Latest Odisha News

BREAKING NEWS

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ନୈତିକତା ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି ।

ପିପିଲି ଗଣଦୁଷ୍କର୍ମ ମାମଲା ତଥା ହତ୍ୟା ଘଟଣାରେ ଅଭିଯୁକ୍ତ ଦୁଇ ଭାଇ ଦୋଷମୁକ୍ତ ହୋଇ ବାହାରିବାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏନେଇ ଏକ ତାତ୍ସଲ୍ୟ ଭରା ମନ୍ତବ୍ୟ ପ୍ରଦାନ କରିଥିଲେ । ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପରେ ବିରୋଧି ଦଳମାନେ ତାଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଧ୍ୟ ଗତ ଶନିବାର ଦିନ ବାରିପଦା ର‌୍ୟାଲିରେ ଏହି ପିଡିତାଙ୍କୁ ନ୍ୟାୟ ଦେବା ନେଇ ଓଡିଶା ସରକାରଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇନଥିଲେ ।

ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଥିବା ବେଳେ ଏବେ ବିଜେଡି ପକ୍ଷରୁ ମହିଳା ସଂରକ୍ଷଣ ବିଲ୍ ତଥା ମିଶନ ଶକ୍ତିକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ପରିସ୍ଥିତି ମୁଖ୍ୟମନ୍ତ୍ରୀ ତଥା ଦଳର ଭାବ ମୂର୍ତ୍ତିକୁ ପ୍ରଭାବିତ ପକାଉଛି ।

ଏହି ପ୍ରସଙ୍ଗରେ ମହାରଥୀ ଦ୍ୱିତୀୟ ଥର ଲାଗି ନିଜ ମନ୍ତ୍ରୀ ପଦ ହରାଇଛନ୍ତି । ପ୍ରଦୀପ ମହାରଥୀ ମେ ମାସ ୨୦୧୧ ମସିହାରେ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ୨୦୧୨ ମସିହା ଜାନୁଆରୀ ୧୯ ତାରିଖରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ସେସମୟରେ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ମାମଲା ପ୍ରଭାବିତ ହେବା ଆଶଙ୍କାରେ ଏବଂ ଦଳୀୟ ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ହେବା ଲାଗି ସେ ଇସ୍ତଫା ପ୍ରଦାନ କରିଥିଲେ ।

ଗତ ବର୍ଷ ଡିସେମ୍ବର ୨୫ ତାରିଖରେ ମହାରଥୀ ତାଙ୍କର ବ୍ୟଙ୍ଗାତ୍ମକ ଟିପ୍ପଣୀ ଲାଗି ନିଜ ପାଇଁ ବିପଦକୁ ଟାଣି ଆଣିଥିଲେ । ଏହି ଘଟଣାରେ ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ (ଏଡିଜେ) ଅଭିଯୁକ୍ତଙ୍କୁ ଖଲାସ କରିବା ପରେ ମହାରଥୀ କହିଥିଲେ “ଶେଷରେ ପିଡିତାଙ୍କୁ ନ୍ୟାୟ ମିଳିଲା” ।

ମହାରଥୀଙ୍କ ଏହି ବିବାଦୀୟ ମନ୍ତବ୍ୟ ଲାଗି ବିରୋଧି କଂଗ୍ରେସ ଓ ବିଜେପି ତାଙ୍କ ଠାରୁ ନିଃସର୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ ।

ପରବର୍ତ୍ତୀ ସମୟରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ପୋଲିସ ସହ ମହିଳା ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ଉତ୍ୟକ୍ତ ବିକ୍ଷୋଭକାରୀମାନେ ତାଙ୍କର ବାସଭବନ ଉପରକୁ ଟମାଟୋ ଓ ଅଣ୍ଡା ଫୋପାଡିଥବଲେ ।

ଏହି ଘଟଣାକୁ କେନ୍ଦ୍ର କରି ବିରୋଧି ଦଳର ମହିଳା କର୍ମୀମାନେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାକୁ ଦାବି କରିଥିଲେ ।

ଏହି ଘଟଣାକୁ ନେଇ ବିରୋଧି ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଲାଗି ଦାବି କରିଥିଲେ ।

Leave A Reply

Your email address will not be published.