Latest Odisha News

BREAKING NEWS

ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣର ମୁଖ୍ୟାଂଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି, ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ମହାମାରୀରେ ମୃତ୍ୟୁବରଣ କରିଥିବା ୬ ଜଣ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି କହିଛନ୍ତି, କୋରୋନା କାଳରେ ଦେଶ ନୂଆ ସାମର୍ଥ୍ୟ ସହ ଆସିଛି । ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠିକଣା ନିଷ୍ପତ୍ତି ଯୋଗୁ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚିଛି । ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । ଆରୋଗ୍ୟ ହାର ବହୁତ ଅଧିକ ରହୁଛି । ଟିକାକରଣର ସଫଳତା କଥା କହିଛନ୍ତି ରାଷ୍ଟ୍ରପତି ।

ମହାମାରୀ କାଳରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ସରକାର ରେକର୍ଡ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିସହ ସରକାର ମଧ୍ୟ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି ଧ୍ୟାନ ଦେଇଥିବା ରାଷ୍ଟ୍ରପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮ କୋଟି ଲୋକଙ୍କୁ ୮ ମାସ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଶସ୍ୟ ମାଗଣାରେ ସୁନିଶ୍ଚିତ କରାଯାଇଥିଲା । ସରକାର ମଧ୍ୟ ପ୍ରବାସୀ ଶ୍ରମିକ, ଶ୍ରମିକ ଓ ସେମାନଙ୍କ ଘରୁ ଦୂରରେ ରହୁଥିବା ଲୋକଙ୍କ ଯତ୍ନ ନେଇଥିଲେ । ଲୋକଙ୍କୁ ମାଗଣା ରାସନ୍‌ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ହୋଇଥିଲା ।

ସେହିପରି ନିଜ ଅଭିଭାଷଣରେ ରାଷ୍ଟ୍ରପତି ଜନଧନ ଯୋଜନା, ଆୟୁଷ୍ମାନ ଭାରତ, ମୁଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ଓ ଆତ୍ମନିର୍ଭର ଭାରତ ଉପରେ ଆଲୋକପାତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, କୋରୋନା ଶିଖାଇଲା ଆତ୍ମନିର୍ଭର ହେବା କାହିଁକି ଜରୁରୀ ।

କୃଷି, କୃଷକଙ୍କ ଆୟ ବୃଦ୍ଧି ଦିଗରେ ସରକାର ନେଇଥିବା ପଦକ୍ଷେପ ଉପରେ କହିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଜଳସେଚନ ସୁବିଧା ବଢ଼ିଛି, ଖାଦ୍ୟ ଉତ୍ପାଦନ ମଧ୍ୟ ବଢ଼ିଛି । ୨୦୧୪ରେ ୨୩୪ ମିଲିଅନ ଟନ୍‌‌ ଖାଦ୍ୟ ଉତ୍ପାଦନ ହେଉଥିଲା । ଏବେ ୨୯୬ ମିଲିଅନ ଟନ୍‌‌ ଖାଦ୍ୟ ଉତ୍ପାଦନ ହେଉଛି ।

ନୂଆ କୃଷି ଆଇନ ଉପରେ ମତ ରଖି ରାଷ୍ଟ୍ରପତି କହିଛନ୍ତି, ଆଇନରେ ସୁଧାର ଆଣିବା ସହ ସରକାର ଚାଷୀଙ୍କୁ ନୂଆ ସୁବିଧା ଉପଲବ୍ଧ କରିବା ସହ ନୂଆ ଅଧିକାର ମଧ୍ୟ ଦେଇଛନ୍ତି । ସରକାର ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା ସହ ଫସଲ ମୂଲ୍ୟର ଦେଢଗୁଣା ଏମଏସପି ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ରାଷ୍ଟ୍ରପତି ।

ଗଣତନ୍ତ୍ର ଦିବସ ଭଳି ପବିତ୍ର ଦିନରେ ତ୍ରିରଙ୍ଗାର ଅପମାନ ବେଶ ଦୁଭାଗ୍ୟପୂର୍ଣ୍ଣ । ଯେଉଁ ସମ୍ବିଧାନ ଆମକୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଛି ସେହି ସମ୍ବିଧାନ ଏହା ମଧ୍ୟ ଶିଖାଇଛି ଯେ, ଆଇନକାନୁନକୁ କିଭଳି ଗମ୍ଭୀରତାର ସହ ପାଳନ କରିବାକୁ ହେବ ।

Leave A Reply

Your email address will not be published.