Latest Odisha News

ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି ସେଇଠି ଭୋଟ୍ ଦେବେ ପୋଲିଂ କର୍ମଚାରୀ

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ ।

ଖାଲି ସେତିକି ନୁହେଁ, ଘରେ ରହି ମଧ୍ୟ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର ମାନେ ଭୋଟ୍ ଦେଇପାରିବେ ଏନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଙ୍କ ସୂଚନା ଅନୁସାରେ, ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ପଡ଼ି ରହିଥିଲେ ସେମାନଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ସାଧାରଣ ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ  ।

ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ମତଦାତା ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ୟାପକ ସଚେତନ କରାଯଉଛି । ଇଭିଏମ୍‌ରେ କିପରି ଭୋଟ ଦିଆଯିବ ବୁଥ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଯାଉଛି । ଏଥିନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଟାଇମ୍ ଲାଇନ୍ ଅନୁସାରେ ଚାଲିଥିବା କହିଛନ୍ତି ଶ୍ରୀ ଧଳ ।

Comments are closed.