Latest Odisha News

BREAKING NEWS

ଖୋଲିବ ଖଣି ଦୁର୍ନୀତି ଗୁମର… ପଶିବ ସିବିଆଇ !

ଭୁବନେଶ୍ବର: ଖୋଲିବ ରାଜ୍ୟରେ ଖଣି ଦୁର୍ନୀତି ଗୁମର ! ଖଣି ମାଫିଆଙ୍କ ସହ ନେତା, ଦୁର୍ନୀତିଗ୍ରସ୍ତ ଅଧିକାରୀ ଯିବେ ଜେଲ୍ ! ଖଣି ଦୁର୍ନୀତିର ତଦନ୍ତ କରିବାକୁ ଓଡିଶାରେ ପଶିବ କି ସିବିଆଇ? ବିଜେପି ସରକାର କ୍ଷମତାକୁ ଆସିବା ପରେ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଏବେ ଦିଲ୍ଲୀରେ ସିବିଆଇ ତଦନ୍ତ ଦାବି ଉଠାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ରାଜ୍ୟରେ ପୂର୍ବତନ ବିଜେଡି ସରକାର ସମୟରେ ୬୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଖଣି ଦୁର୍ନୀତିର ହେଉ ସିବିଆଇ ତଦନ୍ତ

ଲୋକସଭାରେ ଓଡିଶା ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଅଧିନିୟମ ୩୭୭ ଅନୁଯାୟୀ ସେ ପ୍ରସଙ୍ଗ ଉଠାଇ କେନ୍ଦ୍ର ଖଣିମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ହଜାର ହଜାର କୋଟିର ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ବିଜେଡି ସରକାର ବେଳେ ଶତାବ୍ଦୀର ସବୁଠୁ ବଡ ଖଣି ଦୁର୍ନୀତି ହୋଇଥିବା ପ୍ରଦୀପ କହିଛନ୍ତି । ଶାହା କମିଶନ ତଦନ୍ତ କରି ଲୁହାପଥର ଖଣିରେ ବ୍ୟାପକ ଦୁର୍ନୀତି କଥା ଉଲ୍ଲେଖ କରିଥିଲେ । ଖଣି ଦୁର୍ନୀତିକାରୀଙ୍କ ସହ ବିଜେଡି ସରକାର ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିବା ପ୍ରଦୀପ କହିଛନ୍ତି । ଏପରିକି ସେତେବେଳର ରାଜ୍ୟ ସରକାର ଭିଜିଲାନ୍ସ କେସ କରି ଖଣି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଶିଳ୍ପପତିଙ୍କୁ ସୁରକ୍ଷା ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଖଣି ମହାଦୁର୍ନୀତି

ମୋଟ ୯୫ଟି ଖଣିରୁ ୪୭ଟି ଖଣି ବିନା ଜଙ୍ଗଲ ସୁରକ୍ଷା ଅନୁମତିରେ ଚାଲିଥିବା ପ୍ରଦୀପ ପୁରୋହିତ କହିଛନ୍ତି । ଫଳରେ ଏହାର ପ୍ରତିକୂଳ ପ୍ରଭାବ ନଦୀ, ହ୍ରଦ, ଜଙ୍ଗଲ ଓ ସ୍ଥାନୀୟ ଆଦିବାସୀଙ୍କ ଉପରେ ପଡୁଛି । ଅନୁମତିଠାରୁ ଅଧିକ ଖଣି ଉତ୍ତୋଳନ କରାଯାଉଛି । ରାଜ୍ୟରେ ଖଣି ମହାଦୁର୍ନୀତି ପାଇଁ ପୂର୍ବତନ ବିଜେଡି ସରକାରକୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି ପ୍ରଦୀପ। ଖଣି ଲିଜଧାରୀଙ୍କ ସହ ମିଳିତ ଭାବେ ବିଜେଡି ସରକାର ୬୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତିରେ ସାମିଲ ରହିଥିବା ସେ କହିଛନ୍ତି । ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ କମିଶନ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଶାହା କମିଶନ ତଦନ୍ତ କରିଥିଲେ । ତଦନ୍ତ ପରେ କମିଶନ ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ଖଣି ମାଫିଆଙ୍କ ବିରୋଧରେ କୌଣସି ଆକ୍ସନ୍ ନିଆଯାଇନାହିଁ। ତେଣୁ ସିବିଆଇ ତଦନ୍ତ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ ପୁରୋହିତ ।

ଜାଲରେ ପଡିବେ ବଡ଼ବଡ଼ିଆ

ନିର୍ବାଚନ ବେଳେ ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନରେ ବିଜେଡି ଉପରେ ବାଣ ବର୍ଷାଇଥିଲା ବିଜେପି। ସରକାରକୁ ଆସୁ ଆସୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତ ବେଳେ ଖଣି ଦୁର୍ନୀତି ବିରୋଧରେ ହୁଙ୍କାର ଭରିଥିଲେ। ଖଣି ଲୁଟେରାଙ୍କୁ ଛାଡିବେନି, ଜେଲ୍ ପଠାଇବେ ବୋଲି କହିଥିଲେ । ଶାହା କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟଣିବାକୁ ବିଜେପି ସରକାର ପ୍ରସ୍ତୁତି କରୁଥିବା କହୁଛି । ତେବେ ଧର୍ମଶାଳା ଅଞ୍ଚଳରେ କିଛି ରେଡ୍ ଛାଡିଦେଲେ ସେମିତି ବଡ ଆକ୍ସନ୍ ନିଆଯାଇନାହିଁ ।

ଓଡିଶାରେ ପଶିବ ସିବିଆଇ !

ଦେଶର ଅଣବିଜେପି ଶାସିତ ରାଜ୍ୟରେ ଇଡି, ସିବିଆଇ ଭଳି ତଦନ୍ତକାରୀ ସଂସ୍ଥା ପଶିଥିଲେ ବି ଆଜି ପର୍ଯ୍ୟନ୍ତ ଓଡିଶାରେ ଏଣ୍ଟ୍ରି କରିନାହାନ୍ତି । ଏନଡିଏରେ ନଥିଲେ ବି ବିଜେଡି କେନ୍ଦ୍ରର ବିଜେପି ସରକାର ପାଇଁ ସବୁବେଳେ ବିପଦ ବେଳର ବନ୍ଧୁ ସାଜିଛି । ହେଲେ ଏବେ ରାଜନୈତିକ ପୃଷ୍ଠଭୂମି ବଦଳିଛି । ଯେଉଁ ଖଣି ଦୁର୍ନୀତି କଥା କହି କ୍ଷମତାକୁ ଆସିଛି ବିଜେପି, ତାର ତଦନ୍ତ କରି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଛି । ଏଭଳି ସ୍ଥିତିରେ ଯଦି ସିବିଆଇ ଖଣି ଦୁର୍ନୀତି ତଦନ୍ତ ହାତକୁ ନିଏ, ତେବେ ବହୁ ରାଜନେତା ଓ ବରିଷ୍ଠ ଅଧିକାରୀ ସ୍କାନରକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖଣି ଦୁର୍ନୀତି ପଛରେ ବିଜେଡି ସରକାରର କିଛି କ୍ଷମତାଶାଳୀ ବାବୁ ଓ ନେତାଙ୍କର ନିର୍ଦ୍ଧିଷ୍ଟ ଅଣଓଡିଆ ବ୍ୟବସାୟୀଙ୍କ ସହ ମଧୁଚନ୍ଦ୍ରିକା ନେଇ ଅଭିଯୋଗ ହୋଇଆସୁଛି । କେବଳ ବିଜେଡି ନୁହେଁ ଅନ୍ୟ ରାଜନୈତିକ ଦଳର ନେତା ବି ଫାଇଦା ପାଇଥିବା ଚର୍ଚ୍ଚା ହୋଇଆସୁଛି ।

Comments are closed.