ୱାଶିଂଟନ: କଳେ ବଳେ କୌଶଳେ ଗ୍ରୀନଲ୍ୟାଣ୍ଡକୁ କବ୍ଜା କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସେ ଡେନମାର୍କ ଏବଂ ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଉପରେ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି । ଯେପର୍ଯ୍ୟନ୍ତ ସେମାନେ ଗ୍ରୀନଲ୍ୟାଣ୍ଡକୁ ବିକ୍ରି କରିବାକୁ ରାଜି ନହୋଇଛନ୍ତି ସେ ପର୍ଯ୍ୟନ୍ତ ଅତିରିକ୍ତ ଟାରିଫ୍ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ।
ସେପଟେ ଡେନମାର୍କ ସମେତ ୟୁରୋପୀୟ ଦେଶଗୁଡ଼ିକ ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା, ଗ୍ରୀନଲ୍ୟାଣ୍ଡର ସାମରିକ ଘାଟିରେ, ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (NORAD) ର ଏକ ଯୁଦ୍ଧ ବିମାନ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରୀନଲ୍ୟାଣ୍ଡର ପିଟୁଫିକ୍ ସ୍ପେସ୍ ବେସ୍ ରେ ଏହି ବିମାନ ମୁତୟନ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ହତ ଚକିତ କରିଛି।
“NORAD ର ବିମାନ ଖୁବ୍ ଶୀଘ୍ର ଗ୍ରୀନଲ୍ୟାଣ୍ଡର ପିଟୁଫିକ୍ ସ୍ପେସ୍ ବେସ୍ରେ ପହଞ୍ଚିବ। ଆମେରିକା ଏବଂ କାନାଡାର ମୁଖ୍ୟ ଭୂଭାଗରେ ଥିବା ଘାଟିରୁ ପରିଚାଳିତ ବିମାନଗୁଡ଼ିକ ସହିତ ମିଶି ଏହା NORAD ର କାର୍ଯ୍ୟକଳାପରେ ସହାୟତା କରିବ । ଏହା ଆମେରିକା, କାନାଡା ଏବଂ ଡେନମାର୍କ ମଧ୍ୟରେ ଥିବା ସ୍ଥାୟୀ ପ୍ରତିରକ୍ଷା ସହଯୋଗକୁ ମଜଭୁତ କରିବ ବୋଲି ଆମେରିକା ଦାବି କରିଛି। ଗ୍ରୀନଲ୍ୟାଣ୍ଡକୁ ନେଇ ଟ୍ରମ୍ପଙ୍କ ଧମକ ଯୋଗୁଁ ୱାଶିଂଟନ ସହିତ ତିକ୍ତତା ବଢ଼ିଥିବା ବେଳେ, ଡେନମାର୍କ ନେତୃତ୍ୱରେ ଜର୍ମାନୀ, ସ୍ୱିଡେନ, ଫ୍ରାନ୍ସ, ନରୱେ, ନେଦରଲ୍ୟାଣ୍ଡ ଏବଂ ଫିନଲ୍ୟାଣ୍ଡ ପକ୍ଷରୁ ନିକଟରେ ମିଳିତ ସାମରିକ ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା । ଏହାପରେ ହିଁ ଆମେରିକା ଏହି ପଦକ୍ଷେପ ନେଇଛି ।
ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକାର ନିୟନ୍ତ୍ରଣ ପ୍ରସ୍ତାବକୁ ସମର୍ଥନ ନ କରିବା ଯୋଗୁଁ ୟୁରୋପୀୟ ଦେଶଗୁଡ଼ିକ ବିରୋଧରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି । ଏହି ପଦକ୍ଷେପ ୟୁରୋପ ସହିତ ଆମେରିକାର ରାଜନୈତିକ ଉତ୍ତେଜନାକୁ ତୀବ୍ର କରିଛି । ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସେନ୍ । ସେ କହିଛନ୍ତି ଯେ, ୟୁରୋପକୁ ଡରାଇବା ସହ ‘ବ୍ଲାକମେଲ୍’ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ୟୁରୋପ କୌଣସି ପ୍ରକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାର ଅଧିକାର କେବଳ ସେଠାକାର ଜନସାଧାରଣଙ୍କ ପାଖରେ ରହିଛି। ଗ୍ରୀନଲ୍ୟାଣ୍ଡବାସୀଙ୍କ ଅଧିକାରକୁ ଡେନମାର୍କ ସମ୍ପୂର୍ଣ୍ଣ ଦୃଢ଼ତାର ସହ ସୁରକ୍ଷା ଦେବ । କାହାର ଧମକ କିମ୍ବା ବ୍ଲାକମେଲିଂରେ ୟୁରୋପୀୟ ଦେଶମାନେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ ମୁହଁତୋଡ଼ ଜବାବ ଦେଇଛନ୍ତି ।