Latest Odisha News

BREAKING NEWS

ଯୁଦ୍ଧ ପୂର୍ବରୁ ସଂକଟରେ କଂଗ୍ରେସ! ଦଳ ଛାଡୁଛନ୍ତି ହେଭିୱେଟ୍ ନେତା

ଭୁବନେଶ୍ଵର: ଚବିଶ ଲଢେଇ ପାଇଁ ୯ରୁ ୯୦ ନାରା ଦେଇଥିଲା ରାଜ୍ୟ କଂଗ୍ରେସ । ହେଲେ ଏବେ ସେଇ ୯ସିଟିଂ ବିଧାୟକଙ୍କୁ ବି ରଖିପାରିନି ଦଳ । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଲେଣି । ଆଉ ଦୁଇ ବିଧାୟକ କଂଗ୍ରେସ ଟିକେଟ୍ ପାଇବା ପରେ ବି ଶଙ୍ଖ ଧରିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଚିରଞ୍ଜିବୀ ବିଶ୍ୱାଳ, ଗଣେଶ୍ୱର ବେହେରା, କେ. ସୂରିୟା ରାଓଙ୍କଠାରୁ ଆରମ୍ଭ କରି ବାପି ସର୍ଖେଲଙ୍କ ଯାଏଁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ୱିକେଟ୍ । ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ମିଶିବା ପରଠୁ ପାରାଦୀପ ଟିକେଟ୍ ପାଇଁ ଦାବିଦାର ସଂଖ୍ୟା ବଢି ଯାଇଛି । ସେହିପରି କେନ୍ଦ୍ରାପଡା ପାଇଁ ଶୀଘ୍ର ବିଜେଡିରେ ମିଶିପାରନ୍ତି ଗଣେଶ୍ୱର । କେବଳ ନିହାର ମହାନନ୍ଦ ଅତାବିରାରୁ ବିଜେପି ଟିକେଟ୍ ପାଇଛନ୍ତି ।

ହାତ ଛାଡି ଶଙ୍ଖମୁହାଁ ନେତା!

ହାତ ଛାଡୁଥିବା ଅଧିକାଂଶ କଂଗ୍ରେସ ନେତା ଶଙ୍ଖମୁହାଁ । ସୁରେନ୍ଦ୍ର ସିଂହ ଭୋଇ ବିଜେଡି ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ସେହିପରି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ୱରରୁ ଲଢିବେ ଦିଲ୍ଲୀ ଲଢେଇ । ଦୁଇ ବିଧାୟକଙ୍କୁ କଂଗ୍ରେସ ଟିକେଟ୍ ଦେଇଥିବା ବେଳେ ସେମାନେ ବି ବିଜେଡିରେ ମିଶିବାରୁ ଯୋଗସୂତ୍ରରେ ଥିବା ଚର୍ଚ୍ଚା ହେଉଛି ।

ପଶ୍ଚିମରୁ ଉପକୂଳ ସବୁଠି ହାତ ଦୁର୍ବଳ!

ଦିନେ ଯେଉଁ ନେତାଙ୍କ ଦମରେ ପୁଣି କ୍ଷମତାକୁ ଫେରିବାକୁ ହୁଙ୍କାର ଭରୁଥିଲା କଂଗ୍ରେସ, ଏବେ ସେଇ ନେତା ହାତ ଛାଡି ଦେଇଛନ୍ତି । ଦଳୀୟ ପ୍ରାର୍ଥୀ କଂଗ୍ରେସ ଛାଡିବା ପରେ କେତେକ ନିର୍ବାଚନମଣ୍ଡଳୀରେ ନୂଆ ମୁହଁ ଖୋଜୁଛି ଦଳ । କଂଗ୍ରେସର ଶକ୍ତି ପ୍ରଦର୍ଶନ କରୁଥିବା ଚିରଞ୍ଜିବୀ ହୁଅନ୍ତୁ କି କେନ୍ଦ୍ରାପଡାରେ ବିଜେଡିକୁ ଚ୍ୟାଲେଞ୍ଜ କରୁଥିବା ଗଣେଶ୍ୱର, କିମ୍ବା ପାରାଦୀପର ବାପି ସର୍ଖେଲ । ପଶ୍ଚିମରୁ ଉପକୂଳ ସବୁଠି ହାତମୁଠା ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଆଉ କେତେଟା ଦିନ ଥିବା ବେଳେ ଏବେ ନୂଆ ମୁହଁକୁ ପ୍ରାର୍ଥୀ କରି ମଇଦାନକୁ ଓହ୍ଲାଇବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

ବିଦ୍ରୋହ…ଅସନ୍ତୋଷ…ଇସ୍ତଫା

୪୭ ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ଟିକେଟକୁ ନେଇ ବି ନାକେଦମ୍ କଲେଣି ନେତା ଓ କର୍ମୀ । ପରିବାରରୁ କାହାକୁ ଟିକେଟ୍ ନମିଳିବା ପରେ ଖୋଲାଖୋଲି ଅସନ୍ତୋଷ ଝାଡିଛନ୍ତି ଶିଶିର ଗମାଙ୍ଗ । କଂଗ୍ରେସରେ ଡିଲ୍ ଚାଲିଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି । କେଉଁଠି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି ତ କେଉଁଠି ଇସ୍ତଫା ପର୍ବ । ପରିବାରବାଦକୁ ନେଇ ନବରଙ୍ଗପୁରରେ ଝଡ ତ ରାଉରକେଲା ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ଓହ୍ଲାଇଛନ୍ତି ଖୋଦ୍ ଜିଲ୍ଲା କଂଗ୍ରେସ ସଭାପତି । ରାୟଗଡାରୁ ବିଷମକଟକ, ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଘମାସାନ ଚାଲିଛି ।

ଚବିଶ ନିର୍ବାଚନ ପୂର୍ବରୁ ଗ୍ରାଣ୍ଡ ଓଲ୍ଡ ପାର୍ଟି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ତୁଙ୍ଗ ନେତାଙ୍କ ଦଳବଦଳ ଓ ଦଳ ଭିତର ଅନ୍ତକନ୍ଦଳ । ସେଥିପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବା କୁହାଯାଉଛି ।

Leave A Reply

Your email address will not be published.