ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବାପରେ ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି ।
ଖାଉଟି ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଖାଉଟି ମାନଙ୍କ ନିମନ୍ତେ ସୁଲଭ ଦରରେ ଆଳୁ ଯୋଗାଣ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି ଗାଡ଼ିରେ ୬୦ ଟନ୍ ଆଳୁ ଉତ୍ତରପ୍ରଦେଶରୁ ଆସି ବର୍ତ୍ତମାନ ଭୁବନେଶ୍ୱରରେ ପହଁଚିଛି ।
ଆଜି ଏହି ଆଳୁକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରି କରାଯାଇଛି । ଏହି ଆଳୁ ସମସ୍ତ ସରକାରୀ ସୁଲଭ ଖୁଚୁରା କେନ୍ଦ୍ରରେ ସର୍ବସାଧାରଣମାନଙ୍କୁ ବିକ୍ରି କରାଯିବ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ଜୟପୁର, ବାଲେଶ୍ୱର, ବଲାଙ୍ଗୀର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ । ଖାଉଟିମାନେ ଏହାକୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ କିଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.