Latest Odisha News

BREAKING NEWS

ଆଇସିଜେ ପ୍ରେସିଡେଣ୍ଟ ୟୁଜି ଇୱାସାୱାଙ୍କ କିଟ୍ ଓ କିସ୍ ପରିଦର୍ଶନ

ଭୁବନେଶ୍ୱର: ମିଳିତ ଜାତିସଂଘର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ପ୍ରେସିଡେଣ୍ଟ ନ୍ୟାୟାଧୀଶ ୟୁଜି ଇୱାସାୱାଙ୍କ ସମେତ ଏହାର ଅନ୍ୟ ଦୁଇ ବରିଷ୍ଠ ବିଚାରପତି ନ୍ୟାୟାଧୀଶ ଲିଓନାର୍ଡୋ ନେମର କାଲଡେଇରା ବ୍ରାଣ୍ଟ ଓ ନ୍ୟାୟାଧୀଶ ବୋଗଦାନ୍‌-ଲୁସିଆନ୍ ଆଉରେସ୍କୁ କିଟ୍ ଓ କିସ୍ ପରିଦର୍ଶନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଆସନ୍ତାକାଲି କିସ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ନ୍ୟାୟାଧୀଶ ଇୱାସାୱାଙ୍କୁ ସମ୍ମାନଜନକ ‘କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଅନ୍ୟ ଦୁଇ ବିଚାରପତିଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯିବ।

ଆଇସିଜେ ହେଉଛି ମିଳିତ ଜାତିସଂଘର ମୁଖ୍ୟ ନ୍ୟାୟିକ ସଂସ୍ଥା। ୧୯୪୫ ମସିହାରେ ପ୍ରତିଷ୍ଠିତ ଏହି ଅନ୍ତର୍ଜାତୀୟ ନ୍ୟାୟାଳୟ ନେଦରଲାଣ୍ଡ୍‌ସର ହେଗ୍ ସହରରେ ଅବସ୍ଥିତ। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉପୁଜୁଥିବା ଆଇନଗତ ବିବାଦର ସମାଧାନ କରିବା ଏହାର ପ୍ରମୁଖ ଦାୟିତ୍ୱ। ଏଥିସହ ମିଳିତ ଜାତିସଂଘର ଅଧିକୃତ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ଅନ୍ତର୍ଜାତୀୟ ଆଇନ ସଂପର୍କରେ ପରାମର୍ଶ ମଧ୍ୟ ପ୍ରଦାନ କରିଥାଏ। ବିଶ୍ୱରେ ଶାନ୍ତି, ନ୍ୟାୟ ଓ ଆଇନର ଶାସନ ପ୍ରତିଷ୍ଠା ସହ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଓ ସୁସଂପର୍କ ବଜାୟ ରଖିବାରେ ଆଇସିଜେର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମା ବିବାଦ, ସାମୁଦ୍ରିକ ଅଧିକାର, ଅନ୍ତର୍ଜାତୀୟ ଚୁକ୍ତିନାମା ଓ ଆଇନର ବ୍ୟାଖ୍ୟା ଭଳି ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୃଷ୍ଟି ହେଉଥିବା ବିବାଦର ଆଇନଗତ ସମାଧାନ କରିଥାଏ ଏହି ନ୍ୟାୟାଳୟ। ଦେଶ ଦେଶ ମଧ୍ୟରେ ଉତ୍ତେଜନା ଓ ସଂଘଷର୍କୁ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ସମାଧାନ କରି ଶାନ୍ତି ପ୍ରତିଷ୍ଠାରେ ସହାୟତା କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଅନ୍ତର୍ଜାତୀୟ ଆଇନ ଓ ଚୁକ୍ତିନାମା ପ୍ରତି ସମ୍ମାନ ପ୍ରଦର୍ଶନ, ରାଷ୍ଟ୍ରଗୁଡ଼ିକର ଆଇନଗତ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ନ୍ୟାୟାଳୟର ରାୟ ପାଳନ ଦିଗରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଇସିଜେର ତିନି ଜଣ ବିଶିଷ୍ଟ ବିଚାରପତି କିଟ୍ ଓ କିସ୍ ପରିଦର୍ଶନ କରିସାରିଛନ୍ତି। ସେମାନେ ହେଲେ ଭାରତର ନ୍ୟାୟାଧୀଶ ଡ. ଦଲବୀର ଭଣ୍ଡାରୀ, ସୋମାଲିଆର ନ୍ୟାୟାଧୀଶ ଡ. ଅବ୍ଦୁଲକାୱି ଅହମ୍ମଦ ୟୁସୁଫ୍ ଏବଂ ବ୍ରାଜିଲ୍‌ର ନ୍ୟାୟାଧୀଶ ଆଣ୍ଟୋନିଓ ଅଗଷ୍ଟୋ କାନ୍‌ସାଡୋ ଟ୍ରିଣ୍ଡାଡେ। ଏହି ତିନି ଜଣଙ୍କ ସମେତ ବର୍ତ୍ତମାନ ପରିଦର୍ଶନରେ ଆସିଥିବା ଆଉ ତିନି ଜଣ ବିଚାରପତିଙ୍କୁ ମିଶାଇ ଆଇସିଜେର ମୋଟ ୬ ଜଣ ବିଚାରପତିଙ୍କ ପରିଦର୍ଶନ କିଟ୍ ଓ କିସ୍‌ର ଅନ୍ତର୍ଜାତୀୟ ପରିଚୟକୁ ଆହୁରି ସମୃଦ୍ଧ କରିଛି।

ଆଇସିଜେରେ ମୋଟ ୧୫ ଜଣ ବିଚାରପତି ରହିଛନ୍ତି। ସେମାନେ ୯ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ଏବଂ ପୁନଃନିର୍ବାଚିତ ହେବାର ସୁଯୋଗ ମଧ୍ୟ ରହିଛି। ପ୍ରତି ତିନି ବର୍ଷରେ ଥରେ ପାଞ୍ଚ ଜଣ ବିଚାରପତିଙ୍କ ନିର୍ବାଚନ ହୋଇଥାଏ। ବିଭିନ୍ନ ଦେଶର ଜାତୀୟ ଗୋଷ୍ଠୀ (ନ୍ୟାସନାଲ୍ ଗ୍ରୁପ୍‌) ପକ୍ଷରୁ ସ୍ଥାୟୀ ମଧ୍ୟସ୍ଥତା ନ୍ୟାୟାଳୟ ମାଧ୍ୟମରେ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରାଯାଇଥାଏ। ପରେ ଜାତିସଂଘର ସାଧାରଣ ପରିଷଦ ଓ ସୁରକ୍ଷା ପରିଷଦ ଦ୍ୱାରା ସେମାନେ ନିର୍ବାଚିତ ହୁଅନ୍ତି। ଭାରତର ନ୍ୟାୟାଧୀଶ ଡ. ଦଲବୀର ଭଣ୍ଡାରୀ ୨୦୧୨ ମସିହାରୁ ଦୀର୍ଘ ୧୮ ବର୍ଷ ଧରି ଆଇସିଜେର ବିଚାରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ତାଙ୍କର ଅନ୍ତର୍ଜାତୀୟ ନ୍ୟାୟିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତାର ପରିଚୟ ଦେଇଥାଏ।

ଆଇସିଜେର ବିଚାରପତିମାନେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥାନ୍ତି । ସେମାନଙ୍କ ପରିଦର୍ଶନ ନିଶ୍ଚିତ ଭାବେ କିଟ୍ ଓ କିସ୍ ପାଇଁ ଗୌରବର ବିଷୟ। ବିଶେଷକରି, ପ୍ରଥମ ଥର ପାଇଁ ଆଇସିଜେର କାର୍ଯ୍ୟରତ ପ୍ରେସିଡେଣ୍ଟ ନ୍ୟାୟାଧୀଶ ୟୁଜି ଇୱାସାୱାଙ୍କ ଓଡ଼ିଶା ଆଗମନ ଏହି ପରିଦର୍ଶନକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।

Leave A Reply

Your email address will not be published.