Latest Odisha News

କାହିଁକି ହାରିଲା ବିଜେଡି ? କହିଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: କାହିଁକି ହାରିଲା ବିଜେଡି ? ନିର୍ବାଚନରେ ବିଜେଡିର ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ବାର-କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ । ନବୀନ ପଟ୍ଟନାୟକ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସ୍ବାଭାବିକ ଭାବେ ଶାସନ ବିରୋଧୀ ହାଓ୍ବା ବିଜେଡି ବିରୋଧରେ ଏକ ବଡ ଫ୍ୟାକ୍ଟର ଭାବେ କାମ କରିଛି । ତେବେ ଭୁଲ ବୁଝାମଣା ଯୋଗୁଁ ବିଜେଡି ନିର୍ବାଚନ ହାରିଥିବା କହିଛନ୍ତି ପ୍ରଭାତ ବିଶ୍ବାଳ । ଏଥର ବବି ଓ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ୍ କରିଥିବା କୁହାଯାଉଛି ।

କର୍ମଫଳ ଭୋଗିଲେ ବବି !

କଟକ ମହାନଦୀ ବିହାରରେ ପୁଅ ସୌଭିକ ବିଶ୍ବାଳର ବିଜୟ ପାଇଁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଭିକେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ପ୍ରଭାତ । ପ୍ରଣବ ସମ୍ବଲପୁର ଲୋକସଭା ଓ ତାଙ୍କ ମାଆ କୋରେଇ ବିଧାନସଭା ନିର୍ବାଚନ ହାରିଛନ୍ତି । ଏହା ସେମାନଙ୍କ କର୍ମଫଳ ବୋଲି ପ୍ରଭାତ କହିଛନ୍ତି ।

ନବୀନଙ୍କୁ କହିଥିଲି ସବୁ ସତ…

ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରୁଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ସଂପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କହିଥିଲେ ବୋଲି ପ୍ରଭାତ ବିଶ୍ବାଳ କହିଛନ୍ତି । କେବଳ ସେତିକି ନୁହେଁ ତାମିଲ ବିପଦ ନେଇ ବି ସୂଚାଇଥିଲେ । ବିଜେଡି ଓ ନବୀନଙ୍କ ପ୍ରତି ଭଲ ପାଇବା ଯୋଗୁଁ ସେ ଅନେକ ସମୟରେ ଦଳର କ୍ଷତି କରୁଥିବା ଲୋକଙ୍କ ସଂପର୍କରେ କହିବାକୁ ଉଦ୍ୟମ କରିଥିବା କଟକ ସମାରୋହରେ ପ୍ରଭାତ ବିଶ୍ବାଳ କହିଛନ୍ତି । ଏପରିକି ସେ ପାଣ୍ଡିଆନଙ୍କୁ ନବୀନ ବାବୁଙ୍କ ଆଗରେ ନରହି ପଛରେ ରହିଲେ ଭଲ ବୋଲି କହିଥିଲେ । କିନ୍ତୁ ଶେଷରେ ପାଣ୍ଡିଆନ ଓ ବବିଙ୍କ ଫଟୋ ଥିବା ପୋଷ୍ଟର ମାରିବାକୁ କୁହାଗଲା । ଏହା ବିଜେଡିର ବଡ କ୍ଷତି କଲା ବୋଲି ପ୍ରଭାତ କହିଛନ୍ତି ।

‘ସୌମ୍ୟଙ୍କୁ ମନ୍ତ୍ରୀ ପଦ ପାଇଁ ଲେଖିଥିଲି’

୨୦୧୯ ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଗଠନ ହେବା ବେଳେ ସେ ସେତେବେଳର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ କରିବାକୁ ଲେଖି କରି ଦେଇଥିଲେ । ହେଲେ ସେହି କାଗଜକୁ ଚିରି ଫିଙ୍ଗି ଦିଆଯାଇଥିବା ପ୍ରଭାତ କହିଛନ୍ତି । ଏପରିକି ପ୍ରଭାତଙ୍କ ବିରୋଧରେ ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀରେ ଅପପ୍ରଚାର ଉଦ୍ୟମ ହୋଇଥିଲା । ନିଜେ ଚୋରି କରି ପ୍ରଭାତଙ୍କ ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ ହୋଇଥିଲା । ୨୦୧୨ ମେ ୨୯ ଘଟଣାରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି ପ୍ରଭାତ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

୨୪ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡି ଏଥର ନିର୍ବାଚନ ହାରିବା ପଛର କାରଣ ଭିକେ ପାଣ୍ଡିଆନ ଓ ତାଙ୍କ କୋଟେରୀକୁ କୁହାଯାଉଛି । ପ୍ରଭାତ ବିଶ୍ବାଳଙ୍କ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ବବି ଓ ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଳି ଉଠାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ରାଜ୍ୟକୁ ବିଳମ୍ବରେ ଆସିଥିବା ମୋଦି ଲହରୀକୁ ବିଜେଡି ବିପର୍ଯ୍ୟୟର କାରଣ କହି ନବୀନ ସଫେଇ ଦେଇଥିବା କୁହାଯାଇଥିଲା। ଏପର୍ଯ୍ୟନ୍ତ ଦଳ ପରାଜୟର କାରଣ ଖୋଜିବାକୁ ବି କମିଟି କରିପାରିନି ବିଜେଡି । ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିଥିଲେ ବି ନବୀନ ନିବାସ ଭିତରେ ଭିକେ ପାଣ୍ଡିଆନ ବିଜେଡି ପାଇଁ ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି । ଏବେବି ପାଣ୍ଡିଆନ୍ ଆଣ୍ଡ କୋ ନିୟନ୍ତ୍ରଣରେ ବିଜେଡି ରହିଥିବା କୁହାଯାଉଛି । ତେବେ ଏହାକୁ ନେଇ ଦଳ ଭିତରେ ଜୋରଦାର ଅସନ୍ତୋଷ ରହିଛି । ଯାହା ଜଣକ ପରେ ଜଣେ ବରିଷ୍ଠ ନେତାଙ୍କ ବୟାନରୁ ସ୍ପଷ୍ଟ ହେଉଛି ।

Leave A Reply

Your email address will not be published.