Latest Odisha News

ମହାପ୍ରଭୁଙ୍କ ପ୍ରାବୃଟ ରାସର ଐତିହ୍ୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ବୈଷ୍ଣବୀୟ ପରମ୍ପରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଇଁ ବର୍ଷ ମଧ୍ୟରେ କେତେଗୋଟି ଯାତ୍ରା ବା ଉତ୍ସବ ପାଳନ କରାଯାଇଥାଏ । ସେଗୁଡ଼ିକ ହେଲା ବୈଖାଖ ମାସରେ ବା ଗ୍ରୀଷ୍ମ ଋତୁରେ ଚନ୍ଦନ ଯାତ୍ରା, ଶ୍ରାବଣ ମାସ ବା ବର୍ଷା ଋତୁରେ ଝୁଲଣ ଯାତ୍ରା ବା ପ୍ରାବୃଟ ରାସ, କାର୍ତ୍ତିକ ମାସ ବା ଶରତ ଋତୁରେ ଶରତ ରାସ ଏବଂ ଫାଲ୍‌ଗୁନ ମାସରେ ବସନ୍ତ ରାସ ଓ ଦୋଳଯାତ୍ରା । ଏହି ଯାତ୍ରାଗୁଡ଼ିକ ରସରାଜ ଶ୍ରୀକୃଷ୍ଣଙ୍କର ନୈସର୍ଗିକ ଲୀଳାର ଅବତାରଣା ସହିତ ଭକ୍ତିପ୍ଲୁତ ଆବେଗ ପାଇଁ ଉତ୍ସର୍ଗୀକୃତ । ଏଥିରେ କୃଷ୍ଣପ୍ରେମୀମାନଙ୍କ ଭକ୍ତିଭାବ ସହିତ ନୃତ୍ୟ ସଙ୍ଗୀତ ଓ ହସ୍ତକଳାର ଅପୂର୍ବ ସଙ୍ଗମ ଘଟି ଉତ୍ସବଗୁଡ଼ିକ ଅଧିକ ରସଯୁକ୍ତ ହୋଇଥାଏ ।

ସେଥିମଧ୍ୟରୁ ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ କରି ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ ହେଉଥିବା ଝୁଲଣ ଯାତ୍ରାରେ ଆଧ୍ୟାତ୍ମିକତା ସହିତ ସାଂସ୍କୃତିକ ବିଭବର ସମିଶ୍ରଣ ଘଟି ଏହି ଉତ୍ସବର ମାଧୁର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହା କେବଳ ଶ୍ରୀମନ୍ଦିର କାହିଁକି ବିଭିନ୍ନ ସ୍ଥାନରେ ଦୋଳିରେ ରାସପ୍ରିୟା ରାଧାରାଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ସମୟରେ କୃଷ୍ଣଧର୍ମୀ ସଙ୍ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରାଯାଏ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ସମେତ ଗୋପୀଗଣଙ୍କ ସହିତ ରଚିଥିବା ଲୀଳାର ଅନୁସୃଜନ ହିଁ ଏହି ପ୍ରାବୃତ ରାସର ମୁଖ୍ୟ ଆଧାର । ଶ୍ରୀମନ୍ଦିରରେ ଏହି ଉତ୍ସବ ଅବସରରେ ପୂର୍ବେ ଗାଆଣୀ ଓ ନାଚୁଣି ପର୍ଯ୍ୟାୟର ମାହାରିଙ୍କ ଦ୍ୱାରା ଏହି ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ସମ୍ପନ୍ନ ହେଉଥିଲା ।

ମାହାରି ସେବା ଲୋପ ହେବା ସହିତ ଗାଆଣିମାନଙ୍କ ଦ୍ୱାରା ଝୁଲଣ ମଣ୍ଡପ ସମ୍ମୁଖରେ କେବଳ ସଙ୍ଗୀତ ପରିବେଷଣ କରାଯାଉଥିଲା । ଏବେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ଭଜନ ଓ ଜଣାଣ ପ୍ରଭୃତି ବାଦ୍ୟ ସହିତ ଶୁଣିବାକୁ ମିଳେ । ଏହି ଯାତ୍ରା କାଳରେ ଶ୍ରୀମନ୍ଦିରର ମୁକ୍ତି ମଣ୍ଡପକୁ ଝୁଲଣ ମଣ୍ଡପରେ ପରିବର୍ତ୍ତିିତ କରାଯାଇଥାଏ । ମଣ୍ଡପର ସମଗ୍ର ସମ୍ମୁଖ ଭାଗ ସୋଲ, କାଗଜ,ଜରି, ଜମ୍ବୁରା ଆଦି ସାହାଯ୍ୟରେ ପ୍ରସ୍ତୁତ ବିଭିନ୍ନ ରୂପ ଫୁଲ, ଡାଳି, ଲତା ଆଦିରେ ବିସ୍ତୃତ ଭାବେ ସଜାଯାଇଥାଏ । ମଧ୍ୟ ଭାଗରେ ଅନୁରୂପ ସାଜସଜ୍ଜାରେ ଏକ ସୁଦୃଶ୍ୟ ମନ୍ଦିର ଭଳି ଦୋଳିରେ ସନ୍ଧ୍ୟା ଧୂପ ବଢ଼ିବା ପରେ ଶ୍ରୀ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଲଡ଼ୁ ଗୋପାଳ ଆଦି ବିଗ୍ରହଙ୍କୁ ଦକ୍ଷିଣୀ ଘରୁ ଅଣାଯାଇ ବିରାଜମାନ କରାଯାଏ । ଜଣେ ପାଳିଆ ସେବକ ବସି ସେ ଦୋଳି ଏକ ରସି ସାହାଯ୍ୟରେ ଝୁଲାଉଥାନ୍ତି ।

ପାରମ୍ପରିକ ଶୈଳୀରେ ଅପୂର୍ବ ସେ ସାଜସଜ୍ଜା ମଧ୍ୟରେ ଦୋଳିରେ ଝୁଲିବା ଅବସ୍ଥାରେ ବିଗ୍ରହମାନଙ୍କୁ ଭକ୍ତଗଣ ଦର୍ଶନ କରିଥାଆନ୍ତି । ଦୋଳିର ଦୁଇ ପାଶ୍ୱର୍ରେ ରୋହିଣୀ ଯଶୋଦାଙ୍କ ସୋଲ ନିର୍ମିିତ କମନୀୟ ମୂର୍ତ୍ତି ଶ୍ରୀକୃଷ୍ଣ ଓ ବଳରାମଙ୍କ ଶିଶୁ ମୂର୍ତ୍ତି ସହିତ ରହିଥାଆନ୍ତି । ସମ୍ମୁଖ ଭାଗରେ ବିରାଟ ମେଢ଼ ସଦୃଶ୍ୟ ଦୋଳାୟମାନ ଢାଞ୍ଚାର ସଜ୍ଜିକରଣ ପ୍ରାୟ ଏକ ମାସ ପୂର୍ବରୁ ସୋଲ କାରିଗର ଓ ଚିତ୍ରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥାଏ । ଏଥିରେ ଅନେକ ପକ୍ଷୀ, ଯୁଗ୍ମ୍ନ ପରୀ, ନିର୍ତ୍ତକୀ ଆଦି ସହିତ ବିିଭନ୍ନ ଭଙ୍ଗିର ମର୍କଟ ତଥା ଚଢେଇ ଆଦି ଆଳଙ୍କରିକ ରୀତିରେ ଖଚିତ ହୋଇଥାଏ । ପ୍ରତିବର୍ଷ ସୋଲ କାମଗୁଡ଼ିକ ପ୍ରାୟତଃ ନୂଆ କରି ଗଢ଼ାଯାଉଥିବା ବେଳେ ରୂପଗୁଡ଼ିକ ଆବଶ୍ୟକୀୟ ମରାମତି ସହିତ ଚିତ୍ର କରାଯାଏ । ଝୁଲଣ ମଣ୍ଡପର ଦୁଇପାଶ୍ୱର୍ରେ ଦୁଇଗୋଟି ବିଶାଳ ବପୁ ବିଶିଷ୍ଟ ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଦଣ୍ଡାୟମାନ ରହିଥାନ୍ତି । ଏମାନଙ୍କୁ ଭୀମସେନ ଓ ଦୁଃଶାସନ ବୋଲି କୁହାଯାଏ । ଏହି ଦୁଇ ବୃହତ ମୂର୍ତ୍ତି ମଣ୍ଡପର ଆକର୍ଷଣ ବଢ଼ାଇବା ସହିତ ମଣ୍ଡପର ପଶ୍ଚିମ ପାଶ୍ୱର୍କୁ ଅନ୍ୟ ଦୁଇଟି କ୍ଷୁଦ୍ର ମଣ୍ଡପରେ କୃଷ୍ଣଲୀଳାର କାଳୀୟଦଳନ ଓ ଗିରି ଗୋବର୍ଦ୍ଧନ ଆଦି ଦୃଶ୍ୟ ରୂପ ମାଧ୍ୟମରେ ପରିବେଷିତ ହୋଇଥାଏ । ଏ ସବୁଥିରେ ଆମ ପରମ୍ପରା ସହିତ କଳା ଚାତୁର୍ଯ୍ୟର ମିଳନ ଘଟି ଏକ ଅନନ୍ୟ ପରିବେଶ ସୃଷ୍ଟି ହୋଇଥାଏ ।

 

ଝୁଲଣ ଯାତ୍ରାର ଆରମ୍ଭ ବିଂଶ ଶତାବ୍ଦୀର ଷୋଡ଼ଶ ଦଶକରେ ପ୍ରଥମେ ଜଗନ୍ନାଥ ବଲ୍ଲଭରେ ହୋଇଥିଲା । ତତ୍‌କାଳୀନ ଗଜପତି ପ୍ରତାପରୂଦ୍ର ଦେବଙ୍କ ମନ୍ତ୍ରୀ ଥିବା ରାମାନନ୍ଦ ରାୟଙ୍କ ଉଦ୍ୟମରେ ରାଧାକୃଷ୍ଣ ରାସର ପ୍ରବର୍ତ୍ତନ ହୋଇଥିଲା । ରସ ଶବ୍ଦରୁ ରାସର ସୃଷ୍ଟି । ଲୋକ ଭାଷାରେ ଏହାକୁ ରାହାସ ମଧ୍ୟ କୁହାଯାଏ । ରାୟ ରାମାନନ୍ଦଙ୍କ ପ୍ରଗାଢ଼ କୃଷ୍ଣ ପ୍ରେମଜନିତ ଉଦ୍‌ବୃତ୍ତପଦାବଳୀର ସଙ୍ଗୀତଯୁକ୍ତ ଅଭିନୟ ସମୃଦ୍ଧ ପରିବେଷଣ ରାସ ନାମରେ ଗୃହୀତ ହେଲା । ଏଥିରେ ଶ୍ରୀକୃଷ୍ଣଙ୍କ ଗୋପଲୀଳାରେ ବର୍ଣ୍ଣିତ ପ୍ରେମ, ଅଭିମାନ, ବିଚ୍ଛେଦ ତଥା ପୁନର୍ମିଳନ ସହିତ ଐଶ୍ୱରିକ ଚମତ୍କାରିତାର ମାଧୁର୍ଯ୍ୟପୂର୍ଣ୍ଣ ଅବତାରଣା କରାଯାଇଥାଏ । ସେହି କାଳରେ ଶ୍ରୀକ୍ଷେତ୍ରରେ ଅନେକ ବର୍ଷ ଧରି ବିଶିଷ୍ଟ କୃଷ୍ଣ ଉପାସକ ଶ୍ରୀଚୈତନ୍ୟ ଅବସ୍ଥାନ କରୁଥିଲେ । ଶ୍ରୀ ଚୈତନ୍ୟଙ୍କ ଉଦ୍ୟମରେ ପ୍ରବର୍ତ୍ତିତ ସଂକୀତ୍ତନ ଲୋକପ୍ରିୟ ହୋଇଥିଲା । ଶ୍ରୀକୃଷ୍ଣ ଚେତନା କ୍ରମେ ପ୍ରସାରିତ ହୋଇ ନୃତ୍ୟ ସଙ୍ଗୀତର ରୁଚି ବିପୁଳ ଲୋକପ୍ରିୟତା ହାସଲ କଲା । କୁହାଯାଏ ଶ୍ରୀ ଚୈତନ୍ୟଙ୍କ ଦ୍ୱାରା ପ୍ରଭାବିତ ହୋଇ ଶ୍ରୀମନ୍ଦିର ଭିତରେ ତଥା ବାହାରେ ଥିବା ବୈଷ୍ଣବୀୟ ମଠ ମନ୍ଦିରରେ ପୂର୍ବରୁ ଉପାସିତ କେବଳ ଶ୍ରୀକୃଷ୍ଣଙ୍କ ବିଗ୍ରହ ସହିତ ପିତ୍ତଳ ବା ଅଷ୍ଟଧାତୁର ରାଧାରାଣୀଙ୍କ ମୂର୍ତ୍ତ ସଂଯୁକ୍ତ କରାଗଲା । ଶ୍ରୀ ରାଧା ଓ ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣ ଚେତନାର ପ୍ରସାରଣ ପାଇଁ ରାସ ଥିଲା ପ୍ରମୁଖ ମାଧ୍ୟମ । ରାସରେ ସଖୀମାନଙ୍କ ରୂପରେ ଅନେକ ତରୁଣ ଅଭିନୟ କରୁଥିଲେ । ରାୟ ରାମାନନ୍ଦଙ୍କ ପ୍ରୋତ୍ସାହନରେ ରାସ ତତ୍‌କାଳୀନ ସମାଜରେ ଜୀବନ୍ୟାସ ପାଇଥିଲା । ଅଧିକନ୍ତୁ ଶ୍ରୀଚୈତନ୍ୟଙ୍କ ସହିତ ତାଙ୍କର ଗଭୀର ବନ୍ଧୁତା ମଧ୍ୟ ଏ ଦିଗରେ ତାଙ୍କୁ ଯଥେଷ୍ଟ ଉଦ୍‌ବୁଦ୍ଧ କରିଥିଲା । ଶ୍ରୀ ଚୈତନ୍ୟ ମଧ୍ୟ ରାସ ଉପଭୋଗ କରି ଅଭିଭୂତ ହୋଇଥିଲେ । ଏହା ଜଗନ୍ନାଥ ବଲ୍ଲଭ ପରିସରରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ଓ ଜଗନ୍ନାଥଙ୍କ ସମ୍ମୁଖରେ ଝୁଲଣ ଯାତ୍ରା ତଥା ଅନ୍ୟ ଉତ୍ସବ ସମୟରେ ରାସ ପରିବେଷିତ ହେଉଥିଲା । ରାୟ ରାମାନନ୍ଦଙ୍କ ଦ୍ୱାରା ରଚିତ କେତେଗୋଟି ଆଧ୍ୟାତ୍ମିକ ବିଷୟବସ୍ତୁ ଆଧାରିତ ନାଟକ ମଧ୍ୟ ଆଦୃତି ଲାଭ କରିଥିଲା ।

ଏହି ଅଭିନୟ ପରମ୍ପରା ବହୁ ବର୍ଷ ଧରି ଚାଲିବା ଭିତରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ପ୍ରସାରିତ ହୋଇ ଗଣ ସଂସ୍କୃତିରେ ପରିଣତ ହୋଇଥିଲା । ରାୟ ରାମାନନ୍ଦଙ୍କ ପରେ ତାଙ୍କର କିଛି ଶିଷ୍ୟ ଏହାକୁ ଉଜ୍ଜିବୀତ ରଖିଥିଲେ । ଜୈନିକ ବୈଷ୍ଣବ ପନ୍ଥୀ ରସିକାନନ୍ଦ ଦେବ ଗୋସ୍ୱାମୀ ରାଜ୍ୟର ବିଭିନ୍ନ ପ୍ରାନ୍ତ ଭ୍ରମଣ କରି ରାଧାକୃଷ୍ଣ ଉପାସନାର ପ୍ରଚାର କରିବା ସହିତ ରାସ ଉତ୍ସବକୁ ଲୋକପ୍ରିୟ କରାଇଥିଲେ । ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଗଜପତି ଦିବ୍ୟସିଂହ ଦେବ (ଦ୍ୱିତୀୟ) (୧୭୯୩-୧୭୯୮)ଙ୍କ ଶାସନ କାଳରେ ଶ୍ରୀମନ୍ଦିର ପରିସରରେ ସୁସଜ୍ଜିତ ଦୋଳିରେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହମାନଙ୍କୁ ବିଜେ କରାଇ ଝୁଲଣ ଉତ୍ସବ ଆରମ୍ଭ କରାଗଲା । ପରବର୍ତ୍ତୀ କାଳରେ ଏହାକୁ ଅଧିକ ବ୍ୟବସ୍ଥିତ କରାଇ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ ହୋଇଥିଲା ।

ସେହି ପରମ୍ପରା ଅଦ୍ୟାବଧି ଚଳିଆସୁଅଛି । ଏବେ ସେ କାଳର ମାହାରି ସେବିକାମାନଙ୍କର ଗୀତ ଓ ନାଚ ଆଉ ନଥିଲେ ବି
ମହାପ୍ରଭୁଙ୍କ ଆଗରେ ଗୋଟିପୁଅ ବା ଆଖେଡ଼ା ପିଲାମାନଙ୍କର ଅପୂର୍ବ ଅଙ୍ଗଭଙ୍ଗୀ ସହିତ ସଙ୍ଗୀତ ଶୁଣିବାକୁ ମିଳିଥାଏ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.