Latest Odisha News

BREAKING NEWS

ସମ୍ବଲପୁର ହିଂସା ପୂର୍ବରୁ ଗୁଇନ୍ଦା ରିପୋର୍ଟ, ପ୍ରକାଶିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରସନ୍ନ

ଭୁବନେଶ୍ୱର: ସମ୍ବଲପୁର ହିଂସା ବାବଦରେ ଗୁଇନ୍ଦା ରିପୋର୍ଟ ଆଗୁଆ ସୂଚନା ଦେଇଥିଲା। କିନ୍ତୁ ଏସପି ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବ କରିବାରୁ ହିଂସା ନେଇଛି ଜଣଙ୍କ ଜୀବନ। ଶନିବାର ଗୁଇନ୍ଦା ରିପୋର୍ଟ ସାର୍ବଜନୀନ ହେବା ପରେ ଏଭଳି କିଛି କହି ବିରୋଧୀ ସରକାରକୁ ଘେରିଥିବା ବେଳେ ଅଡୁଆରେ ପଡିଛି ବିଜେଡି।

ଗୁଇନ୍ଦା ରିପୋର୍ଟ ସତ୍ତ୍ବେ ରାଜ୍ୟ ସରକାର ହିଂସାକୁ ରୋକିବାରେ ବିଫଳ ହୋଇଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସେ କହିଛନ୍ତି, ଖବରକାଗଜରୁ ଗୁଇନ୍ଦା ରିପୋର୍ଟ ବାବଦରେ ସେ ଜାଣିବାକୁ ପାଇଛନ୍ତି। ହେଲେ ସେ ଗୁଇନ୍ଦା ରିପୋର୍ଟକୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ତାର ସତ୍ଯତା କ’ଣ? ବୋଲି ପରାରିଛନ୍ତି। ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ରବିବାର ଏହି ପ୍ରସଙ୍ଗରେ ବିରୋଧୀ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସରକାର ବ୍ୟବସ୍ଥା କରିଥିଲେ ଅଭାବନୀୟ ପରିସ୍ଥିତି ହୋଇ ନ ଥାନ୍ତା। ସମ୍ବଲପୁରରେ ଯଦି ହନୁମାନ ଜୟନ୍ତୀ ହେବନି ତାହେଲେ ଆଉ କେଉଁଠି ହେବ। ସରକାରଙ୍କ ଦାୟିତ୍ବ ହେଉଛି ସୁରକ୍ଷା ଦେବା। ୧୧ ତାରିଖରେ ରିପୋର୍ଟ ଆସିଥିଲା ସଜାଗ ରହିବା ପାଇଁ। ୫ ତାରିଖରେ ମଧ୍ୟ ଗୃହ ମନ୍ତ୍ରାଳୟ ସୁରକ୍ଷା ପାଇଁ କହିଥିଲେ। ଯଦି ଏସ୍‌ପି କହୁଛନ୍ତି ଯୋଜନାବଦ୍ଧ ଥିଲା, ଫେଲ୍‌ ହେଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କ ହତ୍ୟା ହେଉଛି, ମହିଳା ସୁରକ୍ଷିତ ନାହାନ୍ତି। ରାଜ୍ୟ ସରକାର ଅପରାଧ ରୋକିବା ଓ ଅପରାଧୀଙ୍କୁ ଦଣ୍ଡିତ କରିବାରେ ଫେଲ୍। ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ଲୋକ ଜାଣିଲେଣି। ଏ ସରକାରରେ ଲୋକ ଡରିକି ରହୁଛନ୍ତି। ଓଡ଼ିଶାବାସୀ ରାଜ୍ୟ ସରକାରଙ୍କ ମନବୃତ୍ତିକୁ ଜାଣି ଗଲେଣି। ଲୋକମାନେ ଏ କଥାକୁ ଉପଲବ୍ଧି କରିସାରିଲେଣି।

ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶୀଭୂଷ ବେହେରା କହିଛନ୍ତି, କାହିଁକି ବିହିତ ପଦକ୍ଷେପ ନିଆନଗଲା ତାହା ସଂପୃକ୍ତ ବିଭାଗ କହିବ।

ଉଲ୍ଲେଖଯୋଗ୍ୟ, ବିରୋଧୀ ଯେତେବେଳେ ସମାନ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଟାର୍ଗେଟ କରୁଛନ୍ତି ସେତେବେଳେ ଶାସକ ଦଳ ମଧ୍ୟ ଗୁଇନ୍ଦା ରିପୋର୍ଟ ବାବଦରେ ନିଜର ଆଭିମୁଖ୍ୟ ରଖିବା ଜରୁରୀ ହୋଇପଡ଼ିଛି।

Leave A Reply

Your email address will not be published.