ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି ।
ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ କରାଯିବ ।
ମିଳିଥିବା ସୂଚନାନୁଯାୟୀ ଏହି ଅବସରରେ ବରଗଡ ସହର ସଜ୍ଜେଇ ହୋଇ ମଥୁରା ନଗରୀର ରୂପ ନେଇଛି । ଅମ୍ବାପାଲି ଏବେ ଗୋପପୁର ପାଲଟିବା ଆଉ ଜୀରା ନଈ ଯମୁନା ନଦୀ ଭାବେ ପରିଚିତ ପାଇବ ।
ଏହି ଧନୁଯାତ୍ରା ମାଧ୍ୟମରେ ଦ୍ୱାପର ଯୁଗରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଓ କଂସର କ୍ରୁର ଶାସନ ସହ ତା’ର ବଦ୍ଧକୁ ଅତି ନିକଟରୁ ଅନୁଭବ କରିପାରିବେ ଦର୍ଶକମାନେ । ଯାହାଫଳରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଦେଖିବା ଲାଗି ରାଜ୍ୟ ତଥା ଦେଶବିଦେଶରୁ ଦର୍ଶକଙ୍କର ସୁଅ ଛୁଟୁଛି ବରଗଡକୁ ।
ଏହି ୧୧ ଦିନ ଯାତ୍ରା ମଧ୍ୟରେ କଂସ ମହାରାଜାଙ୍କ କ୍ରୁରତା ତଥା ଶାସନ, ଉଗ୍ରସେନଙ୍କ ଗାଦିଚ୍ୟୁତ୍ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ତଥା ଦୈବ ବାଣୀ ଆଦି ଦେଖିବାକୁ ମିଳିବ ।
ଅନ୍ୟପକ୍ଷରେ ଧନୁଯାତ୍ରା ପାଇଁ ସ୍ଥାନୀୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ରାଜ ଦରବାର ଏଥର ଲାଲ୍ ମହଲର ରୂପ ଦିଆଯାଇଛି ।
Comments are closed.