Latest Odisha News

ଆସୁଛି ବିଶ୍ୱକର୍ମା ପୂଜା ! ଚଳଚଞ୍ଚଳ ବନ୍ଦରନଗରୀ ପାରାଦୀପ

ପାରାଦୀପ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଞ୍ଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ ଦୁଇ ଦିନ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ ।  କାରଣ ଆସୁଛି ବିଶ୍ୱକର୍ମା ପୂଜା ।

ଆସନ୍ତା ୧୭ ତାରିଖରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା । ଏଥିପାଇଁ ଚଳଚଞ୍ଚଳ ଏବେ ବନ୍ଦର ନଗରୀ ପାରାଦୀପ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂଜାକୁ ନେଇ ପାରାଦୀପରେ ପୂଜା ମଣ୍ଡପ ଗୁଡିକ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରଙ୍କୁ ଆଣି ବିଭିନ୍ନ ପ୍ରକାରର ବଡବଡ ତୋରଣ ସଜା କାମ ଚଲାଇଛନ୍ତି । କିଏ ବାଉଁଶ ପୋତୁଛି ତ କିଏ ଟିକିନିକି କରି ଖଞ୍ଜି ଚାଲିଛି । ସାଜସଜାରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଆୟୋଜକ ଠାରୁ କାରିଗର ଯାଏଁ ସମସ୍ତେ ଲାଗି ପଡିଛନ୍ତି କାମରେ । ବର୍ଷା ଯୋଗୁ କାମ ଟିକେ ଧିମେଇ ଯାଇଥିବା ବେଳେ ପୂଜା ପୁର୍ବରୁ ପ୍ରସ୍ତୁତି ସାରିବା ପାଇଁ କାରିଗରମାନେ ଦିନରାତି ଏକ କରିଦେଇଛନ୍ତି । ମଣ୍ଡପ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ଚାଲିଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ତୁଳା , ସ୍ପଞ୍ଜ , ପ୍ଲାଇ, ପ୍ଲାଷ୍ଟର ପ୍ୟାରିସ, ସହିତ କାଚ ଶାମୁକା ଆଦି ବ୍ୟବହାର କରି ତୋରଣକୁ ସଜାଇବାରେ ଲାଗି ପଡିଛନ୍ତି । ସେହିପରି ମୂର୍ତ୍ତି କାରୀଗର ମାନେ କଲିକତାର ଗଙ୍ଗା ମାଟିରେ ମୂର୍ତ୍ତୀ ଗଢୁଥିବା ବେଳେ ଝିଲ୍ ମିଲ୍ ଆଲୋକ ସହିତ ମୁର୍ତ୍ତି, ପୂଜାକୁ ବେଶ ଆକର୍ଷଣ କରିବ ବୋଲି ତୋରଣ କାରୀଗର ମାନେ କହିଛନ୍ତି ।

ପାରାଦୀପରେ ବିଶ୍ୱକର୍ମା ପୂଜା ବଡ ଧୁମଧାମରେ ୭ଦିନ ଧରି ଚାଲିବ । ପ୍ରତିବର୍ଷ ପରି ବିଭିନ୍ନ ପୂଜା କମିଟି ପକ୍ଷରୁ ବାବା ବିଶ୍ୱକର୍ମା ପୁଜାକୁ ବଡ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମିଦମୀ କଳାକାର ମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ପୂଜା ଶାନ୍ତିଶୃଙ୍ଖଳା ସହ ଆୟୋଜନ  କରିବା ପାଇଁ  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ମଣ୍ଡପରେ  ଅଗ୍ନି  ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା , ପଲିଥିନ୍ ପ୍ଲାଷ୍ଟିକ ବର୍ଜନ ଓ ଅଶୀଳ ନୃତ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ସିସିଟିଭିର ବ୍ୟବସ୍ଥା କରାଯାଇଛି ।

 

Comments are closed.