ଭୁବନେଶ୍ବର: ୩ମାସ ପରେ ଫେରିଲା ଆଳୁ ସଂକଟ । ସପ୍ତାହରେ ବଢିଲା ୩୦ଟଙ୍କା । ଆଳୁ କିଲୋ ୬୦ପାର । ଆଳୁ ମହରଗକୁ ନେଇ ରାଜନୀତି ଜୋରଦାର । ଗତ ୪ଦିନ ହେଲା ରାଜ୍ୟରେ ଆଳୁ ଦର ବଢିଥିବା ବେଳେ ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଲୋକେ ଆଳୁକୁ ନେଇ ହଇରାଣ ହେଉଥିବା ବେଳେ ରାଜ୍ୟ ଯୋଗାଣମନ୍ତ୍ରୀଙ୍କ ମନ୍ତବ୍ୟ ବେଶୀ କଷ୍ଟ ଦେଉଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ଆଳୁ ଦର ବୃଦ୍ଧିକୁ ନେଇ କଂଗ୍ରେସ ବି ବିଜେଡି ସହ ସ୍ବର ମିଳାଇଛି ।
ଶୂନ୍ୟକାଳରେ ଆଳୁ ଝଡ଼
ବିଧାନସଭା ଶୂନ୍ୟକାଳରେ ଆଳୁ ସଂକଟକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗତ ଅଗଷ୍ଟ ମାସ ପରେ ପୁଣି ରାଜ୍ୟରେ ଆଳୁ ଦର ଅହେତୁକ ବୃଦ୍ଧି ହୋଇଛି । ହେଲେ ଯୋଗାଣ ମନ୍ତ୍ରୀ ସମସ୍ୟାର ସମାଧାନ କରିବେ କଣ ଓଲଟା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଯୋଗାଣ ମନ୍ତ୍ରୀ କେଉଁଠୁ ୩୦ ଟଙ୍କାରେ ଆଳୁ କିଣୁଛନ୍ତି, ତାର ଠିକଣା ମାଗିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏଥିସହ ଉତ୍ତରପ୍ରଦେଶରୁ କେଉଁ ଟ୍ରେନରେ ଆଳୁ ଆସୁଛି, ତାର ଇଞ୍ଜିନ ଟାଣୁନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଯୋଗାଣ ବିଭାଗ ନୁହେଁ ବରଂ ବ୍ୟବସାୟୀମାନେ ୩ଶହ ଟ୍ରକ ଆଳୁ ଆଣୁଛନ୍ତି । ସେତିକି ଆଳୁ ବି ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇ ପାରିବନି । ତେଣୁ ମୁଖ୍ୟମନ୍ତ୍ରୀ ଆଳୁ ସଂକଟ ନେଇ ହସ୍ତକ୍ଷେପ କରିବାକୁ ବିଜେଡି ଦାବି କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ଆଳୁ ସଂକଟ ପାଇଁ ପୂର୍ବ ସରକାରକୁ ଦାୟୀ କରିଛି ବିଜେପି ।
ଫେରିଲା ଆଳୁ ସଂକଟ
ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ କରିବା ପରେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆଳୁଦର । ସପ୍ତାହେ ତଳେ ଆଳୁ ୩୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ହେଲାଣି ୬୦ଟଙ୍କା । ଯୋଗାଣ ବିଭାଗ ପକ୍ଷରୁ କୁହାଯାଉଛି, ଆଳୁ ୪୦ଟଙ୍କାରୁ ଅଧିକରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ବଦଳୁନି ସ୍ଥିତି । କେଉଁଠି ୫୦ ତ କେଉଁଠି ୬୦ରେ ବିକ୍ରି ହେଉଛି ଆଳୁ । ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରେଟ ଚାର୍ଟ ଲଗାଇବାକୁ କୁହାଯାଇଛି । ସେପଟେ ୟୁପି ଆଳୁ ଆସିବାକୁ ୩ଦିନ ଲାଗୁଥିବାରୁ ବସ୍ତାରେ ୮ରୁ ୧୦କେଜି ପଚା ବାହାରୁଛି । ସ୍ବାଦ ବି ଭଲ ରହୁନଥିବା ଖାଉଟି କହୁଛନ୍ତି । ତେଣୁ ନା ଗ୍ରାହକ ନା ବ୍ୟବସାୟୀ କେହି ବି ୟୁପି ଆଳୁକୁ ପସନ୍ଦ କରୁନାହାନ୍ତି ।
ଅଗଷ୍ଟ ସଂକଟରୁ ଶିଖିଲେନି ସରକାର !
୩ମାସ ତଳେ ଅଗଷ୍ଟରେ ବି ଆଳୁ ସଂକଟ ଦେଖା ଦେଇଥିଲା । ପଶ୍ଚିମବଙ୍ଗ ଆଳୁ ଦେବା ବନ୍ଦ କରିବା ପରେ ପ୍ରଭାବିତ ହୋଇଥିଲେ ଓଡିଶା ଖାଉଟି । ଏଥର ପୁଣି ସମାନ ସଂକଟ ଫେରିଛି । ହେଲେ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳୁନି । ନା ଆଳୁ କିଭଳି ଆସିବ ସେନେଇ ପଦକ୍ଷେପ ନିଆଯାଉଛି ନା କଳାବଜାରୀ ରୋକିବାକୁ ଉଦ୍ୟମ ହେଉଛି । ତାସାଙ୍ଗକୁ ଯୋଗାଣ ମନ୍ତ୍ରୀଙ୍କ ହାଲୁକା ଓ ଶସ୍ତା ମନ୍ତବ୍ୟ ଲୋକଙ୍କୁ ବେଶୀ କଷ୍ଟ ଦେଉଛି । ଗତଥର ଆଳୁ ସଂକଟ ବେଳେ ଅଳ୍ପ କିଛି ଦିନ ହେବ କ୍ଷମତାକୁ ଆସିଥିଲା ବିଜେପି ସରକାର । ଏବେ ତ ଅଭିଜ୍ଞତା ବି ଅଛି। ତେବେ କାହିଁକି ଆଳୁ ଦର ବୃଦ୍ଧିରେ ଅଙ୍କୁଶ ଲଗାଇ ପାରୁନାହାନ୍ତି ସରକାର? ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ଦରଦାମ୍ ବୃଦ୍ଧି ଅସନ୍ତୋଷକୁ ନେଇ ସରକାର କ୍ଷମତାଚ୍ୟୁତ ହେବାର ନଜିର ରହିଛି । ତେଣୁ ଆଳୁ ସଂକଟକୁ ରାଜ୍ୟ ସରକାର ହାଲୁକାରେ ନନେବା ଉଚିତ୍ । ଟ୍ରେନରେ ଆଳୁ ଆସିବା ଭଳି ହାଲୁକା ମନ୍ତବ୍ୟ ଦେଇ ଲୋକଙ୍କ ସମବେଦନା ସହ ଖେଳିବା ଉଚିତ୍ ନୁହେଁ । କେମିତି ଦର କମ୍ କରିହେବ ପଦକ୍ଷେପ ନିଅନ୍ତୁ ସରକାର । ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । କାରଣ ଆଳୁ ସଂକଟ ଲୋକଙ୍କ ପ୍ରସଙ୍ଗ । ସମାଧାନ ନହେଲେ ବଡ ଜନଅସନ୍ତୋଷ ଦେଖାଦେବ ।