନ୍ତୁ କି ଗଜପତି ମହାରାଜାଙ୍କ ପ୍ରତିନିଧି, କମିଟିରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସଦସ୍ୟ ରହିଛନ୍ତି ।

ଭାଙ୍ଗିଲା କମିଟି ବଢିଲା ରାଜନୀତି

୨୦୨୪ ମାର୍ଚ୍ଚ ୨ତାରିଖରେ ରତ୍ନଭଣ୍ଡାର ତଦାରଖ ପାଇଁ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିଥିଲେ ନବୀନ ସରକାର। ତେବେ ବିଜେପି ସରକାର ଏହି କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ମନ୍ଦ ଉଦ୍ଦେଶ୍ୟ ରଖି ପୂର୍ବ କମିଟି ଭଙ୍ଗାଗଲା ଓ ବିଜେପି ସରକାର ଖାଲି ଭୁଆଁ ବୁଲାଇବେ ବୋଲି ପ୍ରମିଳା କହିଛନ୍ତି । ତେବେ ପ୍ରମିଳାଙ୍କୁ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୨୪ବର୍ଷର ବିଜେଡି ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି । ରତ୍ନଭଣ୍ଡାର ପାଇଁ ବିଜେପି ସରକାର ପଦକ୍ଷେପ ନେଇଛନ୍ତି, କମିଟି ଗଠନ ହୋଇଛି । ଠିକ୍ ସମୟରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ । ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି ହେବ, ସଂରକ୍ଷଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ନିର୍ବାଚନ ପ୍ରସଙ୍ଗ ବି ଥିଲା ରତ୍ନଭଣ୍ଡାର

ଗତ ନିର୍ବାଚନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରତ୍ନଭଣ୍ଡାରକୁ ନେଇ ନବୀନ ସରକାର ଉପରେ ବର୍ଷିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଓଡିଶାରୁ ତାମିଲନାଡୁ ପଠାଉଥିବା ଲୋକଙ୍କୁ ରାଜ୍ୟବାସୀ କେବେ କ୍ଷମା କରିବେନି । ବିଜେପି ସରକାର କ୍ଷମତାକୁ ଆସିଲେ ରତ୍ନଭଣ୍ଡାର ଚାବି ରହସ୍ୟ ଖୋଜିବା ସହ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ବୋଲି ମୋଦି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଭାଷଣକୁ ନେଇ ସେତେବେଳେ ଓଡିଶାରୁ ତାମିଲନାଡୁ ଜୋରଦାର ରାଜନୀତି ହୋଇଥିଲା । ପ୍ରତି ଓଡିଆଙ୍କ ଭାବର ଠାକୁର ଜଗନ୍ନାଥଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ ଲୋକଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା। କେଉଁଠି ନା କେଉଁଠି ରତ୍ନଭଣ୍ଡାର ପ୍ରସଙ୍ଗ ବିଜେପିର ବିଜୟ ପାଇଁ ବଡ଼ ଫ୍ୟାକ୍ଟର ହୋଇଥିଲା।

ନିର୍ବାଚନ ଜିତିବା ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି ବିଜେପି ସରକାର । ନୂଆ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ପ୍ରଥମେ ରତ୍ନଭଣ୍ଡାର ଖୋଲିବାକୁ ଗୁରୁତ୍ବ ଦେଇଛନ୍ତି । ତାପରେ ହିଁ ପ୍ରକୃତ କାମ ଆରମ୍ଭ ହେବ । ରତ୍ନଭଣ୍ଡାରରେ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ ଶୀଘ୍ର ସାରିବାକୁ ଉଦ୍ୟମ କରାଯିବ । ୧୯୭୮ରେ ଶେଷ ଥର ଲାଗି ରତ୍ନଭଣ୍ଡାର ଖୋଲାଯାଇଥିଲା । ତେଣୁ ୪୫ବର୍ଷ ପରେ ପୁଣି ଖୋଲାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାର କେବେ ଖୋଲିବ, ସେଥିପାଇଁ ସାରା ରାଜ୍ୟର ଅପେକ୍ଷା ରହିଛି ।

Leave A Reply

Your email address will not be published.