Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କଲେ ପ୍ରଶାନ୍ତ ଭୂଷଣ, ଭରିଲେ ୧ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭରିଲେ ଟଙ୍କିକିଆ ଜରିମାନା । ସୁପ୍ରିମକୋର୍ଟ ଆଜି ତାଙ୍କୁ ୧ ଟଙ୍କା ଜରିମାନା ଦଣ୍ଡିତ କରିଥିଲେ । ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ ଯଦି ସେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ତିନିମାସ ପାଇଁ ତାଙ୍କୁ ଓକିଲାତି ପେସାରୁ ବଞ୍ଚିତ କରାଯିବ ବୋଲି ସୁପ୍ରିମ କୋର୍ଟ ଆଜି ରାୟ ଶୁଣାଇଛନ୍ତି।

ଏହି ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ପ୍ରଶାନ୍ତ ଭୂଷଣ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟକୁ ‘କୃତଜ୍ଞତାର ସହ ଗ୍ରହଣ କରିଛନ୍ତି’। ଆଜି ହିଁ ସେ ତାଙ୍କ ଓକିଲ ତଥା ବରିଷ୍ଠ ସହକର୍ମୀ ରାଜୀବ ଧାୱନଙ୍କ ଜରିଆରେ ୧ ଟଙ୍କାର ଜରିମାନା ରାଶି ଅଦାଲତରେ ଜମା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନ୍ୟାୟପାଳିକା ଓ ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ପ୍ରଶାନ୍ତ ଭୂଷଣ କରିଥିବା ଅପମାନ ସୂଚକ ଦୁଇଟି ଟ୍ଵିଟ୍‌ ଉପରେ କୋର୍ଟ ଶୁଣାଣି କରି ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଚଳିତ ମାସ ଆରମ୍ଭରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଟୁଇଟ ପାଇଁ କ୍ଷମା ମାଗିନେବାକୁ ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ।

Leave A Reply

Your email address will not be published.