Latest Odisha News

BREAKING NEWS

କାହିଁକି ବ୍ରହ୍ମପୁରରୁ ପ୍ରଦୀପଙ୍କୁ ଟିକେଟ୍ ?

ଭୁବନେଶ୍ୱର: ବ୍ରହ୍ମପୁରରେ ବିଜେପିର ବଡ ବେଟ୍ । ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ପଛରେ କଣ ରଣନୀତି ? ବ୍ରହ୍ମପୁରରେ ପଦ୍ମ ଫୁଟାଇବ କି ବିଜେପିର ଗୋଟି ? ବିଜେଡିର ଅଭେଦ୍ୟ ଦୁର୍ଗରେ ପ୍ରଦୀପ ଉଡାଇବେ କି ବିଜୟ ବାନା ? ଚବିଶରେ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ହେବେ କି ବଡ ଚ୍ୟାଲେଞ୍ଜ ? ବ୍ରହ୍ମପୁର କୁରୁକ୍ଷେତ୍ରରେ ପ୍ରଦୀପ କରିବେ କି ବାଜିମାତ୍ ?

ବିଜେଡି ଲୋକସଭା ଅଙ୍କ କଷୁଥିବା ବେଳେ ଓଡିଶାର ୧୮ଟି ଲୋକସଭା ସିଟ୍ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ସେନାପତି କରିଛି ଦଳ । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ସନ ନେଇଥିଲା ବିଜେଡି । ପରେ ସେ ବିଜେପିରେ ମିଶିଥିଲେ । ତେବେ ପ୍ରଶ୍ନ ଉଠୁଛି, ପ୍ରଦୀପଙ୍କୁ ବିଜେପିର ଭରସା ପଛରେ କାରଣ କଣ ?

୧-ଗଞ୍ଜାମ, ଗଜପତିରେ ପ୍ରଦୀପଙ୍କ ଲୋକସଂପର୍କ
ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଛି ଗଞ୍ଜାମ ଜିଲ୍ଲାର ୫ଟି ଓ ଗଜପତିର ୨ଟି ବିଧାନସଭା ଆସନ । ପ୍ରଦୀପ ପାଣିଗ୍ରାହୀଙ୍କର ଉଭୟ ଜିଲ୍ଲାରେ ଭଲ ଲୋକସଂପର୍କ ଓ ସମର୍ଥନ ରହିଛି । ୨୦୧୯ରେ ବିଜେଡିରେ ଥିବା ବେଳେ ସଂଗଠନ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ । ବିଜେପିର ସଂଗଠନ ଦକ୍ଷିଣ ଓଡିଶାରେ ଦୁର୍ବଳ ରହିଛି । ସାଂଗଠନିକ କାମରେ ପ୍ରଦୀପଙ୍କ ଲମ୍ବା ଅନୁଭୁତି ବିଜେପିକୁ ଲାଭ ଦେବ । ବିଜେଡିରେ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ବିଜେପି ପଟକୁ ଆଣିବାକୁ ଉଦ୍ୟମ କରୁଛନ୍ତି ପ୍ରଦୀପ ।
୨-ବିଜେଡି ଗଡରେ ବିଜେଡିକୁ ଟକ୍କର
ଗଞ୍ଜାମ ବିଜେଡିର ଗଡ ରହିଛି । ହିଞ୍ଜିଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ । ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବି ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଥିଲେ । ବିଜେଡିର କ୍ଷମତା ଚକ୍ରବ୍ୟୂହ ଭାଙ୍ଗିବାକୁ ପ୍ରଦୀପ ପାଣିଗ୍ରାହୀ ଗୋଟି ଚଳାଇଛି ବିଜେପି । ପ୍ରଦୀପଙ୍କୁ ଭିକ୍ଟିମ୍ ଦର୍ଶାଇ ଓଡିଆ ଅସ୍ମିତା କାର୍ଡ ଖେଳିଛି ବିଜେପି ।
୩- ପ୍ରଦୀପଙ୍କୁ ପୁରସ୍କାର ଅନ୍ୟଙ୍କ ପାଇଁ ଉଦାହରଣ
ବିଜେଡି ଛାଡି ବିଜେପିକୁ ଆସିଲେ ମିଳିବ ପୁରସ୍କାର । ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇ ଏହା ଦର୍ଶାଇବାକୁ ଚାହୁଁଛି ବିଜେପି । ବିଜେଡି ତଥା ଭିକେ ପାଣ୍ଡିଆନଙ୍କ ବିରୋଧୀ ଲଢେଇରେ ସାମିଲ ହେଲେ ଗେରୁଆ ଦଳରେ ଗୁରୁତ୍ୱ ମିଳିବ । ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବିଜେପି ।
୪- ସହଜ ହେବନି ଗଞ୍ଜାମ ଲଢେଇ
ପ୍ରଦୀପଙ୍କ ଏଂଟ୍ରି ପରେ ବିଜେଡି ପାଇଁ ଗଞ୍ଜାମ ଲଢେଇ ସହଜ ହେବନି । ପୂର୍ବ ଥର ଭଳି ଦକ୍ଷିଣ ଯୁଦ୍ଧକୁ ହାଲକାରେ ନେବନି ବିଜେଡି । ପ୍ରଦୀପ ଚ୍ୟାଲେଞ୍ଜକୁ ସାମନା କରିବାକୁ ବିଜେଡିକୁ ଆହୁରି ବଳ ଲଗେଇବାକୁ ପଡିବ । ୨୦୧୯ରେ ବିଜେଡି ଉଭୟ ଆସିକା ଓ ବ୍ରହ୍ମପୁର ଲୋକସଭା ଆସନ କବଜା କରିଥିଲା । ଗଞ୍ଜାମ ଜିଲ୍ଲାର ମୋଟ୍ ୧୩ରୁ ୧୨ଟି ବିଧାନସଭା ସିଟ୍ ଜିତି ଜବରଦସ୍ତ ପ୍ରଦର୍ଶନ କରିଥିଲା ବିଜେଡି । କଂଗ୍ରେସ ସାନଖେମୁଣ୍ଡି ବିଧାନସଭା ଜିତିଥିବା ବେଳେ ବିଜେପି ଖାତା ଖୋଲି ପାରିନଥିଲା । ଏଥର ଗଞ୍ଜାମ ବିଧାନସଭାରେ ପଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି ।
୫-ଦକ୍ଷିଣ ବିଜୟ ପାଇଁ ପ୍ରଦୀପ ସେନାପତି
ଗତ ଫେବ୍ରୁଆରୀରେ ବିଜେପିରେ ସାମିଲ ହେଉ ହେଉ ନିଜ ଉପସ୍ଥିତି ଜାହିର କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଗେରୁଆ ଦଳ ପାଇଁ ବଡ ରାଲିର ଆୟୋଜନ କରିଛନ୍ତି । ଅନେକ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବି ଆଣି ବିଜେପିରେ ମିଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଥାର୍ଡ ଫ୍ଲୋର ସହ ଅତି ନିକଟରୁ କାମ କରିଥିବା ପ୍ରଦୀପ ପାଣିଗ୍ରାହୀ ଚବିଶ ରଣଭୂମିରେ ବିଜେପି ପାଇଁ ବଡ ଆସେଟ୍ ହୋଇପାରନ୍ତି । ବିଜେଡିର ଫର୍ମୂଲାରେ ବିଜେଡିକୁ ମାତ୍ ଦେବାକୁ ବିଜେପି ପ୍ରଦୀପ ପାଣିଗ୍ରାହୀ ଗୋଟି ଚଳାଇଥିବା କୁହାଯାଉଛି ।
୨୦୦୯ରୁ ବ୍ରହ୍ମପୁର ଲୋକସଭା ଆସନରେ ଶଙ୍ଖନାଦ ହୋଇଛି । ୨୦୦୯, ୨୦୧୪ରେ ସିଦ୍ଧାନ୍ତ ମହାପାତ୍ର ଓ ୨୦୧୯ରେ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇଛନ୍ତି । ଏଥର ବିଜେଡି ଆଗରେ ବଡ ଚ୍ୟାଲେଞ୍ଜ ହୋଇପାରନ୍ତି ପ୍ରଦୀପ ପାଣିଗ୍ରାହୀ ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.