ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଂଚଳରେ କ୍ରମାଗତ ଭାବେ ଗଡି ଚାଲିଛି ମୁଣ୍ଡ। ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାଏଁ ୩ ଜଣଙ୍କ ପ୍ରାଣହାନି ଘଟଲାଣି। ଏପ୍ରିଲ ୨୩ ତାରିଖରେ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମରେ ୨ ଜଣ ଗ୍ରାମବସୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିବା ସହିତ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଥିଲା।
ଏହି ହତ୍ୟାକାଣ୍ଡର ଏକ ମାସ ପରେ ପରେ ରବିବାର ରାତିରେ ଦିଗପହଣ୍ଡି ଥାନା ଅଧିନସ୍ଥ ଆଙ୍କୋରଡା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ବାବୁ ଗୈାଡଙ୍କୁ ଛୁରିରେ ଗଳାକାଟି ହତ୍ୟା କରାଯାଇଛି। ସୋମବାର ପୂର୍ବାହ୍ନରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ୍ ଗ୍ରାମରେ ପହଞ୍ଚି ମୃତକ ଏବଂ ଗୁରୁତର ଆହତ ପ୍ରଦୀପ ସାହୁଙ୍କ ପରିବାରକୁ ଭେଟିବା ସହ ଘଟଣାର ଅନୁଧ୍ୟାନ କରିଥିଲେ।
ଦିଗପହଣ୍ଡି ଥାନା ଅଞ୍ଚଳରେ ରାଜନୈତିକ ହିଂସାକୁ କେନ୍ଦ୍ରକରି ଲୋକଙ୍କୁ ହତ୍ୟା କରାଯାଉଥିବାରୁ ଗ୍ରାମରେ ଭୟରବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ପୂର୍ବ ଘଟଣାର ଚାର୍ଜସିଟ୍ କୋର୍ଟରେ ପହଞ୍ଚିବା ପୂର୍ବରୁ ପୁଣି ଏକ ହତ୍ୟା କରି ଅପରାଧୀମାନେ ପୁଲିସକୁ ଖୋଲା ଚାଲେଞ୍ଜ କରିଥିବା କୁହାଯାଉଛି ।
ଶବ ବ୍ୟବଚ୍ଛେଦ ପରେ ଗାଁ ରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶବଦାହ କରାଯାଇଥିଲା। ପୁଲିସ ବାବୁ ଗୌଡ଼ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତୋଫାନଙ୍କୁ ଥାନାକୁ ଆଣି ଜେରା କରୁଥିବା ସୂଚନା ମିଳିଛି। ତେବେ ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ଚର୍ଚାର ଜାରି ରହିଛି।
ରବିବାର ରାତିରେ ବାବୁ ଗୌଡ଼ ଓ ପ୍ରଦୀପ ବାଇକରେ ଘରକୁ ଯାଉଥିବା ସମୟରେ ଅଭିଯୁକ୍ତ ବିଜୟ କୁମାର ଗୌଡ଼ ଓରଫ୍ ତୋଫାନ ସେମାନଙ୍କୁ ଗ୍ରାମ ଛକ ନିକଟରେ ଅଟକାଇ ଥିଲେ । ବାବୁ ଓ ତୋଫାନ ମଧ୍ୟରେ କଥା କଟାକଟି ହୋଇଥିଲା । ପୂର୍ବରୁ ଯୋଜନା କରିଥିବା ତୋଫାନ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ବାବୁର ଗଳାକୁ ଭୁଶି ଦେବା ସହିତ ପରେ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା। ପ୍ରଦୀପ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତୋଫାନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଗଣ୍ଡଗୋଳକୁ ଛଡାଉଥିବା ତୋଫାନର ମାଆ ମଧ୍ୟ ଛୁରା ମାଡରେ ଆହତ ହୋଇଛନ୍ତି।
ଗ୍ରାମବାସୀ ବାବୁ ଓ ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରୁଥିଲେ। ହେଲେ ରାସ୍ତାରେ ବାବୁଙ୍କ ମୃତ୍ୟୁ ହୋଇଯାଇଥିଲା। ପ୍ରଦୀପଙ୍କୁ ଚିକିତ୍ସା ନିମନ୍ତେ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପଞ୍ଚାୟତ ନିର୍ବାଚନ ଠାରୁ ହିଁ ବାବୁ ଏବଂ ତୋଫାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ବାବୁଙ୍କୁ ଜୀବନରେ ମାରିଦେବାକୁ ତୋଫନ ଅନେକ ସମୟରେ ଧମକ ମଧ୍ୟ ଦେଇଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଦିଗପହଣ୍ଡିରେ ଏଭଳି ଗୋଟିଏ ପରେ ଗୋଟିଏ ରାଜନୈତିକ ହିଂସା ଆଇନ ଶୃଙ୍ଖଳା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
Comments are closed.