Latest Odisha News

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଲେ ରାଷ୍ଟ୍ରପତି

ରାୟପୁର: ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ଅବସରରେ ରାଷ୍ଟ୍ରପତି ଆଜି ସକାଳୁ ରାୟପୁର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି। ସାଥିରେ ତାଙ୍କର ସୁକନ୍ୟା ଇତିଶ୍ରୀ ମୁର୍ମୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହିତ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମନ୍ଦିରର ପ୍ରତିଷ୍ଠାତା ସଭାପତି ପୁରୁନ୍ଦର ମିଶ୍ର ଏବଂ ତାଙ୍କର ପତ୍ନୀ ସରସ୍ୱତୀ ମିଶ୍ର ଉପସ୍ଥିତ ଥିଲେ।

ଏହା ପରେ ସେ ଆଜି ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବଦ୍ୟାଳୟର ବାର୍ଷିକୋତ୍ସବରେ ସାମିଲ ହୋଇଛନ୍ତି। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯଦି ଆପଣ ରାମ ରାଇଜର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କୁ ଶ୍ରୀରାମ ଏବଂ ସୀତା ହେବାକୁ ପଡ଼ିବ। ଦେଶକୁ ବିଶ୍ୱ ଅଗ୍ରଣୀ କରିବାକୁ ହେଲେ ଆମକୁ ସମାନ ଦିଗରେ ପାଦ ଦେବାକୁ ପଡିବ। ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶ ପ୍ରତିଦିନ ନୂଆ ଉଚ୍ଚତାକୁ ଛୁଉଁଛି। ଆମକୁ ମଧ୍ୟ ଆଗକୁ ବଢିବାକୁ ପଡିବ।

ଏଥି ସହିତ ରାଷ୍ଟ୍ରପତି ମହନ୍ତ ଗୁରୁ ଘାସୀଦାସ ସଂଗ୍ରହାଳୟ ପହଞ୍ଚି ସେଠାରେ ପୁରୁଣା କୀର୍ତ୍ତିରାଜି ଦେଖିଥିଲେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଦୁଇ ଦିନିଆ ଗସ୍ତରେ ଗୁରୁବାର ରାୟପୁର ପହଞ୍ଚିଛନ୍ତି। ସ୍ଥାନୀୟ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ, ନଗର ନିମଗ କମିସନର ଏଜାଜ ଢେବର, ପୋଲିସ ମହାନିର୍ଦ୍ଦେଶକ ଅଶୋକ ଜୁନେଜା, ରାୟପୁର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ ସ୍ୱାଗତ କରିଥିଲେ।

Leave A Reply

Your email address will not be published.