Latest Odisha News

BREAKING NEWS

ଓଡିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ଶ୍ରୀ ବିନୋଦ କୁମାର ପଶାୟତ ଓଡ଼ିଶାର ଅନ୍ୟତମ ବିଶିଷ୍ଟ କବି ଓ ଲେଖକ । ସମ୍ବଲପୁରୀ ଓ କୋଶଳି ସାହିତ୍ୟରେ ତାଙ୍କର ବହୁ ଅବଦାନ ରହିଛି । ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାର ବ୍ୟାପକ ଅଞ୍ଚଳରେ ବେଶ୍ ପରିଚିତ । ୨୦୦୮ ମସିହାରେ ସାରଳା ପୁରସ୍କାର, ୨୦୧୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୯ ମସିହାରେ ଓଡ଼ିଶା ସଂସ୍କୃତି ନାଟକ ଏକାଡେମୀ ପକ୍ଷରୁ ସାରଦା ପ୍ରସନ୍ନ ସମ୍ମାନ ଭଳି ତିନୋଟି ଲୋକପ୍ରିୟ ରାଜ୍ୟସ୍ତରୀୟ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।

ସେହିପରି, ଗୁରୁ ଗୋପୀନାଥ ସ୍ୱାଇଁ ୧୯୧୮ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୦ ବର୍ଷ ବୟସରୁ ତାଙ୍କ ବଡ଼ ବାପାଙ୍କ ଠାରୁ କୃଷ୍ଣ ଲୀଳା ଶିଖିବା ଆରମ୍ଭ କରିଥିଲେ । ଗୁରୁ ଗୋପୀନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଗୀତ ଗାଇବା ଏବଂ କୃଷ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ବିରଳ ଶାସ୍ତ୍ରୀୟ ରାଗ, ସ୍ୱରରେ ସୁଧାର, କୌଶଳ ଏବଂ ଉପସ୍ଥାପନର ଜଟିଳ ପ୍ରାଚୀନ ପଦ୍ଧତିକୁ ବଜାୟ ରଖିବା ଦିଗରେ ତାଙ୍କର ଅତୁଟ ସମର୍ପଣ ରହିଛି ।

ଏମାନଙ୍କ ବ୍ୟତୀତ ଆନ୍ଧ୍ରପ୍ରଦେଶର କଳା କ୍ଷେତ୍ରରେ ଅଭିନେତା ତଥା ରାଜନେତା କୋନିଦେଲା ଚିରଞ୍ଜିବୀ, ବେଜୟନ୍ତୀମାଲା ବାଲି ଏବଂ ତାମିଲନାଡୁରୁ କଳା କ୍ଷେତ୍ରରେ ପଦ୍ମ ସୁବ୍ରମଣ୍ୟମ ଏବଂ ବିହାରର ସାମାଜିକ କାର୍ଯ୍ୟରେ ବିନ୍ଦେଶ୍ବର ପାଠକ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେହିପରି ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ପୂର୍ବତନ ରାଜ୍ୟପାଳ ରାମ ନାଏକ ଏବଂ ଗାୟିକା ଉଷା ଉଥୁପଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.